Ganjam Flood: ନିଜ ଜୀବନକୁ ବାଜିରେ ଲଗାଇ କଲେ ଡ୍ୟୁଟି, ରାସ୍ତା ନଥିବାରୁ ଡ୍ରୋଜରରେ ହେଲେ ବୁହା, ଭାଇରାଲ ହେଉଛି ଆଶା ଓ ଏଏନ୍ଏମ୍ କର୍ମୀଙ୍କ ଭିଡିଓ
ଗଞ୍ଜାମ: କାନ୍ଦୁଛି ଗଞ୍ଜାମ । ଅର୍ଣ୍ଣବ ଉଜାଡି ଦେଇଛି ଜୀବନଜୀବିକା, ପରିଶ୍ରମ, ସ୍ବପ୍ନ ସବୁକିଛି । ବାତ୍ୟା ଭାଙ୍ଗିଦେଇଛି ରାସ୍ତା, ବନ୍ୟା ବିଗାଡ଼ିଦେଇଛି ଯୋଗାଯୋଗ ବ୍ୟବସ୍ଥା। କାନ୍ଥ ଫାଟି ଆଁ କରିଛି । ଘରର ଚଟାଣ ଫାଟି କେନା କେନା । ଖାଇବାକୁ ଘରେ ଦାନା ନାହିଁ, ପିନ୍ଧିବାକୁ ନାହିଁ ଖଣ୍ଡେ କପଡା । ବନ୍ୟା ପାଣିରେ ସବୁ କିଛି ଧୋଇଯାଇଥିବା ବେଳେ ଯାହା ବି କିଛି ଅଛି, ମାଟି ଚରିଯାଇଛି । ଏମିତିକି ଅନେକ ସ୍ଥାନରେ ନଦୀ ନାଳରେ ପରିଣତ ହୋଇଛି ଅନେକ ରାସ୍ତା । ହେଲେ ଏହି ସମୟରେ ମାନବିକତା ଦେଖାଇଛନ୍ତି ସ୍ବାସ୍ଥ୍ୟକର୍ମୀ । ଏଭଳି ଦୁର୍ବିସହ ସ୍ଥିତିରେ ମଧ୍ୟ ନିଜ ଜୀବନକୁ ତିଳ ହେଲେ ବି ଖାତିର ନକରି ଡ୍ୟୁଟି ଛାଡ଼ିନାହାନ୍ତି ଦୁଇ ମହିଳା ସ୍ୱାସ୍ଥ୍ୟକର୍ମୀ। ଗାଁରେ ପହଞ୍ଚିବାକୁ ରାସ୍ତା ନଥିବାରୁ ଡ୍ରୋଜର ମେସିନ୍ ଉପରେ ଛିଡ଼ା ହୋଇ ନାଳ ପାର୍ ହେଉଛନ୍ତି ଆଶା ଓ ଏଏନ୍ଏମ୍ କର୍ମୀ। ଏହି ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍। ଦେଖିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ଚିନ୍ତା ବି ବଢ଼ୁଛି।
ଏହି ଘଟଣା ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍ର ଗାଜଲବାଡ଼ି ଅଞ୍ଚଳର। ଭୂତପଙ୍କଳ ନିକଟରେ ରାସ୍ତା ଭାଙ୍ଗିଯାଇଥିବାରୁ ଦୁଇ ମହିଳା କର୍ମୀଙ୍କ ଆଗକୁ ବଢ଼ିବା ସମ୍ଭବ ହୋଇନଥିଲା। ନିକଟରେ ଆସିଥିବା ବାତ୍ୟା ‘ଅର୍ଣ୍ଣବ’ ପରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଏହି ଅଞ୍ଚଳର ଅନେକ ରାସ୍ତା ଧୋଇଯାଇଛି, ପୋଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଗାଁକୁ ଯିବାଆସିବା କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ଏକ୍ସକାଭେଟର୍ ମେସିନ୍ ସାହାଯ୍ୟରେ ଦୁଇ କର୍ମୀଙ୍କୁ ନାଳର ଆରପାରିକୁ ନିଆଯାଇଥିଲା। ମେସିନ୍ ଉପରେ ଛିଡ଼ା ହୋଇ ସେମାନେ ନାଳ ପାର୍ ହୋଇଥିଲେ। ଏହି ଦୃଶ୍ୟ ସେମାନଙ୍କ କର୍ତ୍ତବ୍ୟନିଷ୍ଠାକୁ ଦେଖାଉଥିବା ବେଳେ ଏଭଳି ବିପଦପୂର୍ଣ୍ଣ ଯାତାୟାତ ସୁରକ୍ଷିତ ବିକଳ୍ପ ନୁହେଁ ବୋଲି ମଧ୍ୟ ଅନେକ ମତ ରଖିଛନ୍ତି ।
ଅନ୍ୟପଟେ ବାତ୍ୟା ପରେ ଗଞ୍ଜାମର ଦୁର୍ଦ୍ଦଶା ଆହୁରି ବଢିଯାଇଛି । ପରିଶ୍ରମର ଘରଦ୍ୱାର, ଚାଷଜମି, କାରଗାଡି ଓ ରାସ୍ତାଘାଟ କ୍ଷତିଗ୍ରସ୍ତ ହୋଇଥିବାରୁ ଅନେକ ଲୋକଙ୍କ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। କେଉଁଠି କାଦୁଅ ଓ ପଙ୍କରେ ରାସ୍ତା ଅଚଳ, ତ ଆଉ କେଉଁଠି ପାନୀୟ ଜଳ ଓ ବିଦ୍ୟୁତ୍ ପାଇଁ ଲୋକେ ହଇରାଣ। ସରକାରୀ ତଥ୍ୟ ଅନୁସାରେ, ଗଞ୍ଜାମରେ ୯୮.୪୮ ପ୍ରତିଶତ ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର ହୋଇଥିଲେ ମଧ୍ୟ ରାସ୍ତା ଓ ଜଳଯୋଗାଣ ମରାମତି କାମ ଜାରି ରହିଛି।
ବାତ୍ୟା ଚାଲିଗଲା, ପାଣି କମିଲା; ହେଲେ ଲୋକଙ୍କ ଦୁଃଖ ଏବେ ବି କମିନାହିଁ। ଏବେ ଗଞ୍ଜାମବାସୀଙ୍କ ଅପେକ୍ଷା, କେବେ ଫେରିବ ସ୍ୱାଭାବିକ ଜୀବନ?
