ଭୁବନେଶ୍ୱର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଏକ ଭିନ୍ନ ଭୂମିକାରେ ନଜର ଆସିଛନ୍ତି। ଦିଲ୍ଲୀର ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ‘ଲବ-କୁଶ ରାମଲୀଳା’ରେ ସେ ଏକ ଚରିତ୍ରରେ ଅଭିନୟ କରିଛନ୍ତି।
ବୁଧବାର ଦିନ ଅନୁଷ୍ଠିତ ଏହି ରାମଲୀଳାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଏହି ବରିଷ୍ଠ ନେତା ରାମାୟଣର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ‘ନିଷାଦରାଜ’ଙ୍କ ଭୂମିକାରେ ନଜର ଆସିଥିଲେ।
ପ୍ରଭୁ ଶ୍ରୀରାମଙ୍କ ବନବାସ ସମୟର ଏକ ମୁଖ୍ୟ ଘଟଣାକ୍ରମ ସହ ଜଡ଼ିତ ଏହି ଚରିତ୍ରରେ ମନ୍ତ୍ରୀ ମଞ୍ଚ ଉପରେ ନଜର ଆସିଥିଲେ। ଏଥିରେ ପ୍ରଭୁ ଶ୍ରୀରାମ ଏବଂ ନିଷାଦରାଜଙ୍କ ମଧ୍ୟରେ ସାକ୍ଷାତ ତଥା ନିଷାଦରାଜଙ୍କ ଦ୍ୱାରା ପ୍ରଭୁ ଶ୍ରୀରାମଙ୍କ ଆତିଥ୍ୟ ସତ୍କାରକୁ ଦର୍ଶାଯାଇଛି।
‘ଏକ୍ସ’ରେ ଏକ ପୋଷ୍ଟ କରି କେନ୍ଦ୍ର ମନ୍ତ୍ରୀ ଲେଖିଛନ୍ତି, “ଗତକାଲି ରାତିରେ ଦିଲ୍ଲୀର ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ପ୍ରସିଦ୍ଧ ‘ଲବ-କୁଶ ରାମଲୀଳା’ ମଞ୍ଚରେ, ମୋତେ କେନ୍ଦ୍ର ମନ୍ତ୍ରୀ ଭାବରେ ନୁହେଁ ବରଂ ପ୍ରଭୁ ଶ୍ରୀରାମଙ୍କ ପରମ ବନ୍ଧୁ ତଥା ଶୃଙ୍ଗବେରପୁରର ରାଜା ‘ନିଷାଦରାଜ’ଙ୍କ ଭୂମିକାରେ ଅଭିନୟ କରିବାର ସୌଭାଗ୍ୟ ମିଳିଲା। ଜୟ ଶ୍ରୀରାମ।”
ଉଲ୍ଲେଖଯୋଗ୍ୟ ଯେ, ପ୍ରଭୁ ରାମଙ୍କ ବନବାସ ଯାତ୍ରା ସହିତ ନିଷାଦରାଜଙ୍କ ସମ୍ପର୍କ ରହିଛି। ‘ଲବ-କୁଶ ରାମଲୀଳା’ରେ ନିଷାଦରାଜଙ୍କ ଭୂମିକା ସମ୍ପର୍କରେ ସେ କହିଛନ୍ତି ଯେ, ବନବାସ ସମୟରେ ପ୍ରଭୁ ଶ୍ରୀରାମଙ୍କ ଆଗମନ ବେଳେ ତାଙ୍କୁ ସ୍ୱାଗତ କରିବା ଏବଂ ପରଦିନ ସକାଳେ ତାଙ୍କୁ ବିଦାୟ ଦେବା ଥିଲା ତାଙ୍କର ଭୂମିକା। “ଏହି କାର୍ଯ୍ୟକ୍ରମର ଅଂଶ ହେବା ଏକ ଚମତ୍କାର ଅନୁଭୂତି ଥିଲା।”
ଦିଲ୍ଲୀର ଲାଲକିଲ୍ଲା ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ଲବ-କୁଶ ରାମଲୀଳା’ ମାଧ୍ୟମରେ ଏହି ମହାକାବ୍ୟକୁ ମଞ୍ଚ ଉପରେ ଉପସ୍ଥାପନ କରାଯାଇଥିଲା।

