ମାଲକାନଗିରି:ହରିୟାଣା ପୋଲିସ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଏମ୍ଭି-୬୫ ଗ୍ରାମର ଯୁବକ ତନୁପ ଦେ(୨୪)ଙ୍କୁ ହେପାଜତକୁ ନେଇଥିଲା। ତେବେ କିଛି ସମୟ ପରେ ସ୍ଥାନୀୟ ଏକ ହୋଟେଲରୁ ତନୁପଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା। ହରିୟାଣା ପୋଲିସ ମାଡ଼ ମାରି ତନୁପଙ୍କୁ ହତ୍ୟା କରିଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ତନୁପଙ୍କ ପରିବାର ଓ ନିକଟ ସମ୍ପର୍କୀୟ ମାଲକାନଗିରି ଥାନା ଘେରାଉ କରିବା ସହ ରାଜପଥ ୩୨୬ ଅବରୋଧ କରିଥିଲେ ।
ସୂଚନାଥାଉକି, ଏମ୍ଭି-୬୫ ଗ୍ରାମର ଯୁବକ ତନୁପଙ୍କୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ହରିୟାଣାର ହଂସି ଥାନା ପୋଲିସ ଏମଭି-୧୪ ଗ୍ରାମରୁ ଉଠାଇ ଆଣିଥିଲା। ପରେ ତାଙ୍କୁ ମାଲକାନଗିରି ସହରର ଏକ ହୋଟେଲରେ ରଖାଯାଇଥିଲା। ତେବେ ଆଜି ପୂର୍ବାହ୍ଣରେ ସେହି ହୋଟେଲରୁ ତନୁପଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା।
ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଥାନା ଘେରାଉ କରି ହରିୟାଣା ପୋଲିସକୁ ଗିରଫ କରିବା ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ-୩୨୬ ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି।
ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି, ହରିୟାଣା ପୁଲିସ ତନୁପଙ୍କୁ ମାଡ଼ ମାରି ହତ୍ୟା କରିବା ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିଛି। ଅନ୍ୟପଟେ, ମାଲକାନଗିରି ପୁଲିସ କହିଛି, ଘଟଣାର ତଦନ୍ତ ଜାରି ରଖିଛି। ତନୁପଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ତାହା ତଦନ୍ତ ପରେ ହିଁ ଜଣାପଡିବ ।

