ନୂଆଦିଲ୍ଲୀ: ୨୫ ଅକ୍ଟୋବର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାରାଥନ ଗସ୍ତ । ଗୋଟିଏ ଦିନରେ ଉତ୍ତରପ୍ରଦେଶ ଓ ଓଡିଶା ଗସ୍ତର କାର୍ଯ୍ୟକ୍ରମ ରହିଛି । ଦିନ ପ୍ରାୟ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ବାରାଣାସୀରେ ଏକ ନୂତନ ପୋଷାକ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିବେ । ଦିନ ପ୍ରାୟ ଗୋଟାଏରେ ନମୋ ଘାଟରେ ଏୟାରଫୋର୍ସ -ଡେର ଏରିୟଲ ଡିସପ୍ଲେ ୨୦୨୬ରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ । ଉଇଙ୍ଗସ୍ ଓଭର ଗଙ୍ଗା ବିଷୟବସ୍ତୁ ଉପରେ ଆୟୋଜିତ ହେବାକୁ ଥିବା ଭାରତୀୟ ବାୟୁସେନାର ୯୪ତମ ବାର୍ଷିକ ଉତ୍ସବ ପାଳନ ପାଇଁ ଏହି କାର୍ଯ୍ୟକ୍ରମ ହେଉଛି । ଏହାପରେ ଅପରାହ୍ଣ ୪ଟା ୪୫ ମିନିଟରେ ଓଡିଶା ଆସିବେ । ଭୁବନେଶ୍ୱରରେ ଆରବିଆଇର ନୂତନ ପ୍ରତିଷ୍ଠିତ ଡାଟା ସେଂଟର ଓ ସାଇବର ସୁରକ୍ଷା ତାଲିମ ପ୍ରତିଷ୍ଠାନ ଉଦ୍ଘାଟନ କରିବେ । ଏହି ଅବସରରେ ଉପସ୍ଥିତି ଜନସମାବେଶକୁ ସମ୍ବୋଧନ କରିବେ ମୋଦି ।
ବାରାଣାସୀ କାର୍ଯ୍ୟକ୍ରମ
ଉତ୍ତରପ୍ରଦେଶରେ ଅରବିନ୍ଦ ଲିମିଟେଡର ନୂତନ ପୋଷାକ ଉତ୍ପାଦନ କେନ୍ଦ୍ରର ଉଦଘାଟନ କରିବେ ମୋଦି । ଏହା ଭାରତର ବସ୍ତ୍ର ଓ ପୋଷାକ ଉତ୍ପାଦନ ବ୍ୟବସ୍ଥାକୁ ସୁଦୃଢ କରିବ । ଏହାସହ ଏହି ଅଂଚଳରେ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ଗୁରୁତତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଆଧୁନିକ ଉତ୍ପାଦନ ପ୍ରକ୍ରିୟା ଉପରେ ଆଧାରିତ ଏକି କେନ୍ଦ୍ର ବିଶେଷ କରି ମହିଳାଙ୍କ ପାଇଁ ନିଯୁକ୍ତିର ଉପଯୁକ୍ତ ସୁଯୋଗ ସୃଷ୍ଟି କରିବା ଅଂଚଳର ଅର୍ଥନୈତିକ ପ୍ରଗତିରେ ଯୋଗଦାନ ଦେବ । ଶିଳ୍ପ ନିବେଶ ଏବଂ ଉତ୍ପାଦନ ଭିତ୍ତିକ ବିକାଶ ପାଇଁ ଏହା ବେଶ ଭଲ କାମ କରିବ । ବିଶ୍ୱବ୍ୟାପୀ ଗ୍ରାହକଙ୍କୁ ଦୃଷ୍ଟିରେ ରଖି ବାରାଣାସୀର ଏହି କେନ୍ଦ୍ର ଉତ୍ପାଦ ଗୁଡିକ ବିଶ୍ୱରେ କିପରି ପହଂଚିବ ତା ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ମହିଳାଙ୍କ ଦ୍ୱାରା ପରିଚାଳିତ ଏହି ଉଦ୍ୟମ, ମହିଳା ନେତୃତ୍ୱଧିନ ବିକାଶର ଏକ ଶକ୍ତିଶାଳୀ ପ୍ରତୀକ ହେବ ।
