Latest Odisha News

BREAKING NEWS

୪୩ ବର୍ଷର ଦୀର୍ଘ ଆଇନଗତ ବିବାଦର ଅନ୍ତ, ସରକାରୀ ଜମି ଉପନର ଘରୋଇ ବ୍ୟକ୍ତିଙ୍କ ଦାବିକୁ ରାଜସ୍ୱ ପର୍ଷଦ ସଦସ୍ୟ କଲେ ଖାରଜ

କଟକ: କଟକ ମହାନଗର ନିଗମ ଅନ୍ତରଗତ ଟାଙ୍ଗୀ-ଚୌଦ୍ୱାର ତହସିଲର ଜଗତପୁର ଗାଲେଇଛକ ସନ୍ନିକଟ ତରୋଳ ମୌଜାରେ ଥିବା ୬୨.୭୨ ଏକର ସରକାରୀ ଜମିକୁ ନେଇ ଦୀର୍ଘ ୪୩ ବର୍ଗ ଧରି ଚାଲିଥିବା ଆଇନଗତ ବିବାଦର ଅବସାନ ଘଟିଛି। ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ୍ ସାହୁ ଏହି ଜମି ଉପରେ ଦାବି କରିଥିବା ଆବେଦନକାରୀଙ୍କ ରିଭିଜନ୍ ମାମଲାକୁ ଖାରଜ କରିବା ସହ ଜମିକୁ ସରକାରୀ ଖାତାରେ ପୂର୍ବବତ୍ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ପରେ ପ୍ରାୟ ୮୦୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏହି ସରକାରୀ ସମ୍ପତ୍ତିକୁ କଟକ ଜିଲ୍ଲା ପ୍ରଶାସନ ନିଜ ଦଖଲକୁ ନେଇଛି। ରାଜସ୍ୱ ପର୍ଷଦ୍ ସଦସ୍ୟଙ୍କ ଅଦାଲତର ତା.୦୩.୧୧.୨୦୨୬ରିଖ ରାୟ ଅନୁଯାୟୀ, ଏହି ଜମିକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥାପିତ ଦଲିଲ ଓ ତଥ୍ୟ ଆଇନଗତ ମାଲିକାନା କିମ୍ବା ରାୟତି ଅଧିକାର ପ୍ରମାଣ କରିବାରେ ସକ୍ଷମ ହେଇନାହିଁ। ଫଳରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ପୂର୍ବ ଆଦେଶକୁ ବଳବତ୍ତର ରଖାଯାଇଛି। ୧୯୮୩ ମସିହାରୁ ଚାଲିଥିବା ଏହି ଦୀର୍ଘ ଦିନର ଆଇନଗତ ଲଢ଼େଇର ଏହାଦ୍ୱାରା ଅନ୍ତ ଘଟିଛି।

ଆବେଦନକାରୀ ୧୯୪୫ ମସିହାର ଏକ ଲିଜ୍ ଦଲିଲ ଆଧାରରେ ମାଲିକାନା ଦାବି କରୁଥିଲେ ମଧ୍ୟ ସେ ନିଜର ଦାବି ପ୍ରମାଣ କରିବାରେ ବିଫଳ ହୋଇଥିଲେ। ଏହି କାରଣରୁ ରାଜସ୍ୱ ପର୍ଷଦ ସଦସ୍ୟ ତାଙ୍କ ରିଭିଜନ୍ ମାମଲାକୁ ଖାରଜ କରିଦେଇଛନ୍ତି। ଅଦାଲତ ତାଙ୍କ ପକ୍ଷରୁ ଉପସ୍ଥାପିତ ୧୯୦୫ ମସିହାର ଇଚ୍ଛାପତ୍ର ଓ ଅନ୍ୟାନ୍ୟ ଦଲିଲକୁ ବିଚାର କରି ଦର୍ଶାଇଛନ୍ତି ଯେ, ପୂର୍ବତନ ଜମିଦାରଙ୍କ ବିଧବା, ଯିଏକି ସଂପୃକ୍ତ ବ୍ୟକ୍ତିଙ୍କୁ ଲିଜ୍ ପ୍ରଦାନ କରିଥିଲେ, ତାଙ୍କର ଉକ୍ତ ଜମି ଉପରେ ସେଭଳି କୌଣସି ଅଧିକାର ନଥିଲା ଏବଂ ସମ୍ପତ୍ତିର ମୂଳ ମାଲିକାନାକୁ ସ୍ଥାୟୀ ଭାବେ ହସ୍ତାନ୍ତର କରିବାର କୌଣସି ଅଧିକାର ନଥିଲା। ତେଣୁ ତାଙ୍କ ପକ୍ଷରୁ କିମ୍ବା ତାଙ୍କ କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଲିଜ୍ ଆଧାରରେ ସ୍ଥାୟୀ ଓ ହସ୍ତାନ୍ତର ଯୋଗ୍ୟ ଅଧିକାର ଦାବି ଆଇନସଙ୍ଗତ ନୁହେଁ।

