Latest Odisha News

BREAKING NEWS

Cyclone Murasu: ସୁ ସୁ ଗର୍ଜନ କରି ମାଡି ଆସୁଛି ‘ମୁରାସୁ’, ଓଡିଶାରେ ଆରମ୍ଭ ହୋଇଗଲାଣି ବର୍ଷା! ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ…

ଭୁବନେଶ୍ବର: ବଙ୍ଗୋପସାଗରରେ ଶକ୍ତି ବଢ଼ାଇ ଭୀଷଣ ବାତ୍ୟାରେ ପରିଣତ ହୋଇଛି ‘ମୁରାସୁ’। ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଲାଗି ରହିଛି ପ୍ରବଳ ବର୍ଷା। ଗୋପାଳପୁର ଡପଲର୍‌ ପାଣିପାଗ ରାଡାରର ନିରୀକ୍ଷଣ ଅନୁଯାୟୀ, ଗଞ୍ଜାମ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷାର ସକ୍ରିୟ ପଟ୍ଟି ରହିଛି। ଉପକୂଳ ଏବଂ ଭିତର ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି।

ଆଜି ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ନୟାଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଗଞ୍ଜାମ, କୋରାପୁଟ, ରାୟଗଡ଼ା, ଗଜପତି ଓ ମାଲକାନଗିରି। କଟକ ଓ ଭୁବନେଶ୍ୱର ଟ୍ୱିନ୍‌ ସିଟି ପାଇଁ ମଧ୍ୟ ୟେଲୋ ଆଲର୍ଟ ରହିଛି। ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳି ମାରିବାର ସମ୍ଭାବନା ରହିଛି।

ତେବେ ଆସନ୍ତା ୩ ଓ ୪ ନଭେମ୍ବର ଦକ୍ଷିଣ ଓଡ଼ିଶା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି, ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବର୍ଷା ସହ ପବନ ଓ ବିଜୁଳି ଘଡ଼ଘଡ଼ି ମଧ୍ୟ ହୋଇପାରେ। ନଭେମ୍ବର ୫ ତାରିଖରୁ ବର୍ଷାର ପରିମାଣ ଧୀରେ ଧୀରେ କମିବା ଆଶା ରହିଛି। ଗଜପତି ଜିଲ୍ଲାରେ ଆଜି ସକାଳୁ ଝିପିଝିପି ବର୍ଷା ଲାଗି ରହିଛି। ସେହିପରି କେନ୍ଦ୍ରାପଡା, ପୁରୀ, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଝିପିଝିପି ବର୍ଷା ସକାଳୁ ଲାଗି ରହିଛି ।

ଏପଟେ ବାତ୍ୟା ‘ମୁରାସୁ’ର ଗତିପଥ ଉପରେ ମଧ୍ୟ ରହିଛି ନଜର। ନଭେମ୍ବର ୨ ତାରିଖ ସକାଳ ୫ଟା ୩୦ ସୁଦ୍ଧା ବାତ୍ୟାଟି ପଶ୍ଚିମ-ମଧ୍ୟ ଓ ଏହା ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ, ଚେନ୍ନାଇଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଥିଲା। ଏହା ଘଣ୍ଟାପ୍ରତି ପ୍ରାୟ ୨୫ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିଲା।

ପାଣିପାଗ ବିଭାଗର ଆକଳନ ଅନୁସାରେ, ନଭେମ୍ବର ୨ ରାତି ୧୧ଟା ୩୦ରୁ ନଭେମ୍ବର ୩ ତାରିଖ ଭୋର ୪ଟା ମଧ୍ୟରେ ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ଉପକୂଳ, ଓଙ୍ଗୋଲ ନିକଟରେ ଏହା ଉପକୂଳ ଅତିକ୍ରମ କରିପାରେ। ସେତେବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବା ସହ ଝଟକା ପବନ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ବାତ୍ୟା ଆନ୍ଧ୍ର ଉପକୂଳରେ ମାଡ଼ ହେବା ସମୟରେ ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକରେ ବର୍ଷାର ତୀବ୍ରତା ବଢ଼ିବା ଆଶଙ୍କା ରହିଛି। ତଳିଆ ଅଞ୍ଚଳରେ ଜଳବନ୍ଦୀ, ଆକସ୍ମିକ ବନ୍ୟା ଏବଂ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଲୋକଙ୍କୁ ପାଣିପାଗ ବିଭାଗ ଓ ଜିଲ୍ଲା ପ୍ରଶାସନର ସରକାରୀ ସତର୍କ ସୂଚନା ଉପରେ ନଜର ରଖିବାକୁ କୁହାଯାଇଛି।

Leave A Reply

Your email address will not be published.