Latest Odisha News

BREAKING NEWS

ଭୀଷଣ ବାତ୍ୟାରେ ପରିଣତ ହେଲା ‘ମୁରାସୁ’

ନୂଆଦିଲ୍ଲୀ: ସୋମବାର ଭୋର ସମୟରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ବାତ୍ୟା ‘ମୁରାସୁ’ ଅଧିକ ଘନୀଭୂତ ହୋଇ ଏକ ‘ଭୀଷଣ ବାତ୍ୟା’ର ରୂପ ନେଇଛି। ଏହା ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।

ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଭୋର ୨ଟା ୩୦ ମିନିଟ୍ ସମୟରେ ଏହି ବାତ୍ୟାଟି ସେହି ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇ ରହିଥିଲା। ଏହି ସ୍ଥାନଟି ଚେନ୍ନାଇରୁ ପ୍ରାୟ ୨୬୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ, ନେଲ୍ଲୋରରୁ ୨୯୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, ମଛଲିପଟନମ୍‌ରୁ ୩୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, କାଭାଲିରୁ ୩୧୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ, ଓଙ୍ଗୋଲ୍‌ରୁ ୩୩୦ କିଲୋମିଟର ଦକ୍ଷିଣପୂର୍ବରେ ଏବଂ ବିଶାଖାପାଟଣାରୁ ୪୭୦ କିଲୋମିଟର ଦକ୍ଷିଣ ଦିଗରେ ଅବସ୍ଥିତ।

ଏହି ବାତ୍ୟାଟି ଉତ୍ତର-ପଶ୍ଚିମ ଦିଗକୁ ଗତି ଜାରି ରଖିବାର ସମ୍ଭାବନା ରହିଛି। ଏହା ଏକ ‘ଭୀଷଣ ବାତ୍ୟା’ ଭାବରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୧୦ କିଲୋମିଟର ରହିପାରେ। ଯାହା ଝଡ଼ ପବନ ରୂପେ ଘଣ୍ଟା ପ୍ରତି ୧୨୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

ଅପରପକ୍ଷରେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ପୂର୍ବାନୁମାନ କରାଯାଉଛି । ସୋମବାର ଠାରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅତିଅଶାନ୍ତ ରହିବାକୁ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ସେପଟେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେଉଥିବା ବେଳେ ବାତ୍ୟାର ଗତିପଥ ଏବଂ ତୀବ୍ରତା ଉପରେ ମଧ୍ୟ IMD ନଜର ରଖିଛି।

Leave A Reply

Your email address will not be published.