Latest Odisha News

BREAKING NEWS

କୋରାପୁଟ କଫିର ବ୍ରାଣ୍ଡିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ସରକାରୀ ଗିଫ୍ଟ ହାମ୍ପରରେ ସ୍ଥାନ ପାଇବ ଆଦିବାସୀ ଚାଷୀଙ୍କ ସଫଳତାର ସ୍ୱାଦ

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସ୍ୱଦେଶୀ ଉତ୍ପାଦ ‘କୋରାପୁଟ କଫି’ (Koraput Coffee) ର ପ୍ରଚାର ଓ ପ୍ରସାର ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ନିଷ୍ପତ୍ତି ଅନୁଯାୟୀ, ଏଣିକି ସମସ୍ତ ସରକାରୀ ବୈଠକରେ କୋରାପୁଟ କଫି ପରିବେଷଣ କରାଯିବ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ପ୍ରଦାନ କରାଯାଉଥିବା ସ୍ମାରକୀ ଉପହାର ବା ଗିଫ୍ଟ ହାମ୍ପର (Gift Hampers) ରେ ମିଳିବ କୋରାପୁଟ କଫି। ସରକାରୀ କାର୍ଯ୍ୟକ୍ରମର ଉପହାର କିଟ୍‌ରେ ମଧ୍ୟ ଏହାକୁ ସାମିଲ କରାଯିବ।

ଓଡ଼ିଶାର ଏହି ସ୍ୱଦେଶୀ ଗର୍ବକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଓଡ଼ିଶାର ସ୍ୱଦେଶୀ ଉତ୍ପାଦ “କୋରାପୁଟ କଫି’ର ପ୍ରଚାର ଓ ପ୍ରସାର ସହ ଏହାକୁ ଜାତୀୟସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଦିଗରେ ଲୋକଙ୍କ ସରକାର ପ୍ରତିବଦ୍ଧ । ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଏହା ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମସ୍ତ ବିଭାଗ, ନିଗମ ଓ କ୍ଷେତ୍ରୀୟ କାର୍ଯ୍ୟାଳୟର ସରକାରୀ ବୈଠକମାନଙ୍କରେ କୋରାପୁଟ କଫି ପରିବେଷଣ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ପ୍ରସ୍ତୁତ କରାଯାଉଥିବା ସ୍ମାରକୀ ଉପହାର କିଟ୍ରେ ମଧ୍ୟ କୋରାପୁଟ କଫି ରହିବ । ଏହି ପଦକ୍ଷେପ ଦ୍ୱାରା ଜନଜାତି କଫି ଚାଷୀ, ବିଶେଷ କରି ମହିଳା ଉତ୍ପାଦକମାନଙ୍କର ଆର୍ଥିକ ଉନ୍ନତି ହେବ । ତା’ସହିତ ନୂତନ ବଜାର ସୁଯୋଗକୁ ପ୍ରୋତ୍ସାହନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି।

ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଆଗତ ଦେଶୀ ଓ ବିଦେଶୀ ପ୍ରତିନିଧି ଏବଂ ସାମ୍ବାଦିକମାନଙ୍କୁ ଦିଆଯାଇଥିବା ସ୍ୱତନ୍ତ୍ର ‘ମିଡିଆ କିଟ୍’ରେ କୋରାପୁଟର ପ୍ରସିଦ୍ଧ ଅର୍ଗାନିକ ଆରବିକା କଫି ‘ଟାଇଗର ବ୍ରାଇଟ୍’ (Tiger Bright) କୁ ସ୍ଥାନ ଦିଆଯାଇଥିଲା। ଏହା ବିଶ୍ୱ ଦରବାରରେ ଓଡ଼ିଶାର କଫିକୁ ବେଶ୍ ପ୍ରଶଂସିତ କରିଛି। ଏହି ପଦକ୍ଷେପ ଦ୍ୱାରା “ଭୋକାଲ ଫର ଲୋକାଲ” (Vocal for Local) ଚିନ୍ତାଧାରା ଅଧିକ ମଜବୁତ ହେବା ସହ କୋରାପୁଟର ପାହାଡ଼ିଆ ଅଞ୍ଚଳରେ ରହୁଥିବା ଆଦିବାସୀ ଚାଷୀ ଓ ମହିଳାମାନଙ୍କ ଜୀବିକା ଏବଂ ସେମାନଙ୍କ ପରିଶ୍ରମକୁ ବିଶ୍ୱ ସ୍ତରରେ ଏକ ନୂଆ ମଞ୍ଚ ମିଳିପାରିବ।

Leave A Reply

Your email address will not be published.