ଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କଂଗ୍ରେସ ଏବଂ ‘ଇଣ୍ଡି’ ମେଣ୍ଟ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଦିଲ୍ଲୀର ରାମଲୀଳା ମୈଦାନରେ ବିରୋଧୀ ଦଳଗୁଡ଼ିକର ବିକ୍ଷୋଭ ପ୍ରଦର୍ଶନକୁ ନେଇ ସେ କହିଛନ୍ତି ଯେ, “ଭାରତ କୌଣସି ‘ ଅସ୍ଥିର ରାଷ୍ଟ୍ର ନୁହେଁ, ଯେଉଁଠାରେ ଯେତେବେଳେ ଇଚ୍ଛା ହିଂସା, ଦଙ୍ଗା ଏବଂ ଶାସନ ପରିବର୍ତ୍ତନ ର ଏଜେଣ୍ଡା ଚଲାଯାଇପାରିବ “।
ରାହୁଲ ଗାନ୍ଧୀଙ୍କୁ କଡ଼ା ଚେତାବନୀ ଦେଇ ନଡ୍ଡା କହିଛନ୍ତି ଯେ, ଭାରତ ବିଶ୍ୱର ସବୁଠାରୁ ପୁରାତନ ଏବଂ ଶକ୍ତିଶାଳୀ ଗଣତନ୍ତ୍ର। ବିରୋଧୀ ଦଳ ଗଣତନ୍ତ୍ର ରକ୍ଷା ନାମରେ ଦେଶରେ ଅରାଜକତା ସୃଷ୍ଟି କରିବା, ନିର୍ବାଚିତ ସରକାରକୁ ଅସ୍ଥିର କରିବା ଏବଂ ଦେଶର ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଆଜି ଅନୁଷ୍ଠିତ ରାଲିକୁ ନେଇ ନଡ୍ଡା ପ୍ରଶ୍ନ ଉଠାଇ କହିଛନ୍ତି ଯେ, *ଏହି ଦିନଟି ୧୯୮୪ ଶିଖ୍ ବିରୋଧୀ ଦଙ୍ଗାର କଳା ଇତିହାସ ସହ ଯୋଡ଼ିହୋଇ ରହିଛି, ଆଉ ବିରୋଧୀ ପୀଡ଼ିତଙ୍କୁ ମନେ ପକାଇବା ବଦଳରେ ନିଜର ରାଜନୈତିକ ଫାଇଦା ହାସଲ ପାଇଁ ରାଲି କରୁଛନ୍ତି।
ପାର୍ବଣ ଋତୁରେ ଏହି ପ୍ରତିବାଦ ଫଳରେ ଦିଲ୍ଲୀର ବ୍ୟବସାୟୀମାନଙ୍କର ହଜାର ହଜାର କୋଟି ଟଙ୍କାର କ୍ଷତି ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଦେଶ ସମ୍ବିଧାନ ଏବଂ ଜନସାଧାରଣଙ୍କ ଜନାଦେଶ ଦ୍ୱାରା ପରିଚାଳିତ ହେବ, କୌଣସି ଷଡ଼ଯନ୍ତ୍ର ଦ୍ୱାରା ନୁହେଁ। ଏହା ସହିତ ନଡ୍ଡା କହିଛନ୍ତି ଯେ, ବିରୋଧୀ ଦଳଗୁଡ଼ିକ ନିଜର ବାରମ୍ବାର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ଦେଶର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ବିକାଶମୂଳକ ନୀତି ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିସାରିଛନ୍ତି। ତେଣୁ ବିରୋଧୀଙ୍କର ଏହି ଭ୍ରାମାତ୍ମକ ପ୍ରଚାର ଏବଂ ରାଜନୈତିକ ଷଡ଼ଯନ୍ତ୍ର କେବେ ବି ସଫଳ ହେବ ନାହିଁ। ଏହି ରାଲି କଂଗ୍ରେସର ରାଜନୈତିକ ପତନର କାରଣ ହେବ ବୋଲି ନଡ୍ଡା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
