ବରଗଡ:ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ମାସ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୨୦୨୫-୨୬ ଧନୁଯାତ୍ରା ନିମନ୍ତେ ଚର୍ଚ୍ଚିତ କଂସ ଭୂମିକା ନିମନ୍ତେ ଚୟନ ହୋଇଥିବା ସୁଶୀଳ ମେହେର ଆଜି ନିଜ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି। ଥରେ କଂସ ଭୂମିକା ନିମନ୍ତେ ଚୟନ ହେଲେ, ୩ ବର୍ଷ ନିମନ୍ତେ ଦାୟିତ୍ବ ତୁଲାଇବା ନିୟମ ରହିଥିବା ବେଳେ ବିଭିନ୍ନ ମହଲରୁ ପ୍ରତିବାଦକୁ ଦୃଷ୍ଟିରେ ରଖି ସୁଶୀଳ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
ସୂଚନାଥାଉକି, ଗତବର୍ଷ ଧନୁଯାତ୍ରା ପୂର୍ବରୁ ଚୟନ ପ୍ରକିୟା ହୋଇଥିଲା। ବିଚାରକମାନେ ସୁଶୀଳ ମେହେରଙ୍କୁ ବରଗଡ଼ ଧନୁଯାତ୍ରାର କଂସ ଅଭିନୟଭାବେ ଚୟନ କରିଥିଲେ। ମାତ୍ର ଗତବର୍ଷ ଧନୁଯାତ୍ରାରେ ତାଙ୍କ ଅଭିନୟକୁ ବିଭିନ୍ନ ମହଲରେ ନାପସନ୍ଦ କରିଥିଲେ ଏବଂ ଆଗାମୀ ଧନୁଯାତ୍ରାରେ ତାଙ୍କୁ କଂସ ଅଭିନୟରୁ ବାଦ ଦେବା ପାଇଁ ଦାବି ଉଠିଥିଲା। ଗତ କିଛିଦିନ ତଳେ ଅନୁଷ୍ଠିତ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଏହି ଦାବି ଜୋର୍ ଧରିଥିଲା। ତେବେ ଏଭଳି ସ୍ଥିତିରେ ସେ ମାନସିକ ଭାରାକ୍ରାନ୍ତ ଥିବା ଯୋଗୁ ଅଭିନୟରୁ ଅବ୍ୟାହତି ନେଉଛନ୍ତି ବୋଲି ସୁଶୀଳ କହିଛନ୍ତି ।

