ଚେନ୍ନାଇ: ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା। ପଛୁଆ ବର୍ଗ ମୁସଲିମ (BC-Muslim) ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ, କୌଣସି ହିନ୍ଦୁ ବ୍ୟକ୍ତି ଇସଲାମ ଧର୍ମ ଗ୍ରହଣ କଲେ, ସେ କେବଳ ଧର୍ମ ପରିବର୍ତ୍ତନ ଆଧାରରେ BC-Muslim କୋଟା ବା ସଂରକ୍ଷଣର ଲାଭ ପାଇପାରିବେ ନାହିଁ। ତାମିଲନାଡୁ ସରକାରଙ୍କ ଏକ ଆଦେଶକୁ ରଦ୍ଦ କରି ମାଡ୍ରାସ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ, ତାହାକୁ ସୁପ୍ରିମକୋର୍ଟ ବଜାୟ ରଖିଛନ୍ତି।
ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ କହିଛନ୍ତି ଯେ, ହିନ୍ଦୁ ସମାଜରେ ଥିବା ଜାତିଗତ ପଛୁଆପଣ (Backwardness) ଧର୍ମ ପରିବର୍ତ୍ତନ ପରେ ଅନ୍ୟ ଧର୍ମକୁ ହସ୍ତାନ୍ତର ବା ‘କ୍ୟାରି ଫରୱାର୍ଡ’ କରାଯାଇପାରିବ ନାହିଁ। ତାମିଲନାଡୁ ସରକାର ୨୦୨୪ ମାର୍ଚ୍ଚରେ ଏକ ସରକାରୀ ନିର୍ଦ୍ଦେଶ (GO) ଜାରି କରିଥିଲେ, ଯେଉଁଥିରେ ହିନ୍ଦୁ ଧର୍ମର BC, MBC (ସବୁଠାରୁ ପଛୁଆ ବର୍ଗ) ଏବଂ SC (ଅନୁସୂଚିତ ଜାତି) ବର୍ଗର ଲୋକମାନେ ଇସଲାମ ଧର୍ମ ଗ୍ରହଣ କଲେ ସେମାନଙ୍କୁ ପଛୁଆ ବର୍ଗ ମୁସଲିମ (BCM) ଭାବେ ଗ୍ରହଣ କରି ୩.୫% ସବ୍-କୋଟା ସଂରକ୍ଷଣ ସୁବିଧା ଦେବାକୁ କୁହାଯାଇଥିଲା। କୋର୍ଟ ଏହି ଆଦେଶକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ଘୋଷଣା କରିଛନ୍ତି।
କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତି ଇସଲାମ ଧର୍ମ ଗ୍ରହଣ କରିବା ପରେ ସେ କେବଳ ଜଣେ ‘ମୁସଲିମ’ ହୋଇଯାନ୍ତି। ମୁସଲିମ ସମାଜରେ ପୂର୍ବରୁ ଚିହ୍ନଟ ହୋଇଥିବା ପଛୁଆ ଶ୍ରେଣୀ (ଯେପରିକି ଲାବ୍ବାଇ, ଡେକାନି ଆଦି) କେବଳ ଜନ୍ମ ଆଧାରରେ ନିରୂପିତ ହୁଏ, ଧର୍ମ ପରିବର୍ତ୍ତନ ଦ୍ୱାରା ନୁହେଁ। ଭାରତୀୟ ସମ୍ବିଧାନର ଧାରା ୧୬(୪) ଅନୁଯାୟୀ ସାମାଜିକ ଓ ଶିକ୍ଷାଗତ ପଛୁଆପଣକୁ ଆଧାର କରି ସଂରକ୍ଷଣ ଦିଆଯାଏ। ମାତ୍ର କେବଳ ଧର୍ମ ବଦଳାଇବା ଦ୍ୱାରା ଏହି ସଂରକ୍ଷଣର ଅଧିକାର ଆପେ ଆପେ ମିଳିବ ନାହିଁ ବୋଲି ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।

