Latest Odisha News

BREAKING NEWS

Kolkata Stampede: ମା’ଙ୍କୁ ଦର୍ଶନ କରିବାକୁ ଯାଇଥିଲେ, ସବୁଦିନ ପାଇଁ ମାଆ ଛେଉଣ୍ଡ ହୋଇଗଲେ! କୋଲକାତା ଦଳାଚକଟାର ଛାତିଥରା କାହାଣୀ…

କୋଲକାତା: ମାଆଙ୍କ ସହ ଦୁର୍ଗାପୂଜା ମଣ୍ଡପକୁ ଯାଇଥିଲେ ମାଆଙ୍କ ଦର୍ଶନ କରିବାକୁ। ଭାବିଥିଲେ, ମାଆଙ୍କ ସହ ଖୁସିରେ ପୂଜା ବୁଲିବେ, ଦେବୀଙ୍କ ଆଶୀର୍ବାଦ ନେଇ ଘରକୁ ଫେରିବେ। କିନ୍ତୁ କିଏ ଜାଣିଥିଲା, ସେହି ପୂଜା ମଣ୍ଡପ ହିଁ ତାଙ୍କ ଜୀବନର ସବୁଠୁ ବଡ଼ ଦୁଃଖର କାରଣ ପାଲଟିଯିବ! ଆଖି ଆଗରେ ଚାଲିଗଲା ମାଆଙ୍କ ଜୀବନ। ସବୁଦିନ ପାଇଁ ହୋଇଗଲେ ମାଆ ଛେଉଣ୍ଡ! ମାଆଙ୍କୁ ହରାଇ ଏବେ ଅସହାୟ ପୁଅ। କୋଲକାତାର ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଦଳାଚକଟା ଅନେକ ପରିବାରର ହସଖୁସି ଛଡ଼ାଇ ନେଇଛି।

୨୫ ବର୍ଷୀୟ ସୋନୁ ପାଲ୍‌ କୋଲକାତାର କୁମୋରଟୁଲି ଅଞ୍ଚଳରେ ରୁହନ୍ତି। ଶନିବାର ରାତିରେ ସେ ନିଜ ମାଆଙ୍କ ସହ ଚୋରବାଗାନ ଦୁର୍ଗାପୂଜା ମଣ୍ଡପକୁ ଯାଇଥିଲେ। କିନ୍ତୁ ସେଠାରେ ହଠାତ୍‌ ଏମିତି ପରିସ୍ଥିତି ସୃଷ୍ଟି ହେଲା ଯେ, ଲୋକଙ୍କ ଗହଳି ମୃତ୍ୟୁର କାରଣ ପାଲଟିଗଲା। ସୋନୁଙ୍କ କହିବା ଅନୁସାରେ, ସେତେବେଳେ ବର୍ଷା ହେଉଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଲୋକେ ମଣ୍ଡପ ଭିତରକୁ ଯିବାକୁ ଠେଲାପେଲା କରିଥିଲେ। ଫଳରେ ଭିଡ଼ ଭିତରେ ଚାପ ବଢ଼ିବା ସହ ଲୋକେ ପରସ୍ପର ଉପରେ ପଡ଼ିବାକୁ ଲାଗିଥିଲେ।

ସୋନୁ ମଧ୍ୟ ଭିଡ଼ ଭିତରେ ଫସିଯାଇଥିଲେ। କୌଣସି ପ୍ରକାରେ ନିଜକୁ ସମ୍ଭାଳି ସେ ମାଆଙ୍କ ପାଖକୁ ଯାଇଥିଲେ। କିନ୍ତୁ ସେତେବେଳକୁ ତାଙ୍କ ମାଆ ଆଉ ଏ ଦୁନିଆରେ ନଥିଲେ। ସୋନୁ କହିଥିଲେ, “ମୋ ଆଖି ଆଗରେ ମୋ ମାଆଙ୍କ ମୃତ୍ୟୁ ହୋଇଗଲା। ମୁଁ ମଧ୍ୟ ବଞ୍ଚି ନଥାନ୍ତି।” ଏହି ଘଟଣା ପରେ ସେ ଏବେ ମଧ୍ୟ ଗଭୀର ମାନସିକ ଆଘାତରେ ଅଛନ୍ତି।

