Latest Odisha News

BREAKING NEWS

Governor Celebrates Vijayadashami: ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ଦଶହରା ପାଳିଲେ ନୂଆ ରାଜ୍ୟପାଳ, କୁନି ପିଲାଙ୍କ ସହ ବାଣ୍ଟିଲେ ଖୁସି…

ଭୁବନେଶ୍ୱର: ପିଲାଙ୍କ ମୁହଁରେ ହସ, ହାତରେ ମିଠା ଆଉ ମନରେ ନୂଆ ଆଶା। ପବିତ୍ର ବିଜୟା ଦଶମୀ ଅବସରରେ ଏକ ଭିନ୍ନ ଢଙ୍ଗରେ ପର୍ବ ପାଳନ କରିଛନ୍ତି ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜମୋହନ ରାମ। ମଙ୍ଗଳବାର ଦିନ ସେ ରାଜ୍ୟର ପ୍ରଥମ ମହିଳା ଲୀଳା ଦେବୀଙ୍କ ସହ ଭୁବନେଶ୍ୱରସ୍ଥିତ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ ପରିଦର୍ଶନ କରି ସେଠାକାର ପିଲାମାନଙ୍କ ସହ ଦଶହରାର ଖୁସି ବାଣ୍ଟିଛନ୍ତି।

ଏହି ଅବସରରେ ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ର କର୍ତ୍ତୃପକ୍ଷ ରାଜ୍ୟପାଳ ଓ ପ୍ରଥମ ମହିଳାଙ୍କୁ ସ୍ୱାଗତ କରିଥିଲେ। ରାଜ୍ୟପାଳ ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ବିଜୟା ଦଶମୀର ଶୁଭେଚ୍ଛା ଜଣାଇଥିଲେ। ପିଲାମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିଲେ।

ପିଲାମାନଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ, ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ। ଦେବୀ ଦୁର୍ଗାଙ୍କ ମହିଷାସୁର ବଧ ଓ ପ୍ରଭୁ ଶ୍ରୀରାମଙ୍କ ରାବଣ ଉପରେ ବିଜୟ ଏହି ମହାନ ଆଦର୍ଶର ପ୍ରତିଫଳନ। ଜୀବନରେ ସତ୍ୟ, ନ୍ୟାୟ ଓ ଧର୍ମକୁ ଗୁରୁତ୍ୱ ଦେବା ସହ ଅନ୍ୟାୟ ଓ ଅସତ୍ୟ ବିରୋଧରେ ଦୃଢ଼ ଭାବେ ଠିଆ ହେବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଦେବୀ ଦୁର୍ଗା ଶକ୍ତି, ସାହସ, କରୁଣା ଓ ନାରୀ ସଶକ୍ତୀକରଣର ପ୍ରତୀକ ବୋଲି ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ, ଦେବୀଙ୍କ ଜୀବନୀ ଓ କାହାଣୀ ଆମକୁ ସତ୍ୟ ଓ ନ୍ୟାୟର ପଥରେ ଚାଲିବାକୁ ପ୍ରେରଣା ଦିଏ। ସେହିପରି ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ନିଜ ଜୀବନରେ ଅନୁସରଣ କରିବାକୁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।

ପିଲାମାନେ ଦେଶର ଅମୂଲ୍ୟ ସମ୍ପଦ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ବୋଲି କହି ରାଜ୍ୟପାଳ ସେମାନଙ୍କୁ ମନ ଦେଇ ପାଠ ପଢ଼ିବା, ଶୃଙ୍ଖଳା ବଜାୟ ରଖିବା ଏବଂ ନିଷ୍ଠା ଓ କଠିନ ପରିଶ୍ରମ ବଳରେ ନିଜ ସ୍ୱପ୍ନକୁ ସାକାର କରିବାକୁ ଆହ୍ୱାନ ଜଣାଇଥିଲେ। ଜୀବନରେ ଆସୁଥିବା ବିଭିନ୍ନ ଆହ୍ୱାନକୁ ସାହସ ଓ ଦୃଢ଼ ସଂକଳ୍ପର ସହ ମୁକାବିଲା କରିବାକୁ ମଧ୍ୟ ସେ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ପିଲାମାନଙ୍କ ସହ ବିଜୟା ଦଶମୀ ପାଳନ କରି ଆନନ୍ଦିତ ବୋଲି ପ୍ରକାଶ କରିବା ସହ ରାଜ୍ୟପାଳ ସେମାନଙ୍କ ଜୀବନରେ ସୁଖ, ସୁସ୍ୱାସ୍ଥ୍ୟ, ଜ୍ଞାନ ଓ ସଫଳତା କାମନା କରିଥିଲେ। ଏହି ଗସ୍ତ ଅବସରରେ ପିଲାମାନଙ୍କୁ ପର୍ବର ଖୁସି ସହ ଜୀବନରେ ଆଗକୁ ବଢ଼ିବାର ପ୍ରେରଣା ଦେଇଥିଲେ ରାଜ୍ୟପାଳ।

Leave A Reply

Your email address will not be published.