ନୂଆଦିଲ୍ଲୀ: ଦିଲ୍ଲୀ-NCRରେ ବାୟୁ ପ୍ରଦୂଷଣ ସ୍ଥିତି ବର୍ତ୍ତମାନ ଅତ୍ୟନ୍ତ ସାଂଘାତିକ ଓ ଚିନ୍ତାଜନକ ସ୍ତରରେ ପହଞ୍ଚିଛି। ରାଜଧାନୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୦୦ ରୁ ୫୦୦ ଅତିକ୍ରମ କରି ‘Severe’ ବା ଭୟଙ୍କର ବର୍ଗରେ ରହିଛି, ଯାହା ସାଧାରଣ ଲୋକଙ୍କ ପାଇଁ ନିଶ୍ୱାସ ନେବାରେ ପ୍ରବଳ କଷ୍ଟକର ପରିସ୍ଥିତି ସୃଷ୍ଟି କରିଛି। କହିବାକୁ ଗଲେ ଦିଲ୍ଲୀର ୯ଟି ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରିଛି।
ଦିଲ୍ଲୀର ରୋହିଣୀରେ ସର୍ବାଧିକ AQI ୪୭୩ ରେକର୍ଡ କରାଯାଇଥିବା ବେଳେ ପଞ୍ଜାବୀ ବାଗରେ ୪୬୪, ଜାହାଙ୍ଗୀରପୁରୀରେ ୪୫୯, ଆର.କେ ପୁରମରେ ୪୪୧ ଏବଂ ଆଇଟିଓ (ITO) ଅଞ୍ଚଳରେ AQI ୪୨୦ ପାର୍ କରିଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କମିସନ ଫର ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (CAQM) ପକ୍ଷରୁ ଦିଲ୍ଲୀ-NCRରେ ଗ୍ରାପ୍-୨ (GRAP-2) କଟକଣା ଲାଗୁ କରାଯାଇଛି। ଏହା ଅଧୀନରେ କୋଇଲା, ଜାଳେଣି କାଠ ବ୍ୟବହାର ଏବଂ ଡିଜେଲ ଜେନେରେଟର ଚଳାଇବା ଉପରେ କଡ଼ା ନିଷେଧାଦେଶ ଜାରି କରାଯାଇଛି।
କେବଳ ଦିଲ୍ଲୀ ନୁହେଁ, ବରଂ ଏନସିଆର ଅନ୍ତର୍ଗତ ନୋଏଡା, ଗୁରୁଗ୍ରାମ ଏବଂ ଗାଜିଆବାଦରେ ମଧ୍ୟ ବାୟୁର ମାନ ‘ଅତି ଖରାପ’ ଶ୍ରେଣୀରେ ରହିଛି। ବାୟୁରେ ବିଷାକ୍ତ PM2.5 କଣିକାର ମାତ୍ରା ବୃଦ୍ଧି ପାଇବା ହେତୁ ଲୋକମାନେ କାଶ, ଆଖି ପୋଡ଼ିବା ଏବଂ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଶିଶୁ, ବୃଦ୍ଧ ଏବଂ ଆଜ୍ମା ରୋଗୀମାନଙ୍କୁ ବାହାରକୁ ନଯିବା ପାଇଁ ଏବଂ ଜରୁରୀ ପରିସ୍ଥିତିରେ N95 ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।
