କପିଲ ଦେବଙ୍କ Gen Z ପ୍ରଦର୍ଶନକାରୀଙ୍କ ପାଇଁ ପରାମର୍ଶ: ‘ସେମାନେ ଶିଖିବା ଏବଂ ଶୁଣିବା ଦରକାର, ସେମାନେ ସର୍ବଦା ଠିକ୍ ନୁହଁନ୍ତି’
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ୧୯୮୩ ବିଶ୍ୱକପ୍ ବିଜେତା ଅଧିନାୟକ କପିଲ ଦେବ ଦେଶର ଯୁବପିଢ଼ି (Gen Z) ଏବଂ ଆନ୍ଦୋଳନକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଚାଲିଥିବା ବିଭିନ୍ନ ବିରୋଧ ପ୍ରଦର୍ଶନ ଏବଂ ପୋଲିସ କଟକଣା ମଧ୍ୟରେ କପିଲ ଦେବ ଯୁବକମାନଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ଆହ୍ୱାନ କରିଛନ୍ତି।
ସେ କହିଛନ୍ତି ଯେ, ଯୁବପିଢ଼ି ଅନେକ ସମୟରେ ନିଜକୁ ସବୁଥିରେ ସଠିକ୍ ଭାବନ୍ତି, କିନ୍ତୁ ସେମାନେ ଅନ୍ୟମାନଙ୍କ କଥା ଶୁଣିବା, ଧୈର୍ଯ୍ୟ ରଖିବା ଏବଂ ବରିଷ୍ଠମାନଙ୍କ ଅଭିଜ୍ଞତାକୁ ଗ୍ରହଣ କରିବା ଶିଖିବା ଉଚିତ୍ । ଯୁବକମାନେ ହେଉଛନ୍ତି ଆମ ଦେଶର ପ୍ରକୃତ ଭବିଷ୍ୟତ, ତେଣୁ ସେମାନଙ୍କୁ କୌଣସି ପ୍ରକାରେ ଭ୍ରାନ୍ତ କିମ୍ବା ପଥଭ୍ରଷ୍ଟ ହେବାକୁ ଦିଆଯାଇପାରିବ ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନ ଏବଂ ରାସ୍ତା ଅବରୋଧ ଯୋଗୁଁ ସାଧାରଣ ଜୀବନଯାପନ, ବ୍ୟବସାୟ ଏବଂ କ୍ରୀଡ଼ା ଇଭେଣ୍ଟଗୁଡ଼ିକ ଉପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବକୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ବିଶେଷ କରି ଦିଲ୍ଲୀ ଗଲ୍ଫ କ୍ଲବରେ ଆୟୋଜିତ ହେଉଥିବା ଡିପି ୱାର୍ଲ୍ଡ ଇଣ୍ଡିଆ ଚାମ୍ପିଅନସିପ୍ ଭଳି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ନାସନାଲ ଓ ଇଣ୍ଟରନାସନାଲ ଖେଳାଳିମାନେ ଯେପରି ସମୟରେ ପହଞ୍ଚିପାରିବେ, ସେଥିପାଇଁ ରାସ୍ତା ଛାଡ଼ିବାକୁ ସେ ପ୍ରଦର୍ଶନକାରୀଙ୍କୁ ଅନୁରୋଧ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ଯୁବବର୍ଗଙ୍କ ପାଖରେ ପ୍ରଚୁର ଶକ୍ତି, ବୁଦ୍ଧି ଓ ପ୍ରତିଭା ରହିଛି, ମାତ୍ର ସେମାନଙ୍କୁ ସମାଜର ବୟସ୍କ ଓ ଅଭିଜ୍ଞ ବ୍ୟକ୍ତିମାନଙ୍କ ପରାମର୍ଶକୁ ସମ୍ମାନ ଦେବାକୁ ପଡ଼ିବ। ଯୁବପିଢ଼ି ସବୁବେଳେ ନିଜକୁ ସଠିକ୍ ନଭାବି, ଶାନ୍ତ ହୋଇ ପରିସ୍ଥିତିକୁ ବୁଝିବା ଏବଂ ଦାୟିତ୍ୱବାନ ନାଗରିକ ଭାବେ କାର୍ଯ୍ୟ କରିବା ଉଚିତ୍। ସେପଟେ ଦିଲ୍ଲୀରେ ଚାଲିଥିବା ପ୍ରଦର୍ଶନ ଏବଂ ପୋଲିସ କଟକଣାକୁ ନେଇ ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି।

