Tea Thieves: ଚୀନ୍ରୁ ଚା’ ଚୋରି କରି ଭାରତ ଆଣିଥିଲା ବ୍ରିଟେନ୍! ୧୭୦ ବର୍ଷ ତଳର କର୍ପୋରେଟ୍ ଗୁପ୍ତଚରର ରୋଚକ କାହାଣୀ
ନୂଆଦିଲ୍ଲୀ: ଭାରତରେ ଚା’ ଏକ ଇମୋସନ୍…ଚା’ ପିଇବାକୁ ଭଲ ପାଆନ୍ତିନି, ଏମିତି ଲୋକ କାଁଭାଁ ମିଳିବେ । ସକାଳର ଆରମ୍ଭ ହେଉ କି ସନ୍ଧ୍ୟାର ଥକାପଣ ଦୂର କରିବା, ଚା’ ଆମ ଦୈନନ୍ଦିନ ଜୀବନର ଏକ ଅଂଶ। କିନ୍ତୁ ଆପଣ ଜାଣନ୍ତି କି, ଚା’ ଭାରତକୁ ଆସିଲା କିପରି? କେଉଁଠୁ ଆରମ୍ଭ ହୋଇଥିଲା ଏହି ଚା’ ପିଇବାର ପରମ୍ପରା । ଭାରତରେ ଚା’ ଚାଷକୁ ବଡ଼ ଆକାରରେ ଆରମ୍ଭ କରିବା ପଛରେ ରହିଛି ଚୋରି, ଗୁପ୍ତଚରୀ ଓ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀର ଏକ ବଡ଼ ଯୋଜନା? ପ୍ରାୟ ୧୭୦ ବର୍ଷ ତଳେ ଚୀନ୍ରୁ ଚା’ ଗଛ, ମଞ୍ଜି ଓ ଚା’ ପ୍ରସ୍ତୁତ କରିବାର କୌଶଳ ଭାରତକୁ ଆଣିବା ପାଇଁ ହୋଇଥିଲା ଏକ ଗୁପ୍ତ ଅଭିଯାନ।
କୁହାଯାଏ, ଚୀନ୍ରେ ପ୍ରାୟ ୨,୦୦୦ ବର୍ଷ ଧରି ଚା’ ପିଇବାର ପରମ୍ପରା ରହିଛି। କିନ୍ତୁ ଇଂଲଣ୍ଡରେ ଚା’ର ଲୋକପ୍ରିୟତା ୧୬ଶ ଶତାବ୍ଦୀରୁ ବଢ଼ିବା ଆରମ୍ଭ କରିଥିଲା। ୧୮ଶ ଶତାବ୍ଦୀ ବେଳକୁ ଚା’ ପିଇବା ଇଂଲଣ୍ଡବାସୀଙ୍କ ଅଭ୍ୟାସରେ ପରିଣତ ହୋଇଗଲା। ସମସ୍ୟା ଥିଲା, ସେତେବେଳେ ଚା’ ଉତ୍ପାଦନ ଓ ବ୍ୟବସାୟ ଉପରେ ଚୀନ୍ର ଏକାଧିକାର ଥିଲା। ଚା’ କିପରି ଚାଷ କରାଯାଏ, ଏହାର ପତ୍ରକୁ କିପରି ପ୍ରକ୍ରିୟାକରଣ କରି ପିଇବା ଯୋଗ୍ୟ କରାଯାଏ, ସେ ସମ୍ପର୍କିତ ତଥ୍ୟକୁ ଚୀନ୍ ଗୁପ୍ତ ରଖୁଥିଲା। ଫଳରେ ଇଂଲଣ୍ଡକୁ ଚା’ ପାଇଁ ଚୀନ୍ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। ଚା’ କିଣିବା ପାଇଁ ବହୁ ପରିମାଣର ରୂପା ଚୀନ୍କୁ ଚାଲିଯାଉଥିଲା। ଏହି ବ୍ୟବସାୟରେ ନିଜର ନିର୍ଭରଶୀଳତା କମାଇବା ପାଇଁ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ବଡ଼ ଯୋଜନା କଲା।
ଏହି ଅଭିଯାନର ଦାୟିତ୍ୱ ଦିଆଗଲା ସ୍କଟଲାଣ୍ଡର ଉଦ୍ଭିଦ ବିଜ୍ଞାନୀ ଓ ଯାତ୍ରୀ ରବର୍ଟ ଫର୍ଚ୍ୟୁନ୍ଙ୍କୁ। ତାଙ୍କୁ ଚୀନ୍କୁ ପଠାଇବା ପଛରେ ଉଦ୍ଦେଶ୍ୟ ଥିଲା କେବଳ ଚା’ ଗଛ ଓ ମଞ୍ଜି ସଂଗ୍ରହ କରିବା ନୁହେଁ; ବରଂ ଚୀନ୍ରେ ଚା’ ଚାଷ ଓ ଏହାକୁ ପ୍ରସ୍ତୁତ କରିବାର ସମସ୍ତ କୌଶଳ ଶିଖି ଭାରତକୁ ଆଣିବା। ଚୀନ୍ ଯିବା ପୂର୍ବରୁ ରବର୍ଟ ନିଜ ମୁଣ୍ଡର କେଶ କାଟି ଚୀନ୍ର ଜଣେ ବ୍ୟବସାୟୀଙ୍କ ଭଳି ବେଶ ଧାରଣ କରିଥିଲେ। ସେ ସେଠାକାର ପୋଷାକ ପିନ୍ଧି ଚୀନ୍ରେ ଘୂରି ବୁଲିବା ସହ ଚା’ ଉତ୍ପାଦନ ସହ ଜଡ଼ିତ ସୂଚନା ସଂଗ୍ରହ କରିଥିଲେ। ଅନେକ ଚେଷ୍ଟା ପରେ ସେ ନିଜ ସହାୟକ ୱାଙ୍ଗ୍ଙ୍କ ସହ ଏକ ଚା’ କାରଖାନାରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ସେଠାରେ ଚା’ ପତ୍ରକୁ କିପରି ପ୍ରକ୍ରିୟାକରଣ କରାଯାଏ ଓ ଚା’ କିପରି ପ୍ରସ୍ତୁତ ହୁଏ, ସେ ସମ୍ପର୍କରେ ସେ ଅନେକ ତଥ୍ୟ ଜାଣିପାରିଥିଲେ।
ରବର୍ଟ ଫର୍ଚ୍ୟୁନ୍ଙ୍କ ଏହି ଯାତ୍ରା ସମ୍ପର୍କରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଦାବି ରହିଛି। ତାଙ୍କ ଅନୁସନ୍ଧାନରେ ରପ୍ତାନି ପାଇଁ ପ୍ରସ୍ତୁତ କେତେକ ଚା’ରେ କୃତ୍ରିମ ରଙ୍ଗ ଓ ଅନ୍ୟ ପଦାର୍ଥ ମିଶାଯାଉଥିବା ଜଣାପଡ଼ିଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟ ଅନୁଯାୟୀ, ଏଥିରେ ପ୍ରୁସିଆନ୍ ବ୍ଲୁ ନାମକ ଏକ ନୀଳ ରଙ୍ଗ ଓ କ୍ୟାଲସିୟମ୍ ସଲଫେଟ୍ ଡାଇହାଇଡ୍ରେଟ୍ ମିଶାଯାଉଥିଲା। ଏପରିକି ଚୀନ୍ର ଲୋକମାନେ ନିଜେ ପିଉଥିବା ଚା’ ଓ ରପ୍ତାନି ପାଇଁ ପ୍ରସ୍ତୁତ ଚା’ ମଧ୍ୟରେ ପାର୍ଥକ୍ୟ ଥିବା ଦାବି କରାଯାଇଛି।
ଚୀନ୍ରୁ ଚା’ ଗଛ ଓ ମଞ୍ଜି ସଂଗ୍ରହ କରି ରବର୍ଟ ଫର୍ଚ୍ୟୁନ୍ ଏହାକୁ ଭାରତକୁ ଆଣିଥିଲେ। ତାଙ୍କ ଅଭିଯାନର ଏକ ପ୍ରମୁଖ ଲକ୍ଷ୍ୟ ଥିଲା ଭାରତରେ ଚା’ ଚାଷକୁ ବିକଶିତ କରିବା, ଯାହାଦ୍ୱାରା ବ୍ରିଟେନ୍କୁ ଚା’ ପାଇଁ ଚୀନ୍ ଉପରେ ଆଉ ସେତେଟା ନିର୍ଭର କରିବାକୁ ପଡ଼ିବ ନାହିଁ। ପରବର୍ତ୍ତୀ ସମୟରେ ଭାରତରେ ଚା’ ଉତ୍ପାଦନ ବହୁ ମାତ୍ରାରେ ବଢ଼ିଲା। ଆସାମ ଓ ଦାର୍ଜିଲିଂ ଭଳି ଅଞ୍ଚଳ ଚା’ ଚାଷ ପାଇଁ ପ୍ରସିଦ୍ଧ ହେଲା। ଭାରତ ବିଶ୍ୱର ଅନ୍ୟତମ ପ୍ରମୁଖ ଚା’ ଉତ୍ପାଦନକାରୀ ଦେଶ ଭାବେ ନିଜର ସ୍ଥାନ ସୁଦୃଢ଼ କଲା।
ପରେ ୨୦୧୦ ଦଶକରେ ଚୀନ୍ ପୁଣିଥରେ ବିଶ୍ୱର ପ୍ରମୁଖ ଚା’ ରପ୍ତାନିକାରୀ ଦେଶ ଭାବେ ନିଜର ସ୍ଥାନ ମଜବୁତ କରିଥିଲା। ଏହି ପୂରା ଘଟଣାକ୍ରମକୁ ଦେଖିଲେ, ଚା’ର ଇତିହାସ କେବଳ ଏକ ପାନୀୟର କାହାଣୀ ନୁହେଁ। ଏହା ବ୍ୟବସାୟିକ ସ୍ୱାର୍ଥ, ଗୁପ୍ତ ସୂଚନା ସଂଗ୍ରହ ଓ ଉପନିବେଶବାଦୀ ଶକ୍ତିର ଆର୍ଥିକ ରଣନୀତିର ମଧ୍ୟ ଏକ ଉଦାହରଣ। ଆଜି ଭାରତର ପ୍ରତ୍ୟେକ ଘରେ ପିଆଯାଉଥିବା ଚା’ ପଛରେ ଏପରି ଏକ ରୋଚକ ଇତିହାସ ଲୁଚି ରହିଛି।

