Latest Odisha News

BREAKING NEWS

Tiger Shroff Attacked : ଟାଇଗର ନୁହେଁ…ଟାର୍ଗେଟରେ ଥିଲେ ବଲିଉଡର ବଡ ହିରୋ?… ଟାଇଗର ଶ୍ରଫଙ୍କ କାର୍‌ ଉପରକୁ ଗୁଳିମାଡ଼ ଘଟଣାରେ ବଡ ଖୁଲାସା

ମୁମ୍ବାଇ: ଟାଇଗର ଶ୍ରଫଙ୍କ କାର୍‌ ଉପରକୁ ଗୁଳିମାଡ଼! ହେଲେ ଟାଇଗର ହିଁ କ’ଣ ଥିଲେ ସୁଟର୍ସଙ୍କ ଅସଲ ନିଶାନା? ନା ତାଙ୍କ ପୂର୍ବରୁ ବଲିଉଡ୍‌ର ଆଉ କୌଣସି ବଡ଼ ହସ୍ତୀଙ୍କୁ ଟାର୍ଗେଟ୍‌ କରିବାକୁ ହୋଇଥିଲା ଯୋଜନା? ଅଭିଯୁକ୍ତଙ୍କ ପଚରାଉଚରାରୁ ଏମିତି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ମୁମ୍ବାଇର ଜୁହୁ ଅଞ୍ଚଳରେ ଅକ୍ଟୋବର ୧୮ ତାରିଖରେ ଟାଇଗର ଶ୍ରଫଙ୍କ କାର୍‌ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଯାଇଥିଲା। ଏଥିରେ ଟାଇଗର ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ତାଙ୍କ ଡ୍ରାଇଭର ଓ ଜଣେ ଅଟୋ ଚାଳକ ଆହତ ହୋଇଥିବା ରିପୋର୍ଟରେ କୁହାଯାଇଛି। ଏହି ମାମଲାରେ ପୋଲିସ କୋଟା ରେଳ ଷ୍ଟେସନରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ନେପାଳକୁ ଖସିଯିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ମୁମ୍ବାଇ ପୋଲିସ କ୍ରାଇମ୍‌ ବ୍ରାଞ୍ଚରୁ ମିଳିଥିବା ସୂଚନା ଅନୁସାରେ, ଟାଇଗରଙ୍କ ପୂର୍ବରୁ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଜଣେ ବଡ଼ ବ୍ୟକ୍ତିତ୍ୱଙ୍କୁ ଟାର୍ଗେଟ୍‌ କରିବାକୁ ଯୋଜନା ହୋଇଥିବା ଅଭିଯୁକ୍ତମାନେ କହିଛନ୍ତି। ତେବେ ଏହି ବୟାନର ସତ୍ୟତା ଯାଞ୍ଚ କରୁଛି କ୍ରାଇମ୍‌ ବ୍ରାଞ୍ଚ। ଏପର୍ଯ୍ୟନ୍ତ ଅନ୍ୟ କୌଣସି ସେଲିବ୍ରିଟିଙ୍କୁ ଧମକ ମିଳିଥିବା ଜଣାପଡିନାହିଁ ।