ଏହାପରେ ପ୍ରଧାନମନ୍ତ୍ରୀ ବାରଣାସୀ ନମୋ ଘାଟରେ ବାୟୁସେନା ଦିବସରେ ହେବାକୁ ଥିବା ଏରିୟଲ ଡିସପ୍ଲେ ବା ଆକାଶ ପ୍ରଦର୍ଶନୀ ଦେଖିବେ । ଭାରତୀୟ ବାୟୁସେନାର ୯୪ତମ ବାର୍ଷିକୀ ଅବସରରେ ‘ଉଇଙ୍ଗସ ଓଭର ଗଙ୍ଗେସ୍’ ବିଷୟବସ୍ତୁରେ ହେବ ଏୟାର ସୋ । ଏହି ଏୟାର ଶୋରେ ତେଜସ୍, ଲାଇଟ୍ କମ୍ବାଟ୍ ହେଲିକପ୍ଟର, ପ୍ରଚଣ୍ଡ ଏବଂ ରାଫେଲ୍ ଭଳି ଯୁଦ୍ଧ ବିମାନ ସହ ପରିବହନ ବିମାନ ଗୁଡିକ ମଧ୍ୟ ସାମିଲ ରହିବେ । ଭାରତୀୟ ନୌନେସା ଓ ସ୍ଥଳସେନାର ବିମାନ ଅଂଶଗ୍ରହଣ କରିବେ । ସେନାବାହିନୀ ଭିତରେ ଥିବା ସମନ୍ୱୟ ଓ ମିଳିତ କାର୍ଯ୍ୟଦକ୍ଷତାକୁ ପ୍ରଦର୍ଶିତ କରିବ । ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଓ ସାରଙ୍ଗ ହେଲିକପ୍ଟର ସେମାନଙ୍କ ଜଲୱା ଦେଖାଇବେ ।
ଓଡିଶା କାର୍ଯ୍ୟକ୍ରମ
ଭାରତର ଆର୍ଥିକ ବ୍ୟବସ୍ଥା ବୈଷୟିକ ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂତନ ଭାବେ ସ୍ଥାପିତ ଡାଟା ସେଂଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉଦଘାଟନ କରିବେ । ଏହା ବ୍ୟାଙ୍କର କମ୍ପ୍ୟୁଟିଂ ଆବଶ୍ୟକତା ପୂରଣ କରିବା ସହ ବ୍ୟାଙ୍କ ଏବଂ ବ୍ୟାପକ ଆର୍ଥିକ କ୍ଷେତ୍ର ପାଇଁ ଏକ ସୁରକ୍ଷିତ ,ସୁଦୃଢ, ସମ୍ପ୍ରସାରଣ ଯୋଗ୍ୟ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ଥିବା କମ୍ପ୍ୟୁଟିଂ ବ୍ୟବସ୍ଥା ଯୋଗାଇବା ଲକ୍ଷ୍ୟ ନେଇ ପ୍ରସ୍ତୁତ ହୋଇଛି । ଏଠାରେ ଥିବା ୪ଟି ଅତ୍ୟାଧୁନିକ ଡାଟା ସେଂଟରରେ ଗୁରତ୍ୱପୂର୍ଣ୍ଣ ଦେୟ ଓ ସମାଧାନ ବ୍ୟବସ୍ଥା ସହ ଅନ୍ୟାନ୍ୟ ପ୍ରମୁଖ କାମ ଗୁଡିକ ପରିଚାଳିତ ହେବ । ଏହା ଏକ ସୁରକ୍ଷିତ ଡିଜିଟାଲ ଭିତ୍ତିଭୂମି ଯୋଗାଇବ । ଏହା କେନ୍ଦ୍ରୀୟ ବ୍ୟାଙ୍କ ଗୁଡିକର ଗୋଷ୍ଠୀ ମଧ୍ୟରେ ଡିଜିଟାଲ ଭିତ୍ତିଭୂମି କ୍ଷେତ୍ରରେ ଏକ ଅଗ୍ରଣୀ ସଂସ୍ଥା ଭାବେ ରିଜର୍ଭ ବ୍ୟାଙ୍କର ସ୍ୱତନ୍ତ୍ର ସ୍ଥିତିକୁ ସୁଦୃଢ କରିବ । ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଦକ୍ଷତା ବିକାଶକୁ ତ୍ୱରାନ୍ୱିତ କରିବ । ଏହା ସାଇବର ସୁରକ୍ଷା ଏବଂ ଉଦ୍ୟୋଗସ୍ତରୀୟ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧୀୟ ପ୍ରଶିକ୍ଷଣ ଦେବ ।

