Latest Odisha News

BREAKING NEWS

CJP Protest: ‘ତ୍ରିରଙ୍ଗା ଉଡ଼ାଇବା କ’ଣ ଭୁଲ୍?’ ଦୁଇ ନେତା ଜେଲ୍ ଯିବା ପରେ ସରକାରଙ୍କ ଉପରେ ବର୍ଷିଲେ ଅଭିଜିତ ଦୀପକେ…

ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (CJP)ର ଦୁଇ ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯିବା ପରେ ମୁହଁ ଖୋଲିଛନ୍ତି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ। ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ସେ ପ୍ରଶ୍ନ କରିଛନ୍ତି, “ସେମାନଙ୍କର ଭୁଲ୍ କ’ଣ? ଜନ୍ତରମନ୍ତରରେ ତ୍ରିରଙ୍ଗା ଉଡ଼ାଇବା?” ଏଥିସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଆନୁଷ୍ଠାନିକ ଭାବେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ସାହସ ଦେଖାଇବା ପାଇଁ ଆହ୍ୱାନ ଦେଇଛନ୍ତି।

ଗତ ୧୩ ଅକ୍ଟୋବରରେ ଦିଲ୍ଲୀର ଜନ୍ତରମନ୍ତର ନିଷିଦ୍ଧ ଅଞ୍ଚଳରେ ବିନା ଅନୁମତିରେ ପ୍ରବେଶ କରି ନାରାବାଜି କରିବା ଅଭିଯୋଗରେ ପୋଲିସ ସୌରଭ ଦାସ, ଆଶୁତୋଷ ରାଙ୍କା ଓ ଅଜିଙ୍କ୍ୟ ସିନ୍ଦେଙ୍କୁ ଅଟକ ରଖିଥିଲା। ପରେ ସୌରଭ ଓ ଆଶୁତୋଷଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇ ୫ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଅନ୍ୟପଟେ ଅଜିଙ୍କ୍ୟଙ୍କଠାରୁ ୫ ହଜାର ଟଙ୍କାର ବଣ୍ଡ ନିଆଯାଇଛି। ଏକ ବର୍ଷ ପର୍ଯ୍ୟନ୍ତ ଶାନ୍ତି ବଜାୟ ରଖିବାକୁ ତାଙ୍କୁ ସର୍ତ୍ତ ଦିଆଯାଇଛି।

ଅଭିଜିତ ଦୀପକେ କହିଛନ୍ତି, ନିର୍ବାଚନରେ ଅନିୟମିତତା ଓ ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (SIR) ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ସେମାନଙ୍କ ଲଢ଼େଇ ଜାରି ରହିବ। ଇଣ୍ଡିଆ ମେଣ୍ଟ ସହ ମତଭେଦ ନାହିଁ; ଉଭୟଙ୍କ ଉଦ୍ଦେଶ୍ୟ ଏକ ବୋଲି ସେ କହିଛନ୍ତି। CJP ଏକ ସ୍ୱାଧୀନ ଚାପ ସୃଷ୍ଟିକାରୀ ଗୋଷ୍ଠୀ ଭାବେ କାମ କରିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ପୋଲିସ କମିଶନର ଅନୁରାଗ କୁମାରଙ୍କ ୧୧ ଅକ୍ଟୋବର ଆଦେଶ ଅନୁସାରେ ରାମଲୀଳା ମୈଦାନ, ବୁରାଡ଼ି ମୈଦାନ ଓ CBD ମୈଦାନକୁ ପ୍ରତିବାଦ ପାଇଁ ନିର୍ଦ୍ଧାରିତ ସ୍ଥାନ ଘୋଷଣା କରାଯାଇଛି। ଏହି ତାଲିକାରୁ ଜନ୍ତରମନ୍ତରକୁ ବାଦ୍ ଦିଆଯାଇଛି। CJP ଏହାକୁ ସମାଲୋଚନା କରି କହିଛି, ରାଜନୈତିକ କେନ୍ଦ୍ରଠାରୁ ପ୍ରତିବାଦକୁ ଦୂରେଇ ନେଲେ ଲୋକଙ୍କ ସ୍ୱର ଦୁର୍ବଳ ହେବ। ଯାହାକୁ ନେଇ ଏବେ ଗରମ ରହିଛି ଦିଲ୍ଲୀ ରାଜନୀତି ।

Leave A Reply

Your email address will not be published.