Latest Odisha News

BREAKING NEWS

Public Grievance: ବାତ୍ୟା ଆଶଙ୍କା! ଏହି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି…

ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଜଣାଇବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ବଡ ଖବର। ଅକ୍ଟୋବର ୨୬ ତାରିଖ ସୋମବାର ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।  ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ସୂଚନା ଅନୁସାରେ, ଅକ୍ଟୋବର ୨୬ ତାରିଖ ସୋମବାର ଦିନ ଭୁବନେଶ୍ୱରର ୟୁନିଟ୍‌-୨ ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି ଜନଶୁଣାଣି ହେବାର କାର୍ଯ୍ୟକ୍ରମ ଥିଲା। କ୍ୟାପିଟାଲ ନର୍ସରୀ ନିକଟରେ ଥିବା ଏହି ସ୍ଥାନରେ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟି ନିଜର ବ୍ୟକ୍ତିଗତ ଓ ସାଧାରଣ ସମସ୍ୟା ଜଣାଇବାର ସୁଯୋଗ ପାଇଥାନ୍ତେ। କିନ୍ତୁ ବାତ୍ୟା ଆଶଙ୍କା ଯୋଗୁଁ ଏଥର କାର୍ଯ୍ୟକ୍ରମ ହେବ ନାହିଁ।

ଜନଶୁଣାଣି ପାଇଁ ପୂର୍ବରୁ ଅନଲାଇନ୍‌ରେ ପଞ୍ଜୀକରଣ କରିଥିବା ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ସୂଚନା ରହିଛି। ପରବର୍ତ୍ତୀ ଜନଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେମାନଙ୍କୁ ପୁଣି ଥରେ ଅନଲାଇନ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ ନାହିଁ। ଅର୍ଥାତ୍‌, ପୂର୍ବରୁ କରିଥିବା ପଞ୍ଜୀକରଣ ପାଇଁ ପୁଣି ନୂଆ ଆବେଦନ କରିବାର ଆବଶ୍ୟକତା ନାହିଁ।

ତେବେ ଭୁବନେଶ୍ୱରରେ ପରବର୍ତ୍ତୀ ଜନଶୁଣାଣି କେବେ ହେବ, ସେନେଇ ଏପର୍ଯ୍ୟନ୍ତ ନୂଆ ତାରିଖ ଘୋଷଣା କରାଯାଇନାହିଁ। ପରବର୍ତ୍ତୀ କାର୍ଯ୍ୟକ୍ରମର ତାରିଖ ଖବରକାଗଜ ଓ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.