ଭୁବନେଶ୍ବର: ଓଡ଼ିଶା ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିପଣନ କାର୍ଯ୍ୟାଳୟ (ଟିବିପିଏମ୍)ରେ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ବେସରକାରୀ ଭାବେ କାମ କରିବା ପରେ ୨୦୧୪ ମସିହାରେ ଟେକ୍ସଟ୍ ବୁକ୍ ପ୍ରିଣ୍ଟିଂ ପ୍ରେସ୍ ମଜଦୁର ସଂଘ ସେମାନଙ୍କୁ ସରକାରୀ ବେତନ ସହ ନିୟମିତ କରିବାକୁ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲା। ପରେ ହାଇକୋର୍ଟ ଉକ୍ତ କର୍ମଚାରୀଙ୍କୁ ନିୟମିତ କରିବାକୁ ରାୟ ଶୁଣାଇଥିଲେ। ସେହି ସମୟରେ ହିଁ ବେସରକାରୀ ଭାବେ କାର୍ଯ୍ୟରତ କର୍ମଚାରୀମାନେ ବୟସରେ ଜାଲିଆତି କରିବା ସହ ସରକାରୀ ଚାକିରୀର ବୟସର ସୀମା ବଢ଼ାଇ ତଞ୍ଚକତା କରିଥିବା ଅଭିଯୋଗ ହୋଇଛି। ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ସରକାରୀ କର୍ମଚାରୀ ଭାବେ ବେତନ ପାଉଥିବା ତଥା ପଦୋନ୍ନତି ନପାଉଥିବା କିଛି ଅସନ୍ତୁଷ୍ଟ ଏହି ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଟିବିପିଏମରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ବୟସରେ ହେଇଥିବା ଜାଲିଆତିକୁ ନେଇ ପାଠ୍ୟ ପୁସ୍ତକ ଛପା ମଜଦୁର ସଂଘର କିଛି ଅସନ୍ତୁଷ୍ଟ କର୍ମଚାରୀ ପ୍ରଶ୍ନ ଉଠାଇଛନ୍ତି। ୨୦୧୪ ମସିହାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବେସରକାରୀ (ଡିଏଲଆର) କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ଭାବେ ନିୟମିତ କରାଯାଇଥିଲା। ସେହି ସମୟରେ ଅନେକ କର୍ମଚାରୀ ନିଜ ବୟସ କମ୍ ଦର୍ଶାଇ ନିଯୁକ୍ତି ନେଇଥିବା ଅଭିଯୋଗ ହୋଇଛି। ଏହା ଦ୍ୱାରା ସେମାନେ ଚାକିରିର ଅବସର ବୟସ ସୀମାକୁ ବଢ଼ାଇ ବିଳମ୍ବରେ ଅବସର ନେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି। ଏହା ଏକ ସୁଚିନ୍ତିତ ଅପରାଧ ବୋଲି ଅସନ୍ତୁଷ୍ଟମାନେ ଦର୍ଶାଇବା ସହ ମାମଲାର ପୂର୍ଣ୍ଣ ତଦନ୍ତ ଦାବି କରିଥିବା ସାମ୍ନାକୁ ଆସିଛି।
ଟିବିପିଏମ କାର୍ଯ୍ୟାଳୟରେ ପ୍ରାୟ ୪୦ରୁ ୪୫ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀ ମଧ୍ୟ ରହିଛନ୍ତି। ପାଠ୍ୟ ପୁସ୍ତକରେ ମାଳ ମାଳ ତ୍ରୁଟି ସାମ୍ନାକୁ ଆସିବା ପରଠାରୁ ଟିବିପିଏମ ବର୍ଷ ତମାମ ଚର୍ଚ୍ଚାରେ ରହି ଆସିଛି। ଏପରିକି ଏଯାବତ୍ ସ୍କୁଲକୁ ସଂଶୋଧିତ ପୁସ୍ତକ ମଧ୍ୟ ପଠାଯାଇପାରି ନାହିଁ। ତେବେ ଏହି ବୟସ ଜାଲିଆତି ଅଭିଯୋଗ, ଟିବିପିଏମରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ଓ କାର୍ଯ୍ୟପନ୍ଥାକୁ ନେଇ ପ୍ରଶ୍ନ ସାମ୍ନାକୁ ଆଣିଥିବାବେଳେ ଟିବିପିଏମ୍ ସହ ଜଡ଼ିତ ବିଭିନ୍ନ ବିବାଦ ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି। ଏନେଇ ଟିବିପିଏମ୍ର ବରିଷ୍ଠ ପ୍ରଶାସକଙ୍କ ସହ ଯୋଗାଯୋଗ ହୋଇପାରି ନଥିବାବେଳେ ଏହି ଅଭିଯୋଗ ପରେ ସରକାର କିମ୍ବା ଉଚ୍ଚ ଅଧିକାରୀ ସ୍ତରରେ କ’ଣ ତଦନ୍ତ ହେଉଛି, ସେନେଇ ନଜର ରହିଛି।

