Latest Odisha News

BREAKING NEWS

Odisha Student Elections: ଶାନ୍ତି ଶୃଙ୍ଖଳାରେ ଭୋଟ୍ ଦେବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଏହି ଛାତ୍ର ନିର୍ବାଚନ ଅନଷ୍ଠିତ ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କ୍ୟାମ୍ପସ ନିର୍ବାଚନ ଗଣତନ୍ତ୍ରର ମୂଳ ନୀତିକୁ ପ୍ରତିପାଦନ କରେ ଏବଂ ଭବିଷ୍ୟତର ନେତୃତ୍ୱକୁ ଗଠନ କରେ। ଛାତ୍ର ସଂସଦ ନିର୍ବାଚନ କେବଳ ପ୍ରତିନିଧି ବାଛିବାର ଏକ ପ୍ରକ୍ରିୟା ନୁହେଁ, ବରଂ ଏହା ଗଣତନ୍ତ୍ରର ମୂଳଦୁଆ ଏବଂ ଭବିଷ୍ୟତର ନେତୃତ୍ୱ ଗଠନର ଏକ ମୁଖ୍ୟ ମାଧ୍ୟମ। ଆଜି କ୍ୟାମ୍ପସରେ ଆପଣମାନେ ଯେଉଁ ମୂଲ୍ୟବୋଧ, ଶୃଙ୍ଖଳା ଓ ଆଦର୍ଶର ଅଭ୍ୟାସ କରିବେ, ତାହା ଆଗାମୀ ଦିନରେ ଆମ ରାଜ୍ୟ ତଥା ଦେଶକୁ ଏକ ନୂତନ ଦିଗ୍‌ଦର୍ଶନ ଦେବ।

ତେଣୁ କୌଣସି ପ୍ରକାର ହିଂସା, ଗୁଜବ ବା ବିଭେଦର ଶିକାର ନ ହୋଇ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଏହି ନିର୍ବାଚନରେ ସାମିଲ ହୁଅନ୍ତୁ। ସମସ୍ତ ଛାତ୍ର ଛାତ୍ରୀ ଓ ପ୍ରାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।

ଉଲ୍ଲେଖଯୋଗ୍ୟ, ଓଡ଼ିଶାର ୩୫୯ଟି ଉଚ୍ଚଶିକ୍ଷା ଅନୁଷ୍ଠାନରେ ଆଜି ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିମଧ୍ୟରେ ୩୪୬ଟି କଲେଜ ଏବଂ ୧୩ଟି ବିଶ୍ୱବିଦ୍ୟାଳୟ ଅନ୍ତର୍ଭୁକ୍ତ। ମୋଟ ୬,୮୯୧ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଏମାନଙ୍କ ମଧ୍ୟରୁ ୬,୫୩୩ ଜଣ କଲେଜରେ ଏବଂ ୩୫୮ ଜଣ ବିଶ୍ୱବିଦ୍ୟାଳୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମୋଟ ପ୍ରାର୍ଥୀଙ୍କ ମଧ୍ୟରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ୪୫.୨ ପ୍ରତିଶତ ରହିଛି। ସେହିପରି କଲେଜ ସ୍ତରରେ ସଭାପତି ପଦ ପାଇଁ ୮୨୮ ଜଣ, ଉପ-ସଭାପତି ପଦ ପାଇଁ ୬୯୭ ଜଣ ଏବଂ ସାଧାରଣ ସମ୍ପାଦକ ପଦ ପାଇଁ ୫୯୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Leave A Reply

Your email address will not be published.