ପୁରୁଣା ପଟ୍ଟା, ଜମାବନ୍ଦୀ ଓ ଖଜଣା ରସିଦ ଆଦି କେବଳ ଖଜଣା ଆଦାୟ କରିବାର ମାଧ୍ୟମ; ଏହାଦ୍ୱାରା ନିଜସ୍ୱ ମାଲିକାନା କିମ୍ବା ରୟତି ଅଧିକାର ସୃଷ୍ଟି ହୁଏ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଏଥିସହ ଜମିରେ ପ୍ରାଚୀନ ଦାଲା (ଘର/କୋଠା) ଜାଗା, ମନ୍ଦିର, ଶିଳ୍ପାନୁଷ୍ଠାନ ଓ ଇଟାକା ରାସ୍ତା ଥିବା ନେଇ ତହସିଲଦାର, ଟାଙ୍ଗୀ-ଚୌଦ୍ୱାରଙ୍କ ଦ୍ୱାରା କ୍ଷେତ୍ର ସର୍ଭେ ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଆବେଦନକାରୀଙ୍କ ଦାବି ଅନୁଯାୟୀ, ମାମଲା ଜମିରେ କୌଣସି ଘାଟକଳ କିମ୍ବା କୃଷି କାର୍ଯ୍ୟ କରାଯାଉନାହିଁ। ଏହି କାରଣରୁ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନର ଧାରା-୮(୧) ଅନୁଯାୟୀ ଆବେଦନକାରୀଙ୍କୁ ପ୍ରଜା ବୋଲି ବିବେଚିତ କରିବାର ଦାବି ଅଗ୍ରହଣୀୟ ବୋଲି ପ୍ରମାଣିତ ହୋଇଥିଲା।

ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଦାଲତ ଆହୁରି ଦର୍ଶାଇଛନ୍ତି ଯେ, ୦୧.୦୫.୧୯୫୪ ତାରିଖରେ ଜମିଦାରୀ ଉଚ୍ଛେଦ ପରେ ସଂପୃକ୍ତ ଜମି ରାଜ୍ୟ ସରକାରଙ୍କ ନିକଟରେ ନ୍ୟସ୍ତ ହୋଇଥିଲା। ଜମିଟି ଅନାବାଦୀ ଓ ଅଣ-ରୟତି ପ୍ରକୃତିର ହୋଇଥିବାରୁ ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନର ଧାରା ୫ ଅନୁଯାୟୀ ସରକାରଙ୍କ ନିକଟରେ ନ୍ୟସ୍ତ ହୋଇଥିଲା। ଜମିଦାରୀ ଉଚ୍ଛେଦ ପୂର୍ବରୁ ଆବେଦନକାରୀମାନେ ଜମିରେ ବାସବାସ କିମ୍ବା ଦଖଲରେ ଥିବା ନେଇ ମଧ୍ୟ କୌଣସି ଦାୟୀ ପ୍ରମାଣ ଦେଇପାରିନଥିଲେ।

ଉଲ୍ଲେଖଯୋଗ୍ୟ, ୧୯୮୩ ମସିହାରେ ଆରମ୍ଭ ହୋଇଥିବା ଏହି ମାମଲାରେ ରାଜ୍ୟ ସରକାର ଓଡ଼ିଶା ଜମିଦାରୀ ଉଚ୍ଛେଦ ଆଇନର ଧାରା ୫ ଅନୁଯାୟୀ ଜମି ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଥିଲେ। ପରବର୍ତ୍ତୀ ସମୟରେ ଏହା ବିଭିନ୍ନ ରାଜସ୍ୱ ଅଦାଲତ ଦେଇ ଗତି କରିଥିଲା। ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ୨୦୨୨ ମସିହାର ନିର୍ଦ୍ଦେଶ ଅନୁଯାୟୀ ଆବେଦନକାରୀମାନେ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ନିକଟରେ ଜମିଦାରୀ ଉଚ୍ଛେଦ ଆଇନର ଧାରା ୩୮(ବି) ଅନୁଯାୟୀ ରିଭିଜନ୍ ଦାଖଲ କରିଥିଲେ। ସମସ୍ତ ଦଲିଲ, ରାଜସ୍ୱ ରେକର୍ଡ, ତଦନ୍ତ ରିପୋର୍ଟ ଏବଂ ଆଇନଗତ ଯୁକ୍ତିର ଶୁଣାଣି ଏବଂ ବିଚାର କରି ଅଦାଲତ ଆବେଦନକାରୀଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି।

ଏଥିସହ ଟାଙ୍ଗୀ-ଚୌଦ୍ୱାର ତହସିଲଦାରଙ୍କୁ ସଂପୃକ୍ତ ୬୨.୭୨ ଏକର ଜମି—ଯାହାର ବର୍ତ୍ତମାନ ବଜାର ମୂଲ୍ୟ ୮୦୦ କୋଟିରୁ ଊର୍ଦ୍ଧ୍ୱ ହେବ—ଏହାକୁ ସରକାରୀ ଖାତାରେ “ସାର୍ବଜନୀନ ଅନାବାଦୀ” ଭାବେ ପୂର୍ବବତ୍ କାଏମ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମକଦ୍ଦମା ଜମି କଟକ ମହାନଗର ନିଗମ ପରିସରଭୂକ୍ତ ହୋଇଥିବାରୁ, ଏହାକୁ ବିଭିନ୍ନ ଉନ୍ନୟନମୂଳକ ଏବଂ ଲୋକାଭିମୁଖୀ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ ବୋଲି ସରକାରୀ ପକ୍ଷ ଦର୍ଶାଇ ମତ ଦେଇଥିଲେ। ଏହି ରାୟକୁ ସରକାରୀ ଜମିର ସୁରକ୍ଷା ଓ ସାର୍ବଜନୀନ ସମ୍ପତ୍ତିର ସ୍ୱାର୍ଥ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ଦେଖାଯାଉଛି। ଏହି ରାୟ ପରେ କଟକ ଜିଲ୍ଲାପାଳ ଉକ୍ତ ଜମିକୁ ନିଜ ଦଖଲକୁ ନେଇଛନ୍ତି।

Leave A Reply

Your email address will not be published.