Flood fury in Ganjam: ଗଞ୍ଜାମ ବନ୍ୟା ବିପନ୍ନଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ କଟକ ଜିଲ୍ଲା ପ୍ରଶାସନ;୨ଟି କଣ୍ଟେନର ଗାଡ଼ିରେ ପଠାଇଲେ…
କଟକ:ଗଞ୍ଜାମ ଜିଲ୍ଲା ବନ୍ୟା ବିପନ୍ନଙ୍କ ନିକଟରେ ଜରୁରୀକାଳୀନ ସହାୟତା ପହଞ୍ଚାଇବା ଏବଂ ସେମାନଙ୍କ ଦୁର୍ଦ୍ଦିନରେ ସହଯୋଗର ହାତ ବଢ଼ାଇବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ୍ ସାମଗ୍ରୀ ପଠାଯାଇଛି। ଶୁକ୍ରବାର ମଧ୍ୟରାତ୍ରିରେ ଦୁଇଟି କଣ୍ଟେନର ଗାଡ଼ିରେ ଏହି ରିଲିଫ୍ ସାମଗ୍ରୀ କଟକରୁ ଗଞ୍ଜାମ ଅଭିମୁଖେ ଯାତ୍ରା କରିଛି । ଦୁଇଟି କଣ୍ଟେନରରେ ୨୬ ହଜାର ପାଣି ବୋତଲ, ୨୧ ହଜାର ବିସ୍କୁଟ୍ ଓ ୧୮ ହଜାର ହର୍ଲିକ୍ସ ପ୍ୟାକେଟ୍ ସହ ୪ କ୍ୱିଣ୍ଟାଲ ଚୁଡ଼ା ପଠାଇଛି କଟକ ଜିଲ୍ଲା ପ୍ରଶାସନ।
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ବର୍ଷାରେ ଗଞ୍ଜାମ ଜିଲ୍ଲାରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ଏହି ବନ୍ୟା ସମୟରେ ପାନୀୟ ଜଳ ଓ ଖାଦ୍ୟ ସାମଗ୍ରୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ରିଲିଫ୍ ସାମଗ୍ରୀ ପଠାଯାଇଛି।
କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶକ୍ରମେ ରିଲିଫ୍ ସାମଗ୍ରୀ ସଂଗ୍ରହ, ବ୍ୟବସ୍ଥିତ ଭାବେ ପ୍ୟାକିଂ ଏବଂ ପରିବହନ ଆଦି କାର୍ଯ୍ୟର ତଦାରଖ କରାଯାଇଥିଲା। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନୂରୀ ପରବୀନ ଉପସ୍ଥିତ ରହି ରିଲିଫ୍ ସାମଗ୍ରୀ ପ୍ରେରଣ ସମ୍ପର୍କିତ ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ। ନିର୍ଦ୍ଧାରିତ ସାମଗ୍ରୀ ଯେପରି ସୁରକ୍ଷିତ ଭାବେ ଗଞ୍ଜାମରେ ପହଞ୍ଚି ବିପନ୍ନଙ୍କ ନିକଟରେ ଉପଲବ୍ଧ ହୋଇପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।
ସୂଚନାଥାଉକି, ବାତ୍ୟା ପରେ ଲଗାଣ ବର୍ଷାରେ ତିନି ଜିଲ୍ଲା ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ବର୍ଷା ସବୁ ରେକର୍ଡ ଭାଙ୍ଗିଛି । ଗଞ୍ଜାମ ଜିଲ୍ଲାରେ ୩୬୭ ରିଲିଫ କ୍ୟାମ୍ପରେ ୩୯ ହଜାର ୬୧୯ ଲୋକ ଅଛନ୍ତି । ଜିଲ୍ଲାରେ ମୋଟ ୧ ଲକ୍ଷ ୫ ହଜାର ୬୨୨ ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ଗଜପତିରେ ୨୧ ହଜାର ୭୮୨ ଲୋକ ପ୍ରଭାବିତ ହୋଇଛନ୍ତି । ୩୪୦ ରିଲିଫ କ୍ୟାମ୍ପରେ ବନ୍ୟା ବିପନ୍ନଙ୍କୁ ସୁବିଧା ଦିଆଯାଉଛି ।

