Latest Odisha News

BREAKING NEWS

PM Modi Canada visit: ଟ୍ରମ୍ପଙ୍କ ଟାରିଫ୍ ଝଟକା ଭିତରେ ଭାରତ ମୁହାଁ କାନାଡା! ଡିସେମ୍ବରରେ ମୋଦୀଙ୍କ ଗସ୍ତ, ୭୦ ବିଲିୟନ ଡଲାର ବାଣିଜ୍ୟ ଉପରେ ନଜର…

ନୂଆଦିଲ୍ଲୀ: ଆମେରିକା ସହ ସମ୍ପର୍କରେ ଟାରିଫ୍ ଓ ବାଣିଜ୍ୟକୁ ନେଇ ଟଣାଓଟରା ଚାଲିଥିବାବେଳେ ଭାରତ ସହ ସମ୍ପର୍କ ମଜଭୁତ କରିବାକୁ ଆଗ୍ରହ ଦେଖାଉଛି କାନାଡା। ଏହି କ୍ରମରେ ଡିସେମ୍ବର ୧୧ ଓ ୧୨ ତାରିଖରେ କାନାଡା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ଆଲୋଚନା ପରେ ଏହି ଗସ୍ତ ନେଇ ସୂଚନା ଦେଇଛି ଓଟାୱାସ୍ଥିତ ଭାରତୀୟ ହାଇକମିଶନ। ଦୀର୍ଘଦିନର କୂଟନୈତିକ ତିକ୍ତତା ପରେ ଉଭୟ ଦେଶ ଏବେ ସମ୍ପର୍କ ସୁଧାରିବା ସହ ବାଣିଜ୍ୟ, ଶକ୍ତି, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି।

ଏହି ଗସ୍ତରେ ବାଣିଜ୍ୟ ମୁଖ୍ୟ ପ୍ରସଙ୍ଗ ରହିବା ସମ୍ଭାବନା ରହିଛି। ୨୦୩୦ ସୁଦ୍ଧା ଭାରତ ଓ କାନାଡା ମଧ୍ୟରେ ବାର୍ଷିକ ଦ୍ୱିପାକ୍ଷିକ ବାଣିଜ୍ୟକୁ ୭୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଉଭୟ ପକ୍ଷ ଲକ୍ଷ୍ୟ ରଖିଛନ୍ତି। କାନାଡାର ଅନ୍ତର୍ଜାତୀୟ ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିଧୁ ବର୍ତ୍ତମାନ ଛଅ ଦିନିଆ ବାଣିଜ୍ୟ ପ୍ରତିନିଧି ଦଳ ସହ ଭାରତ ଗସ୍ତରେ ଅଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାକୁ ଉଦ୍ୟମ ଚାଲିଛି।

ଏଥିସହ ବ୍ୟାପକ ଅର୍ଥନୈତିକ ଭାଗିଦାରି ଚୁକ୍ତି (CEPA) ଉପରେ ଆଲୋଚନା ଶୀଘ୍ର ଶେଷ କରିବାକୁ ମୋଦୀ ଓ କାର୍ନି ସହମତ ହୋଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଭୂରାଜନୈତିକ ଅସ୍ଥିରତା ସହ ଶକ୍ତି ଓ କୃଷି କ୍ଷେତ୍ରରେ ଭରସାଯୋଗ୍ୟ ସହଯୋଗୀଙ୍କ ଆବଶ୍ୟକତା ନେଇ ମଧ୍ୟ ଆଲୋଚନା ହୋଇଛି।

ଖଲିସ୍ତାନ ସମର୍ଥକ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପରେ ୨୦୨୩ରୁ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା ବଢ଼ିଥିଲା। ଜୁନ୍ ୨୦୨୩ରେ ଭାନକୁଭର ନିକଟରେ ନିଜ୍ଜରଙ୍କ ହତ୍ୟା ହୋଇଥିଲା। ସେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଥିବା ଜଷ୍ଟିନ୍ ଟ୍ରୁଡୋ ଏହି ଘଟଣାରେ ଭାରତୀୟ ଏଜେଣ୍ଟଙ୍କ ସମ୍ଭାବ୍ୟ ସମ୍ପୃକ୍ତି ନେଇ ଅଭିଯୋଗ କରିଥିଲେ। ଭାରତ ଏହି ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଥିଲା। ଏହାପରେ ୨୦୨୪ରେ ଦୁଇ ଦେଶର କୂଟନୈତିକ ସମ୍ପର୍କ ଅଧିକ ଖରାପ ହୋଇଥିଲା।

ଟ୍ରୁଡୋଙ୍କ ପରେ ଦାୟିତ୍ୱ ନେଇଥିବା ମାର୍କ କାର୍ନି ଏବେ ଭାରତ ସହ ସମ୍ପର୍କ ସୁଧାରିବାକୁ ଉଦ୍ୟମ କରୁଛନ୍ତି। ମାର୍ଚ୍ଚରେ ସେ ଭାରତ ଗସ୍ତ କରିଥିଲେ। ଏବେ ମୋଦୀଙ୍କ କାନାଡା ଗସ୍ତ ଦ୍ୱାରା ବାଣିଜ୍ୟ ଚୁକ୍ତି, ରଣନୈତିକ ସହଯୋଗ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବା ଉପରେ ନଜର ରହିଛି।

Leave A Reply

Your email address will not be published.