ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସିଙ୍ଗର ସୋନା ମହାପାତ୍ର । ଏଥର କିନ୍ତୁ ତାଙ୍କ ଗୀତ ପାଇଁ ନୁହେଁ ବରଂ ରାଜନୈତିକ ବକ୍ତବ୍ୟ ପାଇଁ ଶିରୋନାମାରେ ସୋନା । ରାହୁଲ କହୁଛନ୍ତି, ଗଣତନ୍ତ୍ରକୁ ସୁଧାରିବାକୁ ପଡିବ । ତେଣୁ ତାଙ୍କୁ ଟାର୍ଗେଟ କରି ସୋନା କହିଛନ୍ତି ଗଣତନ୍ତ୍ରକୁ ସଜାଡିବା ପୂର୍ବରୁ ପ୍ରଥମେ ହିମାଚଳ ପ୍ରଦେଶର ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ପାହାଡ ଉପରେ ପଡିଥିବା ଅଳିଆ-ଆବର୍ଜନା, ପ୍ରଦୂଷିତ ନଦୀ କଂଗ୍ରେସ ଶାସିତ ହିମାଚଳପ୍ରଦେଶରେ ଉତ୍ତମ ଶାସନ ବ୍ୟବସ୍ଥା ନେଇ ଥିବା ଆଶା ଉପରେ ଗୁରୁତ୍ୱାରୋପ କରାଯାଇଛି । ୯ ବର୍ଷ ପରେ ନିଜ ରାଜ୍ୟକୁ ଫେରିବା ପରେ ପାହାଡ ଉପରେ ପଡିଥିବା ଆବର୍ଜନା ଏବଂ ନଦୀଗୁଡିକର ଦୟନୀୟ ଅବସ୍ଥା ଦେଖି ସୋନା ଆଶ୍ଚର୍ୟ ଏବଂ ମର୍ମାହତ ହୋଇଥିବା କହିଛନ୍ତି । ଏନେଇ ସୋନା ମହାପାତ୍ର ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ ସେୟାର କରି ରାହୁଲଙ୍କୁ ଟ୍ୟାଗ୍ କରିଛନ୍ତି । ହିମାଚଳ ପ୍ରଦେଶକୁ ଶାସନ ବ୍ୟବସ୍ଥାର ଏକ ଆଦର୍ଶ ଉଦାହରଣ ଭାବେ ଗଢି ତୋଳିବାକୁ ଅନୁରୋଧ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ମୋଦି ସରକାରଙ୍କ ବିଷୟରେ କଂଗ୍ରେସ ନେତାଙ୍କ ସାମ୍ପ୍ରତିକ ମନ୍ତବ୍ୟର ପ୍ରତିକ୍ରିୟା ସ୍ୱରୂପ ସୋନା ଏପରି ପ୍ରତିକ୍ରିୟା ରଖିଛନ୍ତି । ଜ୍ଞାନେଶ କୁମାର ଓ ମୋଦି ସରକାର ଗଲାପରେ ଗଣତନ୍ତ୍ରରେ ସୁଧାର ହେବ ବୋଲି ରାହୁଲ କହିଥିଲେ । ଏହାକୁ କାଉଂଟର କରି ସୋନା ଗଣତନ୍ତ୍ରରେ ସଂସ୍କାର ଆଣିବା ପୂର୍ବରୁ ହିମାଚଳ ସ୍ଥିତିରେ ସଂସ୍କାର ଆଣନ୍ତୁ ବୋଲି ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି ।
ସୋନାଙ୍କ ଏହି ପୋଷ୍ଟ ଉପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ରଖିଛନ୍ତି । କିଛି ସୋନାଙ୍କ ସପକ୍ଷରେ ଥିବା ବେଳେ କିଛି ବିପକ୍ଷରେ କହିଛନ୍ତି । କଂଗ୍ରେସ ଶାସିତ ରାଜ୍ୟଗୁଡିକରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ଉଚ୍ଚିତ ବୋଲି ପ୍ରତିକ୍ରିୟା ରଖିଛନ୍ତି । ସୋନାଙ୍କ ପୋଷ୍ଟ ହିମାଚଳର ସ୍ଥିତି ଏବଂ କ୍ଷମତାରେ ଥିବା ସରକାରଙ୍କ ଠାରୁ ଲୋକଙ୍କ ଆଶା ଉପରେ ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟର ଶାସନ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ସୋନା ମହାପାତ୍ର ।

