କୋରାପୁଟ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ବର୍ତ୍ତମାନ ତୀବ୍ର ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରର ନିର୍ବାଚନୀ ଉଦ୍ୟମକୁ ପ୍ରତିହତ କରିବା ପାଇଁ ଓଡ଼ିଶା ସରକାର କୋଟିଆରେ ବର୍ତ୍ତମାନ ପୋଲିସ ଫୋର୍ସ ମୁତୟନ କରିଛନ୍ତି। ରାଜ୍ୟସ୍ତରୀୟ ତଥ୍ୟ ଅନୁଯାୟୀ, ସେଠାରେ ଆଉ ଅଧିକ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଉଛି। କୋଟିଆକୁ ପଠାଗଲା ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।
କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରଚାରକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିବା ସହ ପ୍ରଚାର ଗାଡ଼ିକୁ ମଧ୍ୟ ଅଟକାଇଛନ୍ତି। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ଉଦ୍ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଓଡ଼ିଶାରେ ରାଜନୈତିକ ବାତାବରଣ ସରଗରମ ରହିଛି ଏବଂ ଶାସକ ତଥା ବିରୋଧୀ ଦଳ ମଧ୍ୟରେ ପରସ୍ପର ବିରୋଧୀ ବୟାନବାଜି ଜାରି ରହିଛି।
ନବୀନ ଚିଠିରେ ୨୦୨୪ର ବିଜେପି ଇସ୍ତାହାର ମନେ ପକାଇ ଦେଇଛନ୍ତି। ନବୀନ ଲେଖିଛନ୍ତି, ଇସ୍ତାହାରର ପ୍ରତିଶ୍ରୁତି ଅନୁଯାୟୀ ‘କୋଟିଆ’ର ସମାଧାନ କରାଯାଉ। ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ସହ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି । ରାଜ୍ୟର ସୀମା ଓ ଭୌଗୋଳିକ ଅଖଣ୍ଡତାର ସୁରକ୍ଷା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ନବୀନ ଦାବି କରିଛନ୍ତି ।
