Latest Odisha News

BREAKING NEWS

ଗଛରେ ଝୁଲୁଛି ଗାଡ଼ି ସୋରୁମ୍ ମାଲିକଙ୍କ ମୃତଦେହ: ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା ?

ବାଲେଶ୍ୱର: ଜଙ୍ଗଲ ଭିତରେ ଗଛରେ ଝୁଲୁଛି ଗାଡ଼ି ସୋରୁମ୍ ମାଲିକଙ୍କ ମୃତଦେହ। ମୃତ୍ୟୁକୁ ନେଇ ଘନେଇଲା ରହସ୍ୟ। ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟା ? ଟଙ୍କା ନେଣଦେଣକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ନେଇ ମୃତକଙ୍କ ବାପା ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ୨୮ ବର୍ଷୀୟ ମୃତ ଯୁବକଙ୍କ ନାମ ଶୁଭମ ଜ୍ୟୋତି ଜେନା ଏବଂ ସେ ନୀଳଗିରି ବ୍ଲକ୍ ଅନ୍ତର୍ଗତ କାନପୁର ମହାଲ ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ବାଲେଶ୍ୱରର କୁରୁଢ଼ା ବ୍ରିଜ୍ ନିକଟରେ ତାଙ୍କର ଏକ ସେକେଣ୍ଡ ହ୍ୟାଣ୍ଡ କାର୍ ଶୋ’ରୁମ୍ ରହିଥିଲା।

ସୂଚନା ଅନୁସାରେ ଶୁଭମ ଗୁରୁବାର ଅପରାହ୍ନ ପ୍ରାୟ ୪ଟା ସମୟରେ କପ୍ତିପଦା ଯାଉଛନ୍ତି ଏବଂ ରାତିରେ ଫେରିବେ ବୋଲି ଘରୁ କହି ବାହାରିଥିଲେ। କିନ୍ତୁ ରାତି ୭:୩୦ ପରେ ତାଙ୍କ ମୋବାଇଲ୍ ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା। ପରିବାର ଲୋକ ଖୋଜାଖୋଜି କରି ନୀଳଗିରି ଥାନାରେ ନିଖୋଜ ଏତଲା ଦେଇଥିବା ବେଳେ, ଶୁକ୍ରବାର ସକାଳେ ଶେରଗଡ଼-କପ୍ତିପଦା ରୋଡ୍‌ରେ ଥିବା କୁଳଡିହା ଜଙ୍ଗଲର ୧୯ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଗଛରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳ ନିକଟରେ ତାଙ୍କ ମୋଟରସାଇକେଲ୍ ମଧ୍ୟ ପାର୍କିଂ ହୋଇ ରହିଥିଲା। ଶୁଭମଙ୍କ ପିତା ଭରତ ଜେନା ଏହାକୁ ଏକ ପ୍ଲାନଡ୍ ମର୍ଡର ବା ହତ୍ୟା ବୋଲି ସନ୍ଦେହ କରି ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ (Postmortem) ପାଇଁ ପଠାଇବା ସହ ଏହା ଆତ୍ମହତ୍ୟା ନା ହତ୍ୟା, ସେ ନେଇ ସମସ୍ତ ଦିଗରୁ ତଦନ୍ତ ଚଳାଇଛି।

 

Leave A Reply

Your email address will not be published.