Latest Odisha News

BREAKING NEWS

ଆଇପିଏଲ୍ ୨୦୨୭: ଖେଳାଳି ରିଟେନସନ ଡେଡ୍‌ଲାଇନ୍ ୨ ଦିନ ବୃଦ୍ଧି

ନୂଆଦିଲ୍ଲୀ: ଆଇପିଏଲ ୨୦୨୭ ମିନି ଅକ୍ସନ୍ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେଇଛି । ଖେଳାଳିଙ୍କୁ ଟିମ୍‌ରେ ବଜାୟ ରଖିବା ଏବଂ ରିଲିଜ୍ କରିବାର ଶେଷ ତାରିଖକୁ ଦୁଇ ଦିନ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ୧୭ ନଭେମ୍ବର ପର‌୍ୟ୍ୟନ୍ତ ସେମାନଙ୍କର ତାଲିକା ଦାଖଲ କରିପାରିବେ । ପୂର୍ବରୁ ଏହାର ଶେଷ ତାରିଖ ୧୫ ନଭେମ୍ବର ଥିଲା । ନିଲାମୀ  ତାରିଖ ଏବଂ ସ୍ଥାନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ପୂର୍ବରୁ ସ୍ଥିର ହୋଇଥିବା ସୂଚୀ ଅନୁଯାୟୀ, ୧୬ ଡିସେମ୍ବରରେ ଗୋଆଠାରେ ହିଁ ଖେଳାଳିଙ୍କ ନିଲାମୀ ଅନୁଷ୍ଠିତ ହେବ ।୧୫ ନଭେମ୍ବରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍ ନ୍ୟୁଜିଲାଣ୍ଡର ମାଉଣ୍ଟ ମାଉଙ୍ଗାନୁଇଠାରେ ଖେଳାଯିବ । ଏହି କାରଣରୁ ଫ୍ରାଞ୍ଚାଇଜ୍‌ଗୁଡ଼ିକୁ କିଛି ଅଧିକ ସମୟ ଦିଆଯାଇଛି ।

ଆଇପିଏଲ୍‌ର ପ୍ରତ୍ୟେକ ଦଳ ପାଖରେ ଖେଳାଳିଙ୍କ ଏକ ସ୍କ୍ୱାଡ୍ ଥାଏ । ନୂତନ ସିଜିନ୍ ପୂର୍ବରୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ସ୍ଥିର କରନ୍ତି ଯେ ସେମାନେ କେଉଁ ପୁରୁଣା ଖେଳାଳିଙ୍କୁ ନିଜ ସହ ରଖିବେ । ଏହାକୁ ରିଟେନସନ’ କୁହାଯାଏ ।  ଯେଉଁ ଖେଳାଳିମାନେ ଗତ ସିଜିନରେ ଭଲ ପ୍ରଦର୍ଶନ କରିପାରି ନାହାନ୍ତି କିମ୍ବା ଦଳର ଆବଶ୍ୟକତାରେ ଖାପ ଖାଉନାହାନ୍ତି, ସେମାନଙ୍କୁ ଦଳରୁ ବାଦ୍ ଦିଆଯାଏ । ଏହି ଖେଳାଳିମାନେ ପୁଣି ଅକ୍ସନ୍ ପୁଲ୍‌କୁ ଆସିଥାନ୍ତି ।  ଆଇପିଏଲ୍ ୨୦୨୭ ପାଇଁ ଏକ ମିନି ଅକ୍ସନ୍ ହେବାକୁ ଯାଉଛି । ଏହାର ଅର୍ଥ ହେଉଛି ଦଳଗୁଡ଼ିକୁ ସମ୍ପୂର୍ଣ୍ଣ ସ୍କ୍ୱାଡ୍ ନୂତନ ଭାବେ ଗଠନ କରିବାକୁ ପଡ଼ିବ ନାହିଁ । ସେମାନେ ସେମାନଙ୍କର ଅଧିକାଂଶ ପୁରୁଣା ଖେଳାଳିଙ୍କୁ ପାଖରେ ରଖି କେବଳ ଦଳର ଆବଶ୍ୟକତା ଅନୁଯାୟୀ ଖାଲିଥିବା ସ୍ଥାନଗୁଡ଼ିକ ପାଇଁ ଖେଳାଳି କିଣିବେ । ୧୬ ଡିସେମ୍ବରରେ ଆଇପିଏଲ୍ ଅକ୍ସନ୍ ଦିନ ହିଁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ଦିନକରେ ଦୁଇଟି ବଡ଼ କ୍ରିକେଟ୍ ଆୟୋଜନ ଥିଲେ ମଧ୍ୟ ବିସିସିଆଇ ଅକ୍ସନ୍ ତାରିଖରେ କୌଣସି ପରିବର୍ତ୍ତନ କରିନାହିଁ ।

Leave A Reply

Your email address will not be published.