ତେବେ ପ୍ରଥମ ନିଶାନାରେ ଥିଲେ କି ବଲିଉଡ୍‌ ଭାଇଜାନ୍ ସଲମାନ ଖାନ୍? ଏବେ ଏହାକୁ ନେଇ ଜୋର୍‌ଦାର ଚର୍ଚ୍ଚା। କାରଣ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍‌ ଏବଂ ସଲମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହିଛି। କୃଷ୍ଣସାର ମୃଗ ଶିକାର ମାମଲାକୁ ନେଇ ସଲମାନଙ୍କୁ ଅନେକ ଥର ଧମକ ମିଳିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏପରିକି ସଲମାନଙ୍କ ଘନିଷ୍ଠ ବନ୍ଧୁ ଓ ତାଙ୍କ ସହ ଜଡ଼ିତ ଲୋକଙ୍କୁ ମଧ୍ୟ ପୂର୍ବରୁ ଟାର୍ଗେଟ୍‌ କରାଯାଇଥିବା ବେଳେ ଅନେକଙ୍କୁ ଧମକ ଦେଇଛି ଏହି ଗ୍ୟାଙ୍ଗ୍‌। ଅନ୍ୟପଟେ, ଟାଇଗରଙ୍କ ଉପରେ ଆକ୍ରମଣ ପରେ ସଲମାନଙ୍କ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରାଯାଇଛି। ମୁମ୍ବାଇ ବିମାନବନ୍ଦରରେ ତାଙ୍କ ଚାରିପଟେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ମୁତୟନ ଥିବା ଦେଖିବାକୁ ମିଳିଛି। ତେବେ ଟାଇଗରଙ୍କ ପୂର୍ବରୁ ସତରେ କ’ଣ ସଲମାନ ଥିଲେ କି ଗ୍ୟାଙ୍ଗ୍‌ର ନିଶାନାରେ? ଏହାର ଉତ୍ତର ଏବେ ପୋଲିସର ତଦନ୍ତ ଓ ଆଗାମୀ ଖୁଲାସା ପରେ ଜଣାପଡିବ ।

ଆହୁରି ଚାଞ୍ଚଲ୍ୟକର କଥା ହେଉଛି, ଅଭିଯୁକ୍ତମାନେ ସୋସିଆଲ୍‌ ମିଡିଆ ଜରିଆରେ ଟାଇଗରଙ୍କ ଗତିବିଧି ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସଂଗ୍ରହ କରୁଥିବା ପ୍ରାଥମିକ ପଚରାଉଚରାରେ କହିଛନ୍ତି । ଏପରିକି ତାଙ୍କ ଘର ଓ ଫୁଟବଲ୍‌ ଗ୍ରାଉଣ୍ଡ୍‌ ନିକଟରେ ରେକି କରିବା ପରେ ଫୁଟବଲ୍‌ ଗ୍ରାଉଣ୍ଡ୍‌ରେ ଆକ୍ରମଣ କରିବା ସହଜ ହେବ ବୋଲି ସେମାନେ ଭାବିଥିବା କୁହାଯାଉଛି।

ଏପଟେ ଆକ୍ରମଣ ପରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍‌ ସହ ଜଡ଼ିତ ଅନିଲ ପଣ୍ଡିତ ଏହି ଘଟଣାର ଦାୟିତ୍ୱ ନେଇଥିବା ଖବର ଆସିଥିଲା। ଏକ ଅଡିଓ ବାର୍ତ୍ତା ମଧ୍ୟ ଜାରି ହୋଇଥିବା କୁହାଯାଇଛି। ଅନିଲ ପଣ୍ଡିତ ହରିୟାଣାର ପାନିପତର ବାସିନ୍ଦା ଏବଂ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଏକ ବର୍ଷ ପରେ କାନାଡା ଦେଇ ଆମେରିକା ଚାଲିଯାଇଥିବା ରିପୋର୍ଟରେ ଦାବି କରାଯାଇଛି।

ତେବେ ଟାଇଗରଙ୍କ ପୂର୍ବରୁ କେଉଁ ବଡ଼ ହସ୍ତୀଙ୍କୁ ଟାର୍ଗେଟ୍‌ କରିବାକୁ ହୋଇଥିଲା ଯୋଜନା? ଏହାର ଉତ୍ତର ଖୋଜୁଛି ମୁମ୍ବାଇ ପୋଲିସ। ଅଭିଯୁକ୍ତଙ୍କ ବୟାନର ଯାଞ୍ଚ ପରେ ହିଁ ଏହି ରହସ୍ୟ ଉପରୁ ପରଦା ହଟିବ। ଏହି ଘଟଣା ପରେ ଏବେ ବଲିଉଡର ଭୟର ବାତାବରଣ ଖେଳିଯାଇଛି ।

Leave A Reply

Your email address will not be published.