Latest Odisha News

BREAKING NEWS

ଶାନ୍ତି ପ୍ରତିଷ୍ଠା ପାଇଁ ହୁତି ବିଦ୍ରୋହୀଙ୍କୁ ସାଉଦି ଆରବର ୧ ବିଲିୟନ ଡଲାରର ପ୍ରସ୍ତାବ

ତେହେରାନ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ହ୍ରାସ କରିବା ଏବଂ କୂଟନୈତିକ ସ୍ଥିରତା ଫେରାଇ ଆଣିବା ପାଇଁ ସାଉଦି ଆରବ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ତେହେରାନରେ ଇରାନର ମଧ୍ୟସ୍ଥତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସାଉଦି ଆରବ, ୟେମେନର ହୁତି ବିଦ୍ରୋହୀମାନଙ୍କୁ ସାଉଦି ଓ ତାର ଭିତ୍ତିଭୂମି ଉପରେ ହେଉଥିବା ଆକ୍ରମଣ ସମ୍ପୂର୍ଣ୍ଣ ବନ୍ଦ କରିବା ବଦଳରେ ୧ ବିଲିୟନ ଡଲାର (ପ୍ରାୟ ୮,୪୦୦ କୋଟି ଟଙ୍କା)ର ସାମରିକ ଓ ଆର୍ଥିକ ସହାୟତା ପ୍ୟାକେଜ୍ ପ୍ରସ୍ତାବ ଦେଇଛି।

ଏହି ବୈଠକରେ ସାଉଦି ପ୍ରତିରକ୍ଷା ମନ୍ତ୍ରୀ ପ୍ରିନ୍ସ ଖାଲିଦ୍ ବିନ୍ ସଲମାନ ସିଧାସଳଖ ତେହେରାନ ଗସ୍ତ କରିଥିଲେ* । ଏହି ଶାନ୍ତି ଆଲୋଚନା ଟେବୁଲରେ ‘ମକ୍କା ଜଏଣ୍ଟ ଡିଫେନ୍ସ ଆଲାଏନ୍ସ’ର ପ୍ରତିନିଧି ଭାବେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ୍ ମୁନିର୍ ଏବଂ ତୁର୍କୀ ଗୁପ୍ତଚର ସଂସ୍ଥାର ମୁଖ୍ୟ ଇବ୍ରାହିମ କାଲିନ୍ ମଧ୍ୟ ସାମିଲ ଥିଲେ। ଇରାନ ପକ୍ଷରୁ ରାଷ୍ଟ୍ରପତି ମସୁଦ ପେଜେସକିଆନ୍ ଏବଂ ଆଇଆରଜିସି ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ରିପୋର୍ଟ ଅନୁଯାୟୀ, ଗତ କିଛି ଦିନ ହେବ ସାଉଦି ଆରବର ତେଲ ବିଶୋଧନାଗାର, ବିମାନବନ୍ଦର ଏବଂ ଲୋହିତ ସାଗରରେ ଜାହାଜ ଚଳାଚଳ ଉପରେ ହୁତି ବିଦ୍ରୋହୀମାନେ ଧାରାବାହିକ ଆକ୍ରମଣ କରିଥିଲେ। ହୁତି ବିଦ୍ରୋହୀଙ୍କ ଅଭିଯୋଗ ଥିଲା ଯେ ସାଉଦି ଆରବ ପୂର୍ବରୁ ଦେଇଥିବା ଆର୍ଥିକ ପ୍ରତିଶ୍ରୁତି ପୂରଣ କରିନଥିଲା, ଯାହାଫଳରେ ସେମାନେ ପୁଣି ସଂଘର୍ଷ ଆରମ୍ଭ କରିଥିଲେ । ଏହି ଆକ୍ରମଣ କାରଣରୁ ବିଶ୍ୱ ତୈଳ ବଜାରରେ ଅସ୍ଥିରତା ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଥିଲା।

ତେବେ ଏହି ଆଲୋଚନାକୁ ନେଇ ସାଉଦି ବୈଦେଶିକ ମନ୍ତ୍ରଣାଳୟ ନିଜ ସରକାରୀ ବୟାନରେ କହିଛି ଯେ, ଏହି ଗସ୍ତ କେବଳ ଆଞ୍ଚଳିକ ଶାନ୍ତି, ସୁରକ୍ଷା ଏବଂ କୂଟନୈତିକ ସମାଧାନ ପାଇଁ ଉଦ୍ଦିଷ୍ଟ। ସାଉଦି ପ୍ରଶାସନ ୧ ବିଲିୟନ ଡଲାର ନଗଦ ପ୍ରଦାନ କିମ୍ବା ଶାନ୍ତି ଚୁକ୍ତିର ଚୂଡ଼ାନ୍ତ ମୋହରକୁ ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ସ୍ୱୀକାର କରିନାହାଁନ୍ତି। ଅନ୍ୟପଟେ, ସୈନ୍ୟବାହିନୀ ଉପରେ ଚାପ ପକାଇ କୌଣସି ଆର୍ଥିକ ଚୁକ୍ତି କରିବାକୁ ସାଉଦି ଆରବ ମନା କରିଛି। ଏହି ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ମଧ୍ୟପ୍ରାଚ୍ୟରେ ସୁରକ୍ଷା ଓ ଶାନ୍ତି ଫେରାଇ ଆଣିବାରେ କେତେ ସଫଳ ହେବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave A Reply

Your email address will not be published.