ବିଜ୍ଞାନ ଜଗତରେ ଏକ ଅଭୂତପୂର୍ବ ସଫଳତା । ଜର୍ମାନୀର ବୈଜ୍ଞାନିକମାନେ ବର୍ଜ୍ୟ ପ୍ଲାଷ୍ଟିକରୁ ନାନୋଡାଇମଣ୍ଡ (ଅତି କ୍ଷୁଦ୍ର ଓ ବିଶୁଦ୍ଧ ହୀରା) ତିଆରି କରିବାରେ ସଫଳ ହୋଇଛନ୍ତି । ଜର୍ମାନୀର ପ୍ରସିଦ୍ଧ ହେଲମହୋଲ୍ଟଜ୍-ସେଣ୍ଟ୍ରମ ଡ୍ରେସଡେନ୍-ରୋସେନଡୋର୍ଫ ଏବଂ ରୋଷ୍ଟକ୍ ବିଶ୍ୱବିଦ୍ୟାଳୟର ବିଜ୍ଞାନୀମାନେ ଶକ୍ତିଶାଳୀ ଲେଜର ରଶ୍ମି ସାହାଯ୍ୟରେ ଏହି ଚମତ୍କାର କରି ଦେଖାଇଛନ୍ତି । ଶକ୍ତିଶାଳୀ ଲେଜର ପଲସ୍ ସାହାଯ୍ୟରେ ପ୍ଲାଷ୍ଟିକ ଉପରେ ଚାପ ସୃଷ୍ଟି କରାଯାଇଛି । ଘଣ୍ଟାକୁ ୨୨,୦୦୦ ମାଇଲ୍ ବେଗରେ ନିର୍ଗତ ହେଉଥିବା ହୀରାକୁ ଏକ ସ୍ୱତନ୍ତ୍ର ଜେଲ୍ରେ ଜମା କରାଯାଇଛି । ପ୍ରତିଟି ହୀରାର ଆକାର ମାତ୍ର ୩ ନାନୋମିଟର । ଚିକିତ୍ସା, କ୍ୱାଣ୍ଟମ୍ ସେନ୍ସର ଏବଂ ପରିବେଶ ସୁରକ୍ଷାରେ ଏହା କାମରେ ଆସିବ । ୟୁରେନସ୍ ଓ ନେପଚୁନ୍ ଭଳି ବରଫ ଗ୍ରହଗୁଡ଼ିକର ଅଭ୍ୟନ୍ତରରେ ଅତ୍ୟଧିକ ତାପମାତ୍ରା ଓ କୋଟି କୋଟି ଗୁଣା ଚାପ ଯୋଗୁଁ କାର୍ବନ୍ ଆପେଆପେ ହୀରାରେ ପରିଣତ ହୋଇଥାଏ । ସେହି ସମାନ ସ୍ଥିତିକୁ ବିଜ୍ଞାନାଗାରରେ ସୃଷ୍ଟି କରିବା ପାଇଁ ବିଜ୍ଞାନୀମାନେ ଏକ୍ସଟ୍ରିମ୍ ଲାଇଟ୍ ଇନଫ୍ରାଷ୍ଟ୍ରକଚର ଲେଜର ଲ୍ୟାବ୍ରେ ପ୍ରୟୋଗ କରିଥିଲେ ।
ପାନୀୟ ଜଳ ବୋତଲରେ ବ୍ୟବହୃତ ପ୍ଲାଷ୍ଟିକର ୧୦୦ ମାଇକ୍ରୋମିଟର ପତଳା ଫିଲ୍ମ ନିଆଯାଇଥିଲା । ଏହି ପ୍ଲାଷ୍ଟିକ ଉପରେ ଅତି ଶକ୍ତିଶାଳୀ ଲେଜର ରଶ୍ମି ପକାଯାଇଥିଲା । ଲେଜର ବାଜିବା ମାତ୍ରେ ପ୍ଲାଷ୍ଟିକ ଭିତରେ ୧୦୦ ଗିଗାପାସ୍କାଲ୍ (ପ୍ରାୟ ୧୪.୫ କୋଟି ପାଉଣ୍ଡ ପ୍ରତି ବର୍ଗ ଇଞ୍ଚ) ର ଅତ୍ୟଧିକ ଚାପ ସୃଷ୍ଟି ହୋଇଥିଲା । ଏହି ଚାପ ଓ ଉତ୍ତାପ ଯୋଗୁଁ ପ୍ଲାଷ୍ଟିକରେ ଥିବା କାର୍ବନ୍ ପରମାଣୁଗୁଡ଼ିକ ପୁନର୍ବାର ସଜାଡ଼ି ହୋଇ ନାନୋଡାଇମଣ୍ଡରେ ବଦଳି ଯାଇଥିଲେ । ଲେଜର ପ୍ରହାର ପରେ ଏହି ନାନୋଡାଇମଣ୍ଡଗୁଡ଼ିକ ସେକେଣ୍ଡକୁ ପ୍ରାୟ ୧୦ କିଲୋମିଟର (ଘଣ୍ଟାକୁ ୨୨,୦୦୦ ମାଇଲ୍ରୁ ଅଧିକ) ବେଗରେ ବାହାରକୁ ଫିଙ୍ଗି ହୋଇ ବାହାରୁଥିଲେ । ଏହି ଅତ୍ୟଧିକ ବେଗ ଯୋଗୁଁ ସେଗୁଡ଼ିକ ନଷ୍ଟ ହୋଇଯିବାର ଭୟ ଥିଲା । ଏହାକୁ ରୋକିବା ପାଇଁ ବିଜ୍ଞାନୀମାନେ ଜଳରେ ଦ୍ରବୀଭୂତ ହେଉଥିବା ଏକ ସ୍ୱତନ୍ତ୍ର ଆୟୋନିକ୍ ଜେଲ ବ୍ୟବହାର କରିଥିଲେ, ଯାହା ଗଦି ଭଳି କାମ କରି ହୀରାଗୁଡ଼ିକୁ ସୁରକ୍ଷିତ ଭାବେ ଅଟକାଇ ଦେଇଥିଲା । ମେଡିକାଲ୍ ସ୍କାନିଂରେ ବିଶେଷ ଭାବେ ବ୍ୟବହୃତ ହୋଇପାରିବ । ଏହାର ଆକାର ଛୋଟ ହୋଇଥିବାରୁ ସୂର୍ୟ୍ୟକିରଣ ସାହାଯ୍ୟରେ ବାୟୁମଣ୍ଡଳରୁ କାର୍ବନ୍ ଡାଇଅକ୍ସାଇଡ୍ ଭାଙ୍ଗିବା ପ୍ରକ୍ରିୟାରେ ଏହା ପ୍ରଭାବଶାଳୀ କାଟାଲିଷ୍ଟ ଭାବେ କାମ କରିପାରିବ ।

