ନୂଆଦିଲ୍ଲୀ: କୌଣସି ଅପରାଧ ଘଟିବା ପୂର୍ବରୁ ପୋଲିସ କାହାକୁ ଅଟକ ରଖିପାରିବ କି? ଏଥିପାଇଁ କ’ଣ ଆଇନ ରହିଛି? ଅଭିଜିତ ଦିପ୍କେ ଓ ଅନ୍ୟ ଦୁଇ ଜଣଙ୍କୁ ଦିଲ୍ଲୀ ପୋଲିସ ପ୍ରିଭେଣ୍ଟିଭ୍ ଆରେଷ୍ଟ କରିବା ପରେ ଏହି ପ୍ରଶ୍ନ ଏବେ ଚର୍ଚ୍ଚାକୁ ଆସିଛି।
ରିପୋର୍ଟ ଅନୁସାରେ, ଶନିବାର କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦିପ୍କେ ଏବଂ ସାଥି ସଦସ୍ୟ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ଅକ୍ଟୋବର ୧୧ରେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ପରେ ତାଙ୍କୁ କୋର୍ଟ ମଧ୍ୟ ନିଆଯାଇଥିଲା । ଦିଲ୍ଲୀର ଏକ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ନିର୍ଦ୍ଦେଶ ପରେ ସେମାନଙ୍କୁ ଏବେ ମୁକ୍ତ କରାଯାଇଛି। ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ନେଇ ଦଳ ପକ୍ଷରୁ ଜନ୍ତରମନ୍ତରରେ ପ୍ରତିବାଦ କରାଯିବାର କାର୍ଯ୍ୟକ୍ରମ ଥିଲା। ସମ୍ଭାବ୍ୟ ଆଇନଶୃଙ୍ଖଳା ସମସ୍ୟାକୁ ରୋକିବା ପାଇଁ ପୋଲିସ ଏହି ପଦକ୍ଷେପ ନେଇଥିବା ରିପୋର୍ଟରେ କୁହାଯାଇଛି।
ପ୍ରିଭେଣ୍ଟିଭ୍ ଆରେଷ୍ଟ ପାଇଁ କ’ଣ ଆଇନ ରହିଛି?
ପ୍ରିଭେଣ୍ଟିଭ୍ ଆରେଷ୍ଟର ଅର୍ଥ ହେଉଛି, କୌଣସି ଅପରାଧ ଘଟିବା ପୂର୍ବରୁ ତାହାକୁ ରୋକିବା ପାଇଁ ଆଇନ ଅନୁଯାୟୀ ପୋଲିସ କାହାକୁ ଅଟକ ରଖିବା। ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା BNSSର ଧାରା ୧୭୦ ଅନୁସାରେ, କୌଣସି ଜ୍ଞାତବ୍ୟ ଅପରାଧ ଘଟାଇବାର ଯୋଜନା ବିଷୟରେ ପୋଲିସକୁ ଜଣାଥିଲେ ଏବଂ ଅନ୍ୟ ଉପାୟରେ ତାହାକୁ ରୋକିବା ସମ୍ଭବ ନଥିଲେ, ବିନା ୱାରେଣ୍ଟରେ ଅଟକ କରାଯାଇପାରିବ। ଏହି ଧାରାରେ ଅଟକ ବ୍ୟକ୍ତିଙ୍କୁ ସାଧାରଣତଃ ୨୪ ଘଣ୍ଟାରୁ ଅଧିକ ରଖିହେବ ନାହିଁ, ଯଦି ଅନ୍ୟ ଆଇନ ଅନୁସାରେ ଅଧିକ ସମୟ ରଖିବାକୁ ଅନୁମତି ନଥାଏ।
ତେବେ ଏହାର ଅର୍ଥ ନୁହେଁ ଯେ ପୋଲିସ ଯେକୌଣସି ବ୍ୟକ୍ତିଙ୍କୁ ନିଜ ଇଚ୍ଛାରେ ଅଟକ ରଖିପାରିବ। ଅଟକ ପଛରେ ଆଇନସମ୍ମତ କାରଣ ଥିବା ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ପାଳନ ହେବା ଜରୁରୀ।
ଅଭିଜିତ ଦିପ୍କେଙ୍କ ମାମଲାରେ ଏବେ କ’ଣ ହେଲା?
ତେବେ ଦିଲ୍ଲୀ ପୋଲିସ ଅଭିଜିତ ଦିପ୍କେ ଓ ଅନ୍ୟ ଦୁଇ ନେତାଙ୍କୁ BNSSର ଧାରା ୧୨୬ ଓ ୧୭୦ ଅନୁସାରେ ଅଟକ ରଖିଥିଲା। ପରେ ସେମାନଙ୍କୁ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ଶାନ୍ତି ବଜାୟ ରଖିବା ଓ ଭଲ ଆଚରଣ ପାଇଁ ଏକ ବର୍ଷର ସର୍ତ୍ତ ସହ ୫୦ ହଜାର ଟଙ୍କାର ଜାମିନ ବଣ୍ଡ ଦାଖଲ ପରେ ତିନି ଜଣଙ୍କୁ ଛାଡ଼ି ଦିଆଯାଇଥିବା ପୋଲିସ କହିଛି।
ତେବେ ମୁଖ୍ୟ ପ୍ରଶ୍ନ ହେଉଛି, ପ୍ରତିବାଦ କରିବାର ଡାକ ଦେବା ମାତ୍ରେ କାହାକୁ ଅଟକ ରଖାଯାଇପାରିବ କି? ଏହାର ଉତ୍ତର ନିର୍ଭର କରିବ ନିର୍ଦ୍ଦିଷ୍ଟ ପରିସ୍ଥିତି, ପୋଲିସ ପାଖରେ ଥିବା ତଥ୍ୟ ଓ ଆଇନଗତ ପ୍ରକ୍ରିୟା ଉପରେ। ଯଦି ପୋଲିସ୍ ପାଖରେ ଆଇନ ସମ୍ମତ କାରଣ ଥାଏ କି, ଉକ୍ତି ବ୍ୟକ୍ତି କିଛି ବି ଅପ୍ରୀତିକର ପରିସ୍ଥିତି ଉପୁଜାଇ ପାରେ, ତେବେ ସେହି ସମୟରେ ପୋଲିସ୍ ଏହି ପଦକ୍ଷେପ ନେଇପାରିବ ।

