କଟକ:କଟକ ତଳ ବାଲିଯାତ୍ରା ପଡ଼ିଆରେ ସ୍କୁଲ ଛାତ୍ରଙ୍କ ହତ୍ୟା ଘଟଣାରେ ବଡ଼ ଖୁଲାସା । ମହାନଦୀ କୂଳରୁ କ୍ଷତବିକ୍ଷତ ଅବସ୍ଥାରେ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣା ପଛରେ ତ୍ରିକୋଣୀୟ ପ୍ରେମ ସମ୍ପର୍କ ଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ଜଣେ ନାବାଳକ ଧରାପଡ଼ିଥିବା ବେଳେ ଅନ୍ୟଜଣେ ଫେରାର ଅଛି। । ଅଭିଯୁକ୍ତ ଜଣକ ନାଵାଳକ ହୋଇଥିଵାରୁ ତାଙ୍କୁ ଆଜି ଜୁଭେନାଇଲ ଜଷ୍ଟିସ ଵୋର୍ଡରେ ହାଜର କରାଯାଇଛି।
ସୋସିଆଲ ମିଡିଆରେ ଗଢ଼ିଉଠିଥିବା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି କହିଛନ୍ତି କଟକ ଡିସିପି ଖିଲାରି ଋଷିକେଶ ଧ୍ୟାନଦେଓ। ଘଟଣାରେ ଜଣେ ନାବାଳକଙ୍କୁ ପୋଲିସ ଧରିଥିବା ବେଳେ ଅନ୍ୟ ଜଣେ ନାବାଳକଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ଧରାପଡ଼ିଥିବା ନାବାଳକ କଟକର ଏକ କଲେଜର ଛାତ୍ର। ତାଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।
ଡିସିପିଙ୍କ ସୂଚନାନୁଯାୟୀ, ରବିବାର ସକାଳ ପ୍ରାୟ ୭ଟାରୁ ୯ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳ ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ପୋଲିସ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ଦେଇଥିଲା। ସେହି ଆଧାରରେ ପୋଲିସ ସନ୍ଦିଗ୍ଧ ନାବାଳକଙ୍କୁ ଚିହ୍ନଟ କରି ଧରିବାରେ ସଫଳ ହୋଇଛି। ଗତକାଲି ସକାଳେ କିଛି ଲୋକ ମହାନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ତଳ ବାଲିଯାତ୍ରା ପଡ଼ିଆ ନିକଟରେ ଜଣେ ନାବାଳକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତଦେହରେ ଆଘାତ ଚିହ୍ନ ରହିଥିବାରୁ ହତ୍ୟା ସନ୍ଦେହ ଉପୁଜିଥିଲା।
ଖବର ପାଇ କଟକ ଡିସିପି ଓ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲା। ମୃତ ନାବାଳକଙ୍କ ପୈତୃକ ଘର ବାଙ୍କୀ ବ୍ଲକ ଅଞ୍ଚଳରେ। ସେ ପରିବାର ସହ କଟକର ରାଜାବଗିଚା ଅଞ୍ଚଳରେ ଭଡ଼ାଘରେ ରହୁଥିଲେ ଏବଂ ଏକ ସ୍କୁଲରେ ପାଠ ପଢ଼ୁଥିଲେ।

