Latest Odisha News

BREAKING NEWS

Priyanka vs Rahul in Congress: ଭାଇ-ଭଉଣୀଙ୍କ ଭିତରେ ଫାଟ? ରାଇହାନଙ୍କ ୭୪ ଫଟୋ ହଟିବା ବିବାଦରେ ବଢିଲା ରାଜନୀତି!

ନୂଆଦିଲ୍ଲୀ: କଂଗ୍ରେସରେ ଫାଟ?

ବଢୁଛି କି ରାହୁଲ-ପ୍ରିୟଙ୍କାଙ୍କ ମଧ୍ୟରେ ଦୂରତା?

ରାହୁଲଙ୍କ ନୀରବତାକୁ ନେଇ ପ୍ରଶ୍ନ!

ଗୋଟିଏ ଫଟୋ ପ୍ରଦର୍ଶନୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚାର ଖୋରାକ ଯୋଗାଇଛି। ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମଝିରେ ସବୁ କିଛି ଠିକ୍ ଚାଲିଛି ତ? କାହିଁକି ଚୁପ୍ ଅଛନ୍ତି ରାହୁଲ? ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରାଇହାନ ଭଦ୍ରାଙ୍କ ଫଟୋ ପ୍ରଦର୍ଶନୀରୁ ୭୪ଟି ଫଟୋ ହଟାଇବାକୁ କୁହାଯିବା ପରେ ବିଜେପି ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ନୀରବତାକୁ କିଛି ଏପରି ପ୍ରଶ୍ନ ଉଠାଇଛି। ରାହୁଲ ଓ ପ୍ରିୟଙ୍କାଙ୍କ ମଧ୍ୟରେ ମତଭେଦ ଥିବା ଦାବି କରିବା ସହ ରାଇହାନଙ୍କୁ ରାଜନୀତିରେ ଆଗକୁ ଆଣିବା ପାଇଁ ଏହି ବିବାଦକୁ ବ୍ୟବହାର କରାଯାଉଥିବା ବିଜେପି ଅଭିଯୋଗ କରିଛି।

ତେବେ ଦିଲ୍ଲୀର ବିକାନେର ହାଉସ୍‌ରେ ପ୍ରିୟଙ୍କାଙ୍କ ପୁଅ ରାଇହାନ ଭଦ୍ରାଙ୍କ ‘ନୋ ଆଇଡିଆ ଇଜ୍ ଫାଇନାଲ୍’ ନାମକ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ରାଇହାନ ଜଣେ କଳାକାର ଓ ଫଟୋଗ୍ରାଫର। ତାଙ୍କ କହିବା ଅନୁଯାୟୀ, ଏହି ପ୍ରଦର୍ଶନୀ ପାଇଁ ସେ ପ୍ରାୟ ତିନି ବର୍ଷ ଧରି ଫଟୋ ସଂଗ୍ରହ ଓ ପ୍ରସ୍ତୁତି କରିଥିଲେ। କିନ୍ତୁ ଅକ୍ଟୋବର ୨୨ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପ୍ରଦର୍ଶନୀ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ୧୦୫ଟି ଫଟୋ ମଧ୍ୟରୁ ୭୪ଟି ଫଟୋ ହଟାଇବା କିମ୍ବା ବଦଳାଇବାକୁ କୁହାଯାଇଥିଲା। ଫଳରେ ପ୍ରଦର୍ଶନୀ ଆରମ୍ଭ ହେବା ସମୟରେ ମାତ୍ର ୩୫ଟି ଫ୍ରେମ୍ ରହିଥିଲା ବୋଲି ରାଇହାନ କହିଥିଲେ। ଏହି ଫଟୋଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ହୋଇଥିବା ସାମ୍ପ୍ରତିକ ଛାତ୍ର ଆନ୍ଦୋଳନ ସମ୍ପର୍କିତ ଫଟୋ ମଧ୍ୟ ଥିଲା। ରାଇହାନଙ୍କ କହିବା ଅନୁସାରେ, ସେ ଅକ୍ଟୋବର ୧୫ରେ ପ୍ରଦର୍ଶନୀର ଯୋଜନା ଓ ଫଟୋଗୁଡ଼ିକର ବିବରଣୀ ବିକାନେର ହାଉସ୍‌କୁ ପଠାଇଥିଲେ ଏବଂ ଏହାର ସ୍ୱୀକୃତି ମଧ୍ୟ ପାଇଥିଲେ। ତାଙ୍କ ପିତା ରବର୍ଟ ଭଦ୍ରା ମଧ୍ୟ କହିଥିଲେ ଯେ ରାଇହାନ ପ୍ରଦର୍ଶନୀ ସଜାଇବା ଆରମ୍ଭ କରିବା ପରେ ହିଁ ଆପତ୍ତି ଉଠାଯାଇଥିଲା।

