Latest Odisha News

BREAKING NEWS

Cyclone Arnab:ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି;ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଅତି ଭୀଷଣ ବାତ୍ୟା (Very Severe Cyclonic Storm) ରୂପରେ ‘ଅର୍ଣ୍ଣବ’ ମଙ୍ଗଳବାର ବିଳମ୍ବିତ ରାତିରେ କାକିନାଡ଼ାର ଦକ୍ଷିଣରେ କଲା ଲ୍ୟାଣ୍ଡଫଲ୍‌ । ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଅତିକ୍ରିମ ଜାରି ରହିଛି । ଅକ୍ଟୋବର ୨୮ ତାରିଖ ରାତି ୨ଟାରୁ ବାତ୍ୟାର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଜାରି ରହିଛି । ସ୍ଥଳଭାଗ ଛୁଇଁଲାବେଳକୁ ପବନ ପିଟୁଥିଲା ଘଣ୍ଟା ପ୍ରତି ୧୨୫-୧୩୫ କିଲୋମିଟର ବେଗରେ । ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ୟାନମ୍ ଓ ଆନ୍ଧ୍ର ଉପକୂଳ ନିକଟରେ ରହିଛି ବାତ୍ୟା । ଆଜି ସକାଳ ୫ଟା ୩୦ ମିନିଟ୍‌ର ପାଣିପାଗ ବୁଲେଟିନ୍ ଅନୁଯାୟୀ, ବାତ୍ୟା କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୧୪୦ କିଲୋମିଟର ଛୁଇଁଛି ।

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଆନ୍ଧ୍ରପ୍ରଦେଶ କାକିନାଡ଼ା ଜିଲ୍ଲାର କୋରାଙ୍ଗି ଅଞ୍ଚଳରେ ଅନେକ ଗଛ ଉପୁଡ଼ି ପଡ଼ିଛି । ପାଣିପାଗ ବିଭାଗ ଏକ ସରକାରୀ ବିବୃତ୍ତିରେ କହିଛି ଯେ ଅତ୍ୟନ୍ତ ସିଭିୟର ଘୂର୍ଣ୍ଣିଝଡ଼ ଅର୍ଣ୍ଣବର କେନ୍ଦ୍ର ଆନ୍ଧ୍ର ପ୍ରଦେଶ ଉପକୂଳର ବହୁତ ନିକଟରେ ଅଛି ଏବଂ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଘୂର୍ଣ୍ଣିଝଡ଼ ଅର୍ଣ୍ଣବ ପ୍ରଭାବ ପଡ଼ିଛି । ସହରରେ ପ୍ରବଳ ବର୍ଷା ସହିତ ପ୍ରବଳ ପବନ ବହିଛି । ଝଡ଼ ଏବଂ ବର୍ଷା ଅନେକ ଗଛ ଉପୁଡ଼ି ପଡ଼ିଛି, ଯାହା ଫଳରେ ସଡ଼କ ପରିବହନ ବାଧାପ୍ରାପ୍ତ ହୋଇଛି ।

 

ଅନ୍ୟପଟେ ବାତ୍ୟାର ପ୍ରଭାବରେ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ରେକର୍ଡ ହୋଇଛି। ଗୋପାଳପୁରରେ ୯୪ ମିଲିମିଟର ଏବଂ ପୁରୀରେ ୭୨ ମିଲିମିଟର ବର୍ଷା ହୋଇଛି । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ୱାଲଟେୟାରରେ ସର୍ବାଧିକ ୨୧୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କାଳିଙ୍ଗପାଟନମ୍‌ରେ ୧୪୭ ମିଲିମିଟର ଏବଂ କାକିନାଡାରେ ୧୧୮ ମିଲିମିଟର ବର୍ଷା ହୋଇଛି ।

ସୂଚନାଥାଉକି, କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ବର୍ଷା ରେକର୍ଡ ହୋଇଛି। ମଙ୍ଗଳବାର ସକାଳ ୮ଟାରୁ ବୁଧବାର ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲାର ୧୪ଟି ବ୍ଲକରେ ମୋଟ ୭୫୨ ମିଲିମିଟର ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ଜିଲ୍ଲାର ହାରାହାରି ବର୍ଷା ପରିମାଣ ୫୩.୭ ମିଲିମିଟର ରେକର୍ଡ କରାଯାଇଛି। ପଟ୍ଟାଙ୍ଗି ବ୍ଲକରେ ସର୍ବାଧିକ ୧୫୧.୮ ମିଲିମିଟର ବର୍ଷା ହୋଇଥିବା ବେଳେ ସେମିଳିଗୁଡ଼ାରେ ୧୨୬.୧ ମିଲିମିଟର, ନାରାୟଣପାଟଣାରେ ୮୭ ମିଲିମିଟର, ଲକ୍ଷ୍ମୀପୁରରେ ୭୬.୯ ମିଲିମିଟର ଏବଂ ନନ୍ଦପୁରରେ ୫୨.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ବୁଧବାର ସକାଳ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି। ପବନ ବି ଲାଗି ରହିବ । ବୁଧବାର ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ବାତ୍ୟାର ସମ୍ଭାବ୍ୟ ଗତିପଥ ଟ୍ରାକରେ ପଡ଼ୁଥିବା କିମ୍ବା ନିକଟବର୍ତ୍ତୀ ଥିବାରୁ ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମରେ ପ୍ରବଳରୁ ଅତି ଭୀଷଣ ବର୍ଷା ଓ ପବନ ଆଶଙ୍କା ଅଛି। ଲଗାଣ ବର୍ଷା, ପବନ ଯୋଗୁ ଦକ୍ଷିଣ ଓଡ଼ିଶାରେ ଭୂସ୍ଖଳନ ଆଶଙ୍କା ରହିଛି । ଅନ୍ୟପଟେ ଲଗାଣ ବର୍ଷାରେ ନାଗାବଳୀ, ଋଷିକୂଲ୍ୟା, ଗୋଦାବରୀ ଫୁଲିବା ଆଶଙ୍କା ରହିଛି । ଛତିଶଗଡ଼ରେ ପ୍ରବଳ ବର୍ଷା ହେଲେ ମହାନଦୀ ଉପରମୁଣ୍ଡ ଜଳସ୍ତର ବଢ଼ିପାରେ ।

Leave A Reply

Your email address will not be published.