ନୂଆଦିଲ୍ଲୀ: CJP ନେତାଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯିବା ଘଟଣାକୁ ସେ ‘କାପୁରୁଷତାର କାର୍ଯ୍ୟ’ ବୋଲି କହିଛନ୍ତି। ଏଥିସହ ଜନ୍ତରମନ୍ତରକୁ ପୁଣି ଲୋକଙ୍କ ପ୍ରତିବାଦ ପାଇଁ ଫେରାଇ ଆଣିବାକୁ ହୁଙ୍କାର ଦେଇଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି, ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ଭାବେ ତ୍ରିରଙ୍ଗା ଉଡ଼ାଇବା କୌଣସି ଅପରାଧ ନୁହେଁ। ଏଥିପାଇଁ ଯୁବକଙ୍କୁ ଜେଲ୍ ପଠାଇବା କାପୁରୁଷତା। ଛାତ୍ର, ଯୁବକ, ସାମ୍ବାଦିକ ଓ ଇଣ୍ଡିଆ ମେଣ୍ଟ ଭିନ୍ନ ଭିନ୍ନ ବ୍ୟାନରରେ ଆନ୍ଦୋଳନ କରୁଥିଲେ ମଧ୍ୟ ସମସ୍ତଙ୍କ ଉଦ୍ଦେଶ୍ୟ ଏକ। ନାଗରିକମାନେ ସେମାନଙ୍କ ସାମ୍ବିଧାନିକ ଅଧିକାର ଦାବି କରୁଛନ୍ତି ବୋଲି ସେ କହିଛନ୍ତି।
ଗତ ୧୩ ଅକ୍ଟୋବରରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ କରିବାକୁ ଯାଇ CJP ନେତା ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ସିନ୍ଦେ ଜନ୍ତରମନ୍ତରରେ ପହଞ୍ଚିଥିଲେ। ତାଲା ପଡ଼ିଥିବା ଫାଟକ ଡେଇଁ ଭିତରକୁ ପ୍ରବେଶ କରି ଆନ୍ଦୋଳନ କରିଥିବା ଅଭିଯୋଗରେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା।
ଏହାର ଗୋଟିଏ ଦିନ ପୂର୍ବରୁ ଜନ୍ତରମନ୍ତରକୁ ନିର୍ଦ୍ଧାରିତ ପ୍ରତିବାଦ ସ୍ଥଳ ତାଲିକାରୁ ବାଦ୍ ଦିଆଯାଇଥିଲା। ପୋଲିସ ଅଭିଯୋଗ କରିଥିଲା ଯେ, ସେମାନେ ସାର୍ବଜନୀନ ଶାନ୍ତି ଭଙ୍ଗ କରିଛନ୍ତି ଏବଂ ପୂର୍ବରୁ ଦିଆଯାଇଥିବା ବଣ୍ଡର ସର୍ତ୍ତ ଉଲ୍ଲଂଘନ କରିଛନ୍ତି। ଆନ୍ଦୋଳନ ପାଇଁ ଲୋକଙ୍କୁ ଡାକରା ଦେଇଥିବା ଅଭିଯୋଗ ମଧ୍ୟ ପୋଲିସ ଆଣିଥିଲା।
ମନ୍ଦିର ମାର୍ଗରେ ଥିବା ସ୍ପେଶାଲ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ହାଜର ପରେ ସୌରଭ ଓ ଆଶୁତୋଷଙ୍କୁ ୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଅନ୍ୟପଟେ ଅଜିଙ୍କ୍ୟ ସିନ୍ଦେ ୫ ହଜାର ଟଙ୍କାର ବଣ୍ଡ ଦେଇ ଜାମିନରେ ମୁକ୍ତ ହୋଇଛନ୍ତି। ଏକ ବର୍ଷ ପର୍ଯ୍ୟନ୍ତ ସାର୍ବଜନୀନ ଶାନ୍ତି ଭଙ୍ଗ କରିପାରୁଥିବା କାର୍ଯ୍ୟରେ ସାମିଲ ନହେବାକୁ ତାଙ୍କୁ ସର୍ତ୍ତ ଦିଆଯାଇଛି।
ଏହି ଘଟଣାରେ ପ୍ରଥମଥର ପାଇଁ CJPର ଆନ୍ଦୋଳନକୁ ସମର୍ଥନ ଜଣାଇ ରାହୁଲ ଗାନ୍ଧି କହିଛନ୍ତି, ଜନ୍ତରମନ୍ତର ଭାରତର ଲୋକଙ୍କର ଏବଂ ଏହାକୁ ପୁଣି ଫେରାଇ ଆଣିବାକୁ ସେମାନେ ଲଢ଼େଇ କରିବେ।

