Latest Odisha News

BREAKING NEWS

Quota for Converts: ଧର୍ମ ବଦଳାଇଲେ ମିଳିବନି ପୁରୁଣା ସାମାଜିକ ପଛୁଆ ବର୍ଗର ସୁବିଧା! ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କଲେ ଆପେଆପେ ମିଳିବନି ପୂର୍ବ ଧର୍ମର ସାମାଜିକ ପଛୁଆ ବର୍ଗର ମାନ୍ୟତା ଓ ସଂରକ୍ଷଣ ସୁବିଧା। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖି ଏଭଳି ମତ ଦେଇଛନ୍ତି ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି, ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରି ଅନ୍ୟ ଧର୍ମକୁ ଗଲେ, ପୂର୍ବ ଧର୍ମର ସାମାଜିକ ପଛୁଆପଣକୁ ସେହି ଧର୍ମକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ।

ବିଚାରପତି ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ ଏହି ମତ ଦେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୧୬(୪) ଅନୁଯାୟୀ ସଂରକ୍ଷଣ ପାଇବା ପାଇଁ କେବଳ ପୂର୍ବ ଧର୍ମର ସାମାଜିକ ପଛୁଆପଣକୁ ଆଧାର କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଏହି ମାମଲାର ତାମିଲନାଡୁର ସମୀର ଅହମ୍ମଦଙ୍କ ସହ ଜଡିତ ରହିଛି। ସେ ୨୦୧୫ରେ ହିନ୍ଦୁ ଧର୍ମରୁ ଇସଲାମ ଧର୍ମକୁ ପରିବର୍ତ୍ତନ କରିଥିଲେ ଏବଂ ୨୦୧୬ରେ ଏହାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରେ ସେ ସଂରକ୍ଷଣ ସୁବିଧା ପାଇବା ପାଇଁ ନିଜକୁ ‘ମୁସଲିମ ଲେବ୍ବାଇ’ ସମ୍ପ୍ରଦାୟର ସଦସ୍ୟ ଭାବେ ଦର୍ଶାଉଥିବା ପ୍ରମାଣପତ୍ର ଚାହିଁଥିଲେ। କିନ୍ତୁ ତହସିଲଦାର ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଏହାପରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାଡ୍ରାସ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ତାମିଲନାଡୁ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏବେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଛନ୍ତି।

ଏହି ରାୟରେ ୧୯୫୦ ମସିହାର ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶକୁ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ଆଦେଶ ଅନୁଯାୟୀ, ଅନୁସୂଚିତ ଜାତିର ମାନ୍ୟତା ହିନ୍ଦୁ, ଶିଖ୍ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ନିର୍ଦ୍ଧାରିତ ସର୍ତ୍ତାବଳୀ ଅଧୀନରେ ଲାଗୁ ହୁଏ। ତେବେ ଏହି ରାୟର ଅର୍ଥ ନୁହେଁ ଯେ ଧର୍ମ ପରିବର୍ତ୍ତନ କରିଥିବା ସମସ୍ତ ବ୍ୟକ୍ତି କୌଣସି ପ୍ରକାର ସଂରକ୍ଷଣ ପାଇପାରିବେ ନାହିଁ; ସମ୍ପୃକ୍ତ ସମ୍ପ୍ରଦାୟର ଆଇନଗତ ବର୍ଗୀକରଣ ଓ ଯୋଗ୍ୟତା ଉପରେ ଏହା ନିର୍ଭର କରିବ।

Leave A Reply

Your email address will not be published.