ଭୁବନେଶ୍ୱର: ବିଞ୍ଝାରପୁର ବ୍ଲକ ପୂର୍ବତନ ବ୍ଲକ୍ କଂଗ୍ରେସ ସଭାପତି ପ୍ରଫୁଲ୍ଲ ଦାସ ଆଜି ବିଧିବଦ୍ଧ ଭାବେ ଓଡ଼ିଶା ଜନତା କଂଗ୍ରେସରେ ଯୋଗ ଦେଇଛନ୍ତି । ଶନିବାର ପୂର୍ବାହ୍ନରେ ପ୍ରଫୁଲ୍ଲ ଦାସ ରାଜ୍ୟ କାର୍ୟ୍ୟାଳୟଠାରେ ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ମହମ୍ମଦ ମୋକିମ୍ ଦଳୀୟ ଉତ୍ତରୀୟ ପିନ୍ଧାଇ ପ୍ରଫୁଲ୍ଲଙ୍କୁ ଦଳକୁ ସ୍ୱାଗତ କରିଥିଲେ । ପ୍ରଫୁଲ୍ଲ ପୂର୍ବରୁ ବିଞ୍ଝାରପୁର ବ୍ଲକ୍ ପ୍ରୀତିପୁର ପଞ୍ଚାୟତରେ ଦୁଇଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପ୍ରୀତିପୁର ସେବା ସମବାୟ ସମିତିର ସଭାପତି ଭାବେ ମଧ୍ୟ ସେ ପୂର୍ବରୁ ନିର୍ବାଚିତ ହୋଇଥିଲେ । ଏହାସହ ଜୁନାଭଦ୍ରା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଧ୍ୟ ମନୋନୀତ ହୋଇଥିଲେ । ଶ୍ରମିକ ସଂଗଠନ ଏସ୍.ୟୁ.ସି.ଆଇ.ର ଜୋନ୍ ସମ୍ପାଦକ ରୂପେ ଯାଜପୁର ଜିଲ୍ଲାରେ ଦୀର୍ଘ ୧୭ ବର୍ଷ ଧରି କାର୍ୟ୍ୟ କରିଛନ୍ତି ।
କଂଗ୍ରେସ ସହ ଅନ୍ୟ ପ୍ରମୁଖ ଦଳମାନେ ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଥିବା କହିଛନ୍ତି ପ୍ରଫୁଲ୍ଲ । ଏମ୍.ଏମ୍.ଡି.ଆର ଆଇନକୁ ବିରୋଧ କରି ଓଜେସି ପ୍ରଥମ ଦଳଭାବେ ରାଜରାସ୍ତାକୁ ଓହ୍ଲାଇ ଥିଲା। ଖୁବ କମ୍ ସମୟ ମଧ୍ୟରେ ଓଜେସି ଓଡ଼ିଆ ଲୋକଙ୍କ ସ୍ୱର ହୋଇ ଲଢ଼େଇ କରୁଛି । ଏଥିରେ ପ୍ରଭାବିତ ହୋଇ ଏବଂ ମହମ୍ମଦ ମୋକିମଙ୍କ ବଳିଷ୍ଠ ସାଂଗଠନିକ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ଓଜେସିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି । ପ୍ରଫୁଲ୍ଲଙ୍କ ଯୋଗଦାନ ଓଜେସିକୁ ଯାଜପୁର ଓ ବିଞ୍ଝାରପୁର ଅଞ୍ଚଳରେ ଅଧିକ ଶକ୍ତିଶାଳୀ କରିବ ବୋଲି ମହମ୍ମଦ ମୋକିମ୍ କହିଛନ୍ତି। କାର୍ୟ୍ୟକ୍ରମରେ ଓଜେସି ସାଧାରଣ ସମ୍ପାଦକ ନରେଶ ମହାନ୍ତି ଓ ଅନ୍ୟ ନେତୃତ୍ୱମାନେ ଉପସ୍ଥିତ ଥିଲେ ।

