Latest Odisha News

BREAKING NEWS

ପୂଜାକୁ ପାଣିଚିଆ କରିଦେବକି ବର୍ଷା! ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ରାଜ୍ୟରେ ୪ ଦିନ ବର୍ଷା ଆଲର୍ଟ

ଭୁବନେଶ୍ୱର: ଲଘୁଚାପ ଭିଜାଇବ କି ପୂଜା ମାହୋଲ! ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି। ଫଳରେ ଆଜିଠୁ ରାଜ୍ୟରେ ୪ ଦିନ ପାଇଁ ବର୍ଷା ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉପକୂଳ ଏବଂ ଦକ୍ଷିଣ ଓଡିଶାର ୫ ଜିଲ୍ଲାରେ ଝଡ଼ବର୍ଷା ନେଇ ପାଣିପାଗ ବିଭାଗର ଚେତାବନୀ ଦେଇଛି। ତେବେ ରାଜ୍ୟରେ ନାହିଁ ବାତ୍ୟାର ଆଶଙ୍କା।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ଓଡ଼ିଶାରେ ଅକ୍ଟୋବର ୧୪ ରୁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଝଡ଼ବର୍ଷା ଏବଂ ବିଜୁଳି-ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପ୍ରକ୍ରିୟା ମଧ୍ୟରେ ଏହି ପରିବର୍ତ୍ତନ ଦେଖାଦେଇଛି। ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି ।

ବଜ୍ରପାତ ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ବଜ୍ରପାତରୁ ରକ୍ଷା ପାଇବା ପାଇଁ ଝଡ଼ବର୍ଷା ସମୟରେ ଖୋଲା ସ୍ଥାନ ବା ଗଛ ମୂଳେ ନରହି ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଯିବାକୁ ପରାମର୍ଶ ଦିଆଯାଇଛି । ଆଗାମୀ ତିନି ଦିନ ପର୍ଯ୍ୟନ୍ତ ମଧ୍ୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୧୪ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି ।

ସେହିପରି ଅକ୍ଟୋବର ୧୫ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ଓ ଝଟକା ପବନର ଆଶଙ୍କା ରହିଛି । ଏହି ୫ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଘଡ଼ଘଡ଼ି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିପାରେ। ଅନ୍ୟପକ୍ଷରେ ରାଜ୍ୟରୁ ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଛି । ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀ ବାୟୁ ଫେରିବା ପାଇଁ ପାଗ ଅନୁକୂଳ ରହିଛି ।

Leave A Reply

Your email address will not be published.