Latest Odisha News

BREAKING NEWS

Illegal Highway Parking: ରାଜପଥରେ ଟ୍ରକ୍ ପାର୍କିଂ କଲେ ଆଉ ନିସ୍ତାର ନାହିଁ! କମ୍ପାନୀ ଉପରେ ବି ହେବ କାର୍ଯ୍ୟାନୁଷ୍ଠାନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ରାଜପଥ ଉପରେ ଟ୍ରକ୍ ରଖିଲେ ଆଉ ଚଳିବ ନାହିଁ! ରାସ୍ତାକୁ ନିଜର ପାର୍କିଂ ସ୍ଥଳୀ ଭାବି ଯେଉଁମାନେ ଭାରୀଯାନ ରଖୁଛନ୍ତି, ସେମାନଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ। କେବଳ ଗାଡ଼ି ଚାଳକ ନୁହେଁ, ରାଜପଥରେ ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣାର କାରଣ ପାଲଟୁଥିବା ଶିଳ୍ପ ଓ ଖଣି କମ୍ପାନୀଗୁଡ଼ିକୁ ମଧ୍ୟ ଦାୟୀ କରିବାକୁ ଦାବି ଉଠିଛି। ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ରାଜ୍ୟର ବିଭିନ୍ନ ଖଣି ଓ ଶିଳ୍ପାଞ୍ଚଳ ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ଭାରୀଯାନଗୁଡ଼ିକ ବେଆଇନ ଭାବେ ଧାଡ଼ି ଧାଡ଼ି ହୋଇ ରହୁଛନ୍ତି। ଏହାଦ୍ୱାରା ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଛି। ରାସ୍ତା ଉପରେ ଏଭଳି ଟ୍ରକ୍‌ ଧାଡ଼ି ଯାତ୍ରୀ, ଦୁଇଚକିଆ ଚାଳକ ଓ ଅନ୍ୟ ଗାଡ଼ିର ଲୋକଙ୍କ ସୁରକ୍ଷା ପାଇଁ ବଡ଼ ବିପଦ ବୋଲି ଧର୍ମେନ୍ଦ୍ର ଚିନ୍ତା ପ୍ରକାଶ କରିଛନ୍ତି।

ତାଙ୍କ ମତରେ, ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକର ଲଜିଷ୍ଟିକ୍ସ ପରିଚାଳନାରେ ତ୍ରୁଟି ଏବଂ ଭାରୀଯାନ ପାଇଁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥଳର ଅଭାବ ଏହି ସମସ୍ୟାକୁ ଅଧିକ ଜଟିଳ କରୁଛି। ତେଣୁ ଶିଳ୍ପ ସଂସ୍ଥାଗୁଡ଼ିକ ରାସ୍ତା ବାହାରେ ଆବଶ୍ୟକ ସୁବିଧା ଥିବା ହୋଲ୍ଡିଂ ୟାର୍ଡ ବା ଅପେକ୍ଷାସ୍ଥଳ ନିର୍ମାଣ କରିବା ଉଚିତ୍‌, ଯାହାଦ୍ୱାରା ଟ୍ରକ୍‌ଗୁଡ଼ିକୁ ସାଧାରଣ ରାସ୍ତା ଉପରେ ଅଟକି ରହିବାକୁ ପଡ଼ିବ ନାହିଁ।

ଧର୍ମେନ୍ଦ୍ର ଚିଠିରେ ସୁପ୍ରିମକୋର୍ଟଙ୍କ ରାଜପଥ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶର ମଧ୍ୟ ଉଲ୍ଲେଖ କରିଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନର ଅଧିକାର ସହ ସୁରକ୍ଷିତ ଯାତାୟାତ ମଧ୍ୟ ଜଡ଼ିତ ବୋଲି ସେ ଦର୍ଶାଇଛନ୍ତି। ଏଥିସହ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ଆଇନରେ ଥିବା ଜରିମାନା, ଗାଡ଼ି ଜବତ, ମାଲ୍‌ ଅଟକ ରଖିବା ଏବଂ ଅତ୍ୟଧିକ ଭାର ବୋହିବା ଭଳି ଉଲ୍ଲଂଘନ ବିରୋଧରେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବାକୁ ଆହ୍ୱାନ ଦେଇଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କ ନେତୃତ୍ୱରେ ଥିବା ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସକୁ ସକ୍ରିୟ କରିବା, ୨୪ ଘଣ୍ଟିଆ ନଜରଦାରି, ସ୍ୱୟଂଚାଳିତ ଇ-ଚାଲାଣ ଏବଂ ଆବଶ୍ୟକସ୍ଥଳେ ଗାଡ଼ି ଜବତ କରିବା ଭଳି ପଦକ୍ଷେପ ନେବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଲଜିଷ୍ଟିକ୍ସ ସଂସ୍ଥାଗୁଡ଼ିକୁ କଡ଼ା ନୋଟିସ୍‌ ଦେବା ସହ ନିୟମ ଉଲ୍ଲଂଘନ ପ୍ରତି ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ମଧ୍ୟ କହିଛନ୍ତି।

ଧର୍ମେନ୍ଦ୍ରଙ୍କ ମତରେ, ଶିଳ୍ପର ସୁବିଧାଠାରୁ ଲୋକଙ୍କ ଜୀବନ ଅଧିକ ମୂଲ୍ୟବାନ। ତେଣୁ ରାଜ୍ୟ ସରକାର କଠୋର ପଦକ୍ଷେପ ନେଲେ ଖଣି ଓ ଶିଳ୍ପାଞ୍ଚଳର ରାଜପଥଗୁଡ଼ିକ ଅଧିକ ସୁରକ୍ଷିତ ହେବା ସହ ଯାତାୟାତ ବ୍ୟବସ୍ଥା ମଧ୍ୟ ସୁଧୁରିପାରିବ।

Leave A Reply

Your email address will not be published.