Latest Odisha News

BREAKING NEWS

Free Chicken to Voters: ଭୋଟର ସ୍ଲିପ୍ ଦେଖାଅ, ମାଗଣାରେ ନିଅ ୧ କିଲୋ ଚିକେନ୍! ଭୋଟ୍ ପାଇଁ ପ୍ରାର୍ଥୀଙ୍କ ଅଜବ ଅଫର୍!

ନେଲ୍ଲୋର: ଭୋଟ୍ ଦିଅ, ଟଙ୍କା ନିଅ! ଭୋଟର ସ୍ଲିପ୍ ଦେଖାଅ, ମାଗଣାରେ ଚିକେନ୍ ନିଅ! ନିର୍ବାଚନରେ ଭୋଟରଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ଏମିତି ଅଜବ ଅଫର୍ ଦେଇ ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶର ପ୍ରାର୍ଥୀ। ମ୍ୟୁନିସିପାଲିଟି ନିର୍ବାଚନରେ ଭୋଟ୍ ହାତେଇବା ପାଇଁ କେଉଁଠି ଟଙ୍କା ବଣ୍ଟା ଚାଲିଛି ତ ଆଉ କେଉଁଠି ମହିଳାଙ୍କୁ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଦିଆଯାଉଛି। ହେଲେ ନେଲ୍ଲୋରରେ କଂଗ୍ରେସ ପ୍ରାର୍ଥୀଙ୍କ ଅଫର୍ ସବୁ ସୀମା ଟପିଯାଇଛି।

ଆନ୍ଧ୍ରପ୍ରଦେଶରେ ଚାଲିଥିବା ମ୍ୟୁନିସିପାଲିଟି ନିର୍ବାଚନରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଧାଡ଼ି ଲାଗିଥିଲା। ତେବେ ଏହି ନିର୍ବାଚନ ମଧ୍ୟରେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଅନେକ ପ୍ରକାରର ଉପହାର ଓ ଟଙ୍କା ବଣ୍ଟାଯାଉଥିବା ଖବର ସାମ୍ନାକୁ ଆସିଛି। ନେଲ୍ଲୋରର ଏକ ଡିଭିଜନରେ କଡ଼ା ମୁକାବିଲା ଥିବାରୁ ଜଣେ କଂଗ୍ରେସ ପ୍ରାର୍ଥୀ ଭୋଟର ସ୍ଲିପ୍ ଦେଖାଇଲେ ଗୋଟିଏ କିଲୋ ମାଗଣା ଚିକେନ୍ ଦେବାକୁ ଘୋଷଣା କରିଥିଲେ। ଶନିବାର ଓ ରବିବାର ଦୁଇ ଦିନ ପାଇଁ ଏହି ଅଫର୍ ରଖାଯାଇଥିଲା। ଫଳରେ ଜନାର୍ଦ୍ଦନ ରେଡ୍ଡୀ କଲୋନୀର ଏକ ଚିକେନ୍ ଦୋକାନ ନିକଟରେ ମାଗଣା ଚିକେନ୍ ନେବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ପହଞ୍ଚି ଦୋକାନଟିକୁ ବନ୍ଦ କରାଇଥିଲା।

କେବଳ ନେଲ୍ଲୋର ନୁହେଁ, ନନ୍ଦ୍ୟାଲ ସହରରେ ମଧ୍ୟ ଟଙ୍କା ବଣ୍ଟାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଟିଡିପି ଓ ୱାଇଏସ୍‌ଆର୍‌ସିପି ପ୍ରାର୍ଥୀମାନେ ଭୋଟରଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ସହରର ୫୨ଟି ୱାର୍ଡରେ ନଗଦ ଟଙ୍କା ବଣ୍ଟାଯାଇଥିବା ଖବର ମିଳିଛି। ପ୍ରତି ଭୋଟ୍ ପାଇଁ ସର୍ବନିମ୍ନ ୫୦୦ ଟଙ୍କା ଦିଆଯାଇଥିବା କୁହାଯାଉଛି। ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ୧୩ ନମ୍ବର ୱାର୍ଡ। ଏଠାରେ ଗୋଟିଏ ପ୍ରମୁଖ ଦଳର ପ୍ରାର୍ଥୀ ପ୍ରତି ଭୋଟ୍ ପାଇଁ ୨,୫୦୦ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିବାବେଳେ ଅନ୍ୟ ଜଣେ ପ୍ରାର୍ଥୀ ୨,୦୦୦ ଟଙ୍କା ବାଣ୍ଟିଥିବା କୁହାଯାଉଛି।

ତେବେ ଭୋଟ୍ ପାଇଁ ଏଭଳି ଟଙ୍କା ଓ ଉପହାର ବଣ୍ଟା ନିର୍ବାଚନର ସ୍ୱଚ୍ଛତାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି। ଭୋଟରଙ୍କ ମତକୁ ଟଙ୍କା ଓ ଉପହାରରେ ପ୍ରଭାବିତ କରିବା ଅଭିଯୋଗ ଏବେ ଆନ୍ଧ୍ର ରାଜନୀତିରେ ଚର୍ଚ୍ଚାର ବିଷୟ।

Leave A Reply

Your email address will not be published.