Latest Odisha News

BREAKING NEWS

ଭୁବନେଶ୍ୱରଙ୍କ ଟି୨୦ କ୍ୟାରିୟରକୁ ନେଇ ଉଠିଲା ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଜରିଆରେ ସ୍ମରଣୀୟ ପ୍ରତ୍ୟାବର୍ତ୍ତନ କରିବାର ଆଶା ରଖିଥିବା ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ପାଇଁ ଏହି ଗସ୍ତ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ସାବ୍ୟସ୍ତ ହୋଇଛି । ପ୍ରାୟ ୪ ବର୍ଷ ପରେ ଭାରତୀୟ ଦଳକୁ ଫେରିଥିବା ଏହି ୩୬ ବର୍ଷୀୟ ଅଭିଜ୍ଞ ବୋଲର, ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ମାତ୍ର ୧ଟି ୱିକେଟ୍ ନେଇ ଏକ ଅନାବଶ୍ୟକ ରେକର୍ଡ ନିଜ ନାମରେ କରିଛନ୍ତି । ଭାରତ ଏହି ସିରିଜକୁ ୩-୨ ରେ ଜିତିଥିଲେ ବି, ଭୁବନେଶ୍ୱରଙ୍କ ଖରାପ ଫର୍ମ ଦଳ ପ୍ରବନ୍ଧକ ଓ ପ୍ରଶଂସକଙ୍କ ଚିନ୍ତା ବଢ଼ାଇ ଦେଇଛି । ସିରିଜ୍‌ରେ ଭୁବନେଶ୍ୱର ମୋଟ ୪ଟି ମ୍ୟାଚ୍ ଖେଳି ୧୬ ଓଭର ବୋଲିଂ କରିଥିଲେ ଏବଂ ୧୮୦ ରନ୍ ବ୍ୟୟ କରି ମାତ୍ର ୧ଟି ୱିକେଟ୍ ହାସଲ କରିଥିଲେ ।  ଟି-୨୦ ଆନ୍ତର୍ଜାତୀୟ ଇତିହାସରେ କୌଣସି ଗୋଟିଏ ଦ୍ୱିପାକ୍ଷିକ ସିରିଜରେ ଏହା କୌଣସି ବି ବୋଲରଙ୍କ ସବୁଠାରୁ ଖରାପ ବୋଲିଂ ହାରାହାରି । ଏହି ମାମଲାରେ ସେ ନ୍ୟୁଜିଲାଣ୍ଡର କାଏଲ୍ ଜାମିସନ୍‌ଙ୍କ (୧୭୫.୦୦) ରେକର୍ଡକୁ ପଛରେ ପକାଇଛନ୍ତି । ବୋଲିଂ ଆଭରେଜ ୧୮୦ ଥିବା ବେଳେ ଇକୋନୋମୀ ରେଟ ୧୧ରୁ ଊର୍ଦ୍ଧ୍ୱ ରହିଛି ।

ଆଇପିଏଲ ୨୦୨୫ ରେ ୧୭ଟି ୱିକେଟ୍ ଏବଂ ୨୦୨୬ ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ୨୮ଟି ୱିକେଟ୍ ନେଇ ସେ ନିଜର ଦାବି ମଜବୁତ୍ କରିଥିଲେ । ଏହି ପ୍ରଦର୍ଶନ ବଳରେ ହିଁ ତାଙ୍କୁ ଜାତୀୟ ଦଳକୁ ଡାକରା ମିଳିଥିଲା । କିନ୍ତୁ ଅନ୍ତର୍ଜାତୀୟ ମଞ୍ଚରେ ନ୍ୟୁଜିଲାଣ୍ଡର ବିସ୍ଫୋରକ ବ୍ୟାଟରଙ୍କ ଆଗରେ ତାଙ୍କ ସ୍ୱିଙ୍ଗ୍ ଓ ନିୟନ୍ତ୍ରଣ ଫିକା ପଡ଼ିଯାଇଥିଲା । ଏହି ଗସ୍ତ ପରେ ଟି-୨୦ ଦଳରେ ଭୁବନେଶ୍ୱରଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଭାରତୀୟ ଚୟନକର୍ତ୍ତା ଆଗାମୀ ଦିନରେ ଯୁବ ଦ୍ରୁତ ବୋଲରଙ୍କ ଉପରେ ବିଶ୍ୱାସ ପ୍ରକଟ କରିବେ ନା ଭୁବନେଶ୍ୱରଙ୍କୁ ଆଉ ସୁଯୋଗ ମିଳିବ, ତାହା ଦେଖିବାକୁ ବାକି ରହିଲା । ଅନ୍ୟପଟେ ଭୁବନେଶ୍ୱର ନିଜେ ସୟଦ ମୁସ୍ତାକ ଅଲ୍ଲୀ ଓ ବିଜୟ ହଜାରେ ଟ୍ରଫି ଭଳି ଘରୋଇ ଟୁର୍ନାମେଣ୍ଟ ଖେଳିବା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି । ୧ମ ଟି୨୦(କ୍ରାଇଷ୍ଟଚର୍ଚ୍ଚ): ୪ ଓଭର, ୪୯ ରନ୍, ୦ ୱିକେଟ, ୨ୟ ଟି୨୦: ୪ ଓଭର, ୫୦ ରନ୍, ୧ ୱିକେଟ, ୩ୟ ଟି୨୦(ୱେଲିଂଟନ୍): ୪ ଓଭର, ୪୦ ରନ୍, ୦ ୱିକେଟ, ୪ର୍ଥ ଟି୨୦ (ଅକ୍ଲାଣ୍ଡ),  ନିରାଶାଜନକ ପ୍ରଦର୍ଶନ ଯୋଗୁଁ ଦଳରୁ ବାଦ୍ ପଡ଼ିଥିଲେ । ୫ମ ଟି୨୦ (ହ୍ୟାମିଲ୍ଟନ୍): ୪ ଓଭର, ୪୧ ରନ୍, ୦ ୱିକେଟ୍ (ଗୋଟିଏ ଓଭରରେ ୨୦ ରନ୍ ବ୍ୟୟ କରିଥିଲେ) ।

Leave A Reply

Your email address will not be published.