ଆଜି ଛାତ୍ର ସଂସଦ ନିର୍ବାଚନ; ୬,୮୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା…
ମୋଟ ୬,୮୯୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି
ଭୁବନେଶ୍ୱର: ଓଡ଼ିଶାର ୩୫୯ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିମଧ୍ୟରେ ୩୪୬ଟି କଲେଜ ଏବଂ ୧୩ଟି ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ସକାଳୁ ଓଡ଼ିଶାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରେ ଆରମ୍ଭ ହୋଇଥିବା ଏହି ମତଦାନ ପ୍ରକ୍ରିୟା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ।
ସୂଚନା ଅନୁଯାୟୀ, ସକାଳ ୮ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଫଳାଫଳ ଆସିବ ବୋଲି ଆଶା କରାଯାଉଛି। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଏବଂ ନାକଚ ପରେ ମୋଟ ୬,୮୯୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬,୫୩୩ ଜଣ କଲେଜରେ ଏବଂ ୩୫୮ ଜଣ ବିଶ୍ୱବିଦ୍ୟାଳୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୪୫.୨ ପ୍ରତିଶତ ରହିଛି। ସେହିପରି କଲେଜ ସ୍ତରରେ ସଭାପତି ପଦ ପାଇଁ ୮୨୮ ଜଣ, ଉପ-ସଭାପତି ପଦ ପାଇଁ ୬୯୭ ଜଣ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ୫୯୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଅନ୍ୟପକ୍ଷରେ ମତଦାନ ଶେଷ ହେବା ପରେ ଭୋଟ୍ ଗଣତି ଆରମ୍ଭ ହେବ ଏବଂ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ ବୋଲି ଆଶା କରାଯାଉଛି।
କିଛି କଲେଜରେ ନିର୍ବାଚନକୁ ନେଇ ଅଶାନ୍ତି ସୃଷ୍ଟି ହୋଇଥିଲା। ସେହିପରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ କର୍ତ୍ତୃପକ୍ଷ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଢେଙ୍କାନାଳର ଓଡ଼ପଡ଼ା କଲେଜ ଏବଂ ଝାରସୁଗୁଡ଼ାର ଏଲ୍.ଏନ୍. (LN) କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାଇନ୍-ଡାଏ ଘୋଷଣା କରାଯାଇଛି। ଓଡ଼ପଡ଼ା କଲେଜରେ ଛାତ୍ର ଅଶାନ୍ତି କାରଣରୁ ପ୍ରଶାସନ ନିର୍ବାଚନକୁ ବାତିଲ କରିଦେଇଛି। ନିର୍ବାଚନ ବାତିଲ ହେବାକୁ ନେଇ ଗଞ୍ଜାମ କଲେଜରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ କଲେଜରେ ଅଧ୍ୟକ୍ଷଙ୍କୁ ଧମକ ଦେଇ ଏକ ପୋଷ୍ଟର କଲେଜ ପରିସର ବାହାରେ ଲଗାଯାଇଥିବା ଦେଖିବାକୁ ମିଳିଥିଲା।