ଏହି ଘଟଣାକୁ ନେଇ ପ୍ରିୟଙ୍କା ଗାନ୍ଧୀ ତୀବ୍ର ପ୍ରତିକ୍ରିୟା ଦେଇଥିଲେ। ଫଟୋ ହଟାଇବା ଘଟଣାକୁ ସେ ଯୁବପିଢ଼ିଙ୍କ ସ୍ୱରକୁ ଚାପିଦେବାର ଉଦ୍ୟମ ବୋଲି ସମାଲୋଚନା କରିଥିଲେ। ଅନ୍ୟପଟେ, ବିକାନେର ହାଉସ୍ ପ୍ରଶାସନର କହିବା ହେଉଛି, ହଟାଇବାକୁ କୁହାଯାଇଥିବା ଫଟୋଗୁଡ଼ିକ ପ୍ରଦର୍ଶନୀ ସ୍ଥଳର ନିର୍ଦ୍ଧାରିତ ନୀତି ସହ ମେଳ ଖାଉନଥିଲା।

ଏହି ପ୍ରସଙ୍ଗକୁ ଏବେ ରାଜନୈତିକ ରୂପ ଦେଇଛି ବିଜେପି। ଦଳର ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ସୋସିଆଲ୍ ମିଡିଆରେ ରାହୁଲ ଗାନ୍ଧୀଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ହେଉଛି, ପ୍ରିୟଙ୍କା ନିଜ ପୁଅ ରାଇହାନଙ୍କୁ ରାଜନୈତିକ କ୍ଷେତ୍ରରେ ପରିଚିତ କରାଇବା ପାଇଁ ଏହି ବିବାଦକୁ ଏକ ସୁଯୋଗ ଭାବେ ବ୍ୟବହାର କରୁଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଭିଏତନାମ ଗସ୍ତରେ ଥିବାବେଳେ ବିଭିନ୍ନ ପ୍ରସଙ୍ଗରେ ସୋସିଆଲ୍ ମିଡିଆରେ ମତ ରଖୁଛନ୍ତି, କିନ୍ତୁ ରାଇହାନଙ୍କ ଫଟୋ ପ୍ରଦର୍ଶନୀ ବିବାଦରେ ତାଙ୍କ ପକ୍ଷରୁ ସାର୍ବଜନୀନ ସମର୍ଥନ ଦେଖିବାକୁ ମିଳିନାହିଁ। ଏହାକୁ ଆଧାର କରି ସେ କଂଗ୍ରେସରେ ‘ପ୍ରିୟଙ୍କା ବନାମ ରାହୁଲ’ ସ୍ଥିତି ଥିବା ଦାବି କରିଛନ୍ତି।

ଏଥିସହିତ ବିଜେପି ଏହି ବିବାଦରେ ଆଉ ଏକ ଦାବି କରିଛି। ଦଳ ପକ୍ଷରୁ ରାଇହାନ ଓ ବିକାନେର ହାଉସ୍ ମଧ୍ୟରେ ହୋଇଥିବା ଇମେଲ୍ ଆଦାନପ୍ରଦାନର ସ୍କ୍ରିନ୍‌ସଟ୍ ସେୟାର କରାଯାଇଛି। ପ୍ରଦୀପ ଭଣ୍ଡାରୀଙ୍କ ଅନୁସାରେ, ଜୁନ୍ ୧୦ରେ ପଠାଯାଇଥିବା ପ୍ରାରମ୍ଭିକ ପ୍ରସ୍ତାବରେ ପ୍ରକୃତି, ବନ୍ୟଜନ୍ତୁ, ଅମୂର୍ତ୍ତ କଳା, ପ୍ରତିଚ୍ଛବି ଓ ମୂର୍ତ୍ତି ଭଳି ବିଷୟ ରହିଥିଲା। ସେଥିରେ ରାଜନୈତିକ ଫଟୋଗ୍ରାଫିର ଉଲ୍ଲେଖ ନଥିବା ବିଜେପି ଦାବି କରିଛି। ଦଳର କହିବା ଅନୁସାରେ, ଜୁନ୍ ୩୦ରେ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା। କିନ୍ତୁ ପରେ ରାଜନୈତିକ ଫଟୋ ଯୋଡ଼ାଯାଇଥିବାରୁ ଅକ୍ଟୋବର ୨୧ରେ ୭୪ଟି ଫଟୋ ହଟାଇବାକୁ ନୋଟିସ୍ ଦିଆଯାଇଥିଲା ବୋଲି ବିଜେପି ଯୁକ୍ତି ରଖିଛି। ଏହାକୁ ଆଧାର କରି କଂଗ୍ରେସ ନେତାମାନେ ଘଟଣାକୁ ଭିନ୍ନ ଭାବେ ଉପସ୍ଥାପନ କରୁଥିବା ଦଳ ଅଭିଯୋଗ କରିଛି।

Leave A Reply

Your email address will not be published.