କେବଳ ସୋନୁ ନୁହନ୍ତି, ଏହି ଦୁର୍ଘଟଣାରେ ଅନେକ ପରିବାର ନିଜ ପ୍ରିୟଜନଙ୍କୁ ହରାଇଛନ୍ତି। ମୋଟ ୧୯ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଅନେକ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେହିପରି ଶୁଭମ ସୋନକର ନାମକ ଜଣେ ବ୍ୟକ୍ତି ନିଜ ୩୦ ବର୍ଷୀୟ ଭଉଣୀଙ୍କୁ ହରାଇଛନ୍ତି। ତାଙ୍କ ଭଉଣୀଙ୍କ ବିବାହ ପାଇଁ ଯୋଜନା ଚାଲିଥିଲା। ପରିବାର ସହ ପୂଜା ଦେଖିବାକୁ ଯାଇଥିବା ବେଳେ ସେ ଆଉ ଫେରିଲେ ନାହିଁ। ଭାବବିହ୍ୱଳ ହୋଇ ଶୁଭମ ପ୍ରଶ୍ନ କରିଛନ୍ତି, ତାଙ୍କ ଭଉଣୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ଆଉ ଜଣେ ସନି ନାମକ ବ୍ୟକ୍ତି ମଧ୍ୟ ନିଜ ପରିବାରର ସଦସ୍ୟଙ୍କୁ ହରାଇ ପ୍ରଶାସନ ଓ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।

ଏହି ଦୁଃଖଦ ଘଟଣା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟର ପ୍ରମୁଖ ଦୁର୍ଗାପୂଜା ମଣ୍ଡପଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭିଡ଼ ନିୟନ୍ତ୍ରଣ, ଜରୁରୀକାଳୀନ ପ୍ରସ୍ଥାନ ପଥ ଓ ମଣ୍ଡପର ଗଠନାତ୍ମକ ସୁରକ୍ଷା ଯାଞ୍ଚ କରିବାକୁ ଏକ କମିଟି ଗଠନ ହେବ। ଏହି କମିଟିରେ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ରାଜେଶ ସିହ୍ନା, ଅଗ୍ନିଶମ ସେବାର ମହାନିର୍ଦ୍ଦେଶକ ଅନୁଜ ଶର୍ମା ଓ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଜାଭେଦ ସାମିମ ଏଥିରେ ସାମିଲ ହେବେ।

ଏହା ସହ ଘଟଣାର ତଦନ୍ତ ପାଇଁ କଲିକତା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯିବ ଏବଂ ଭିଡ଼ ପରିଚାଳନାରେ ଅବହେଳା କରିଥିବା ପୂଜା କମିଟି, ପୋଲିସ, ଅସ୍ଥାୟୀ କର୍ମଚାରୀ କିମ୍ବା ଘରୋଇ ସୁରକ୍ଷା ସଂସ୍ଥାର ଲୋକଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ।

ମାଆଙ୍କ ଦର୍ଶନ ପାଇଁ ଯାଇ ମାଆଛେଉଣ୍ଡ ହୋଇଯାଇଥିବା ସୋନୁଙ୍କ ଦୁଃଖ ହେଉ କି ବିବାହର ସ୍ୱପ୍ନ ଦେଖୁଥିବା ଯୁବତୀଙ୍କ ପରିବାରର ଯନ୍ତ୍ରଣା, ଏହି ଘଟଣା ପୁଣି ଥରେ ଭିଡ଼ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଛିଡ଼ା କରିଛି। ପୂଜାର ଆନନ୍ଦ ଯେପରି ଆଉ କେବେ କାହାର ପରିବାର ପାଇଁ ଏମିତି ଅପୂରଣୀୟ ଦୁଃଖ ନ ଆଣେ, ସେଥିପାଇଁ କଠୋର ସୁରକ୍ଷା ବ୍ୟବସ୍ଥା ଓ ଦାୟିତ୍ୱ ନିର୍ଦ୍ଧାରଣ ଅତ୍ୟନ୍ତ ଜରୁରୀ।

Leave A Reply

Your email address will not be published.