ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳର ଐତିହାସିକ ଲଗାତାର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ବିଜୟର ଉତ୍ସବ ପରେ ଏବେ ପରବର୍ତ୍ତୀ ବଡ଼ ଚ୍ୟାଲେଞ୍ଜ ଆଡ଼କୁ ସମସ୍ତଙ୍କ ନଜର ଯାଇଛି । ଅକ୍ଟୋବର ୨୭ ରୁ ନଭେମ୍ବର ୫ ପର୍ୟ୍ୟନ୍ତ ଜଳନ୍ଧର ଏବଂ ମୋହାଲିରେ ଆୟୋଜିତ ହେବାକୁ ଥିବା ‘ହୀରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପଞ୍ଜାବ ୨୦୨୬’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜାପାନର ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ୨୦୨୬ରେ ଭାରତର ସ୍ମରଣୀୟ ସଫଳତା ଦଳ ପାଇଁ ଏକ ନୂଆ ଅଧ୍ୟାୟ ଯୋଡ଼ିଥିଲା – କାରଣ ଭାରତୀୟ ଦଳ ପ୍ରଥମ ଥର ପାଇଁ ନିଜର ଏସୀୟ କ୍ରୀଡ଼ା ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଥିଲା । ଏହି ସଫଳତା ପରେ ଏବେ ଘରୋଇ ମାଟିରେ ଏସିଆର ଶ୍ରେଷ୍ଠ ୬ଟି ଦଳ ମଧ୍ୟରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଲଢ଼େଇ ହେବ । ଏହି ପ୍ରତିଯୋଗିତାରେ ଭାରତ ସହିତ ଜାପାନ, ଚୀନ୍, ମଲେସିଆ, ଦକ୍ଷିଣ କୋରିଆ ଏବଂ ବାଂଲାଦେଶ ଅଂଶଗ୍ରହଣ କରିବେ । ଭାରତୀୟ ପୁରୁଷ ହକି ଦଳର ମୁଖ୍ୟ କୋଚ୍ କ୍ରେଗ୍ ଫୁଲଟନ୍ କହିଛନ୍ତି, “ଜାପାନରେ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ଜିତିବା ଏହି ଦଳ ପାଇଁ ଏକ ସ୍ୱତନ୍ତ୍ର ସଫଳତା ଥିଲା । କିନ୍ତୁ ଏବେ ଉତ୍ସବ ଶେଷ ହୋଇଛି ଏବଂ ଆମକୁ ଶୀଘ୍ର ଆଗାମୀ ଲକ୍ଷ୍ୟ ଉପରେ ମନୋନିବେଶ କରିବାକୁ ହେବ। ହୀରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପଞ୍ଜାବ ୨୦୨୬ ଘରୋଇ ମାଟିରେ ଆମ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ।
ଏହି ସଫଳତାକୁ ଆଗକୁ ନେବା ପାଇଁ ଆମକୁ ପ୍ରତ୍ୟେକ ମ୍ୟାଚ୍ରେ ସମାନ ନିଷ୍ଠା, ଶୃଙ୍ଖଳା ଏବଂ କଠିନ ପରିଶ୍ରମ ପ୍ରଦର୍ଶନ କରିବାକୁ ପଡ଼ିବ ।” ଏହି ଟୁର୍ଣ୍ଣାମେଣ୍ଟ ପଞ୍ଜାବ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, କାରଣ ଦୀର୍ଘ ଦିନ ପରେ ରାଜ୍ୟକୁ ଆନ୍ତର୍ଜାତୀୟ ହକି ଫେରୁଛି। ନିଜର ସମୃଦ୍ଧ ହକି ସଂସ୍କୃତି ଏବଂ ଭାରତୀୟ ହକି ପ୍ରତି ଅବଦାନ ପାଇଁ ଜଣାଶୁଣା ପଞ୍ଜାବ, ଏସିଆର ଶ୍ରେଷ୍ଠ ଦଳଗୁଡ଼ିକୁ ସ୍ୱାଗତ କରିବାକୁ ପ୍ରସ୍ତୁତ । ଲିଗ୍ ପର୍ୟ୍ୟାୟର ସମସ୍ତ ମ୍ୟାଚ୍ ଜଳନ୍ଧରର ଓଲିମ୍ପିଆନ୍ ସୁରଜିତ୍ ସିଂହ ହକି ଷ୍ଟାଡିୟମ’ରେ ଖେଳାଯିବ । ସେମିଫାଇନାଲ୍ ଏବଂ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୪ ଏବଂ ୫ ତାରିଖରେ ଖେଳାଯାଇ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହେବ । ଏସୀୟ କ୍ରୀଡ଼ାର ସଫଳତାକୁ ପାଥେୟ କରି ଭାରତ ନିଜ ଘରୋଇ ମାଟିରେ ହୀରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ସୂଚନାଯୋଗ୍ୟ, ୨୦୧୧ରେ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପରଠାରୁ ଭାରତ ସର୍ବାଧିକ ୪ ଥର ଏହି ଟାଇଟଲ୍ ଜିତି ସବୁଠାରୁ ସଫଳ ଦଳ ଭାବେ ପରିଗଣିତ ହୋଇଛି । ଏହା ବ୍ୟତୀତ ୨୦୧୮ରେ ଓମାନ୍ର ମସ୍କଟ୍ରେ ଆୟୋଜିତ ଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯିବାରୁ ଭାରତ ଏବଂ ପାକିସ୍ତାନ ଯୁଗ୍ମ ବିଜେତା ଘୋଷିତ ହୋଇଥିଲେ ।

