Latest Odisha News

BREAKING NEWS

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ; ଏସବୁ ସ୍ଥାନରେ ପ୍ରବଳ ବର୍ଷିିବ, ଆଉ ୩ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି ଛୁଟି…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, ଜଗତସିଂହପୁର ଏବଂ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖୋର୍ଦ୍ଧା, ଜଗତସିଂହପୁର ଏବଂ ନୟାଗଡ଼ର ଜିଲ୍ଲାପାଳ ମାନେ ଅକ୍ଟୋବର ୨୭ ଓ ୨୮ ତାରିଖରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି।

ଖୋର୍ଦ୍ଧାରେ ଜିଲ୍ଲାପାଳ ଅମୃତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି ଯେ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକ ଆଜି (ଅକ୍ଟୋବର ୨୭) ଅପରାହ୍ନ ୧ଟାରୁ ଏବଂ ଆସନ୍ତାକାଲି (ଅକ୍ଟୋବର ୨୮) ବନ୍ଦ ରହିବ। ବାତ୍ୟା ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରିବା ପାଇଁ ସ୍କୁଲ୍ କୋଠାଗୁଡ଼ିକୁ ୨୪ ଘଣ୍ଟା ଖୋଲା ରଖିବାକୁ ଏବଂ ଆବଶ୍ୟକୀୟ ପ୍ରସ୍ତୁତି ରଖିବାକୁ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧାରେ ସରକାରୀ କର୍ମଚାରୀଙ୍କ ସମସ୍ତ ଛୁଟି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି।

ସେହିପରି ଜଗତସିଂହପୁର ଏବଂ ନୟାଗଡ଼ରେ ମଧ୍ୟ ଜିଲ୍ଲାପାଳମାନେ ଆଜି ଓ ଆସନ୍ତାକାଲି ପାଇଁ ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ତେବେ ସ୍କୁଲର ସମ୍ପତ୍ତି ଓ ନଥିପତ୍ରର ସୁରକ୍ଷା ନିଶ୍ଚିତ କରିବା ପାଇଁ ଶିକ୍ଷକ ଓ କର୍ମଚାରୀମାନଙ୍କୁ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୫ ଜିଲ୍ଲାରେ ସ୍କୁଲ୍ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିମଧ୍ୟରେ ରହିଛି ନବରଙ୍ଗପୁର, ପୁରୀ, ରାୟଗଡ଼ା, କୋରାପୁଟ ଏବଂ ଗଞ୍ଜାମ ଜିଲ୍ଳା।

Leave A Reply

Your email address will not be published.