ସୁନ୍ଦରଗଡ଼: କ୍ରସର ୱାଚ୍ମ୍ୟାନଙ୍କୁ ବିଭତ୍ସ ଭାବେ ହତ୍ୟା। ରହସ୍ୟ ଘେରରେ କୋଇଡ଼ା ହତ୍ୟାକାଣ୍ଡ। ସୁନ୍ଦରଗଡ଼ କୋଇଡା ଥାନା ସର୍ଗିଗଡ଼ ମୁଣ୍ଡା ବସ୍ତି ନିକଟରେ ବହୁ ବର୍ଷ ଧରି ବନ୍ଦ ଥିବା କ୍ରସରରେ ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ହେଲେ କ୍ରସରର ୱାଚ୍ ମ୍ୟାନ୍ ପାନପୋଷିଆ ଗାଁର ସନାତନ ମୁଣ୍ଡା । ହତ୍ୟାକାଣ୍ଡ ପରେ ନିଜେ ଯାଇ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ।
ଘରୋଇ କମ୍ପାନୀର ଏକ କ୍ରସରକୁ ଜଗୁଥିବା ଜଗୁଆଳି ସନାତନ ମୁଣ୍ଡାଙ୍କୁ ବୀଭତ୍ସ ଭାବେ ହତ୍ୟା କରି ଫିଙ୍ଗି ଦେଇଛି ଅଭିଯୁକ୍ତ ଜୟରାମ ମୁଣ୍ଡା। ଗତ ରାତିରେ କମ୍ପାନୀ ସାମଗ୍ରୀ ଜଗି ରହିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ସର୍ଗିଗଡ଼ ଗାଁରେ ନୂତନ ଖଣି ଖୋଲିବାକୁ ନେଇ ପୂର୍ବରୁ ଅଶାନ୍ତି ଲାଗିରହିଥିଲା । ସୂଚନାନୁଯାୟୀ, ପାନପୋଷିଆ ଗାଁର ସନାତନ ମୁଣ୍ଡା କ୍ରସରରେ ୱାଚ ମ୍ୟାନ୍ ଭାବେ ରାତିରେ କାମ କରନ୍ତି । ସୋମବାର ସନ୍ଧ୍ୟାରେ କାମ ପାଇଁ ଘରୁ ବାହାଥିଲେ । କ୍ରସରରେ ପହଞ୍ଚିବା ପରେ ସେଠାରେ ଥିବା ଗାଡ଼ିରୁ ବ୍ୟାଟେରୀ ଚୋରି ହୋଇଥିବା ଦେଖିଥିଲେ।
ନିକଟ ସର୍ଗିଗଡ଼ ବସ୍ତିରେ ରହୁଥିବା ଜୟରାମ ମୁଣ୍ଡାଙ୍କୁ ବ୍ୟାଟେରି ଚୋରି ସମ୍ପର୍କରେ ପଚାରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ଜୟରାମ ଘରୁ ଟାଙ୍ଗିଆ ଆଣି ସନାତନଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସନାତନଙ୍କ ମୃତ୍ୟୁ ହୋଇଥିଲା । ହତ୍ୟାକାଣ୍ଡ ପରେ ଜୟରାମ ନିଜେ ଆସି କୋଇଡା ଥାନାରେ ଆତ୍ମସମର୍ପଣ କରିଥିଲେ । କୋଇଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

