Latest Odisha News

BREAKING NEWS

କେନିଆରେ ଭୟଙ୍କର ନରସଂହାର ମାମଲା : ୧୯୦ ଶିଶୁଙ୍କୁ ଭୋକରେ ମାରିଥିବା ଧର୍ମ ଗୁରୁ ମୁଖ୍ୟକୁ ୨୦୦ ବର୍ଷ ଜେଲଦଣ୍ଡ

ମୋମ୍ବାସା: କେନିଆର ଏକ କୋର୍ଟ ଏକ ଚର୍ଚ୍ଚିତ ଏବଂ ମର୍ମନ୍ତୁଦ ମାମଲାରେ ବଡ଼ ରାୟ ଶୁଣାଇଛନ୍ତି। ୧୯୦ ଜଣ ଶିଶୁଙ୍କୁ ଭୋକରେ ରଖି ହତ୍ୟା କରିଥିବା ଏବଂ ଜଙ୍ଗଲରେ ପୋତିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଧର୍ମୀୟ ଗୋଷ୍ଠୀ ନେତା ପଲ୍ ମ୍ୟାକେଞ୍ଜିକୁ ୨୦୦ ବର୍ଷର କାରାଦଣ୍ଡାଦେଶ ମିଳିଛି।

ନ୍ୟାୟାଧୀଶ ଡାଏନା କାଭେଡ୍‌ଜ୍ ଏହି ରାୟ ପ୍ରକାଶ କରି କହିଛନ୍ତି ଯେ, କ୍ଷୁଧାଜନିତ ମୃତ୍ୟୁ ପାଇଁ ୧୦୦ ବର୍ଷ ଏବଂ ସିଧାସଳଖ ନରହତ୍ୟା ପାଇଁ ଆଉ ୧୦୦ ବର୍ଷ—ଏହିପରି ମୋଟ ୨୦୦ ବର୍ଷର ଜେଲଦଣ୍ଡାଦେଶ ଦିଆଯାଇଛି।

ଅଭିଯୋଗ ଅନୁଯାୟୀ, ଏହି ଧର୍ମଗୁରୁ ଜଣକ ପୂର୍ବ କେନିଆର ଏକ ଜଙ୍ଗଲରେ କ୍ରିଷ୍ଟିଆନ୍ ଚର୍ଚ୍ଚ ପରିଚାଳନା କରୁଥିଲେ। ସେ ଅନୁଗାମୀମାନଙ୍କୁ ପ୍ରବର୍ତ୍ତାଇଥିଲେ ଯେ ପୃଥିବୀ ଶେଷ ହେବା ପୂର୍ବରୁ ସ୍ୱର୍ଗପ୍ରାପ୍ତି ପାଇଁ ନିଜେ ଏବଂ ସେମାନଙ୍କ ପିଲାମାନେ ଖାଦ୍ୟ ନଖାଇ ଉପବାସରେ ପ୍ରାଣତ୍ୟାଗ କରିବା ଉଚିତ୍। ଧର୍ମ ଗୁରୁଙ୍କ ଅମାନବୀୟ ନିର୍ଦ୍ଦେଶକୁ ପାଳନ ନ କଲେ ତାଙ୍କ ସହଯୋଗୀମାନେ ପୀଡ଼ିତମାନଙ୍କୁ ମାଡ଼ ମାରି ବାଧ୍ୟ କରୁଥିଲେ।

ଏହି ଘଟଣାରେ ପ୍ରାୟ ୫୦୦ ଜଣଙ୍କର ମୃତଦେହ ବିଭିନ୍ନ କବର ଏବଂ ଶୌଚାଳୟରୁ ଉଦ୍ଧାର କରାଯାଇଥିଲା, ଯାହା ଆଧୁନିକ ଯୁଗର ସବୁଠାରୁ ବଡ଼ ନରସଂହାର ଭାବରେ ବିବେଚନା କରାଯାଉଛି। କୋର୍ଟରେ ଶୁଣାଣି ସମୟରେ ମୁଖ୍ୟ ଅଭିଯୁକ୍ତ ମ୍ୟାକେଞ୍ଜି ହସୁଥିବା ନଜର ଆସିଥିଲା।

ଶକାହୋଲା ଜଙ୍ଗଲ ନରସଂହାର ଭାବରେ ପରିଚିତ ଏହି ଘଟଣା ୨୦୨୩ ମସିହାରେ ସାମ୍ନାକୁ ଆସିଥିଲା। ପଲ୍ ମ୍ୟାକେଞ୍ଜି ତା’ର ଅନୁଗାମୀମାନଙ୍କୁ ପିଲାମାନଙ୍କୁ ସ୍କୁଲ ପଠାଇବା ଏବଂ ଡାକ୍ତରୀ ଚିକିତ୍ସା ନେବାରୁ ବାରଣ କରିଥିଲା। ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ ଅନେକ ଶିଶୁଙ୍କୁ ଶ୍ୱାସରୁଦ୍ଧ କରି ଏବଂ ପିଟିପିଟି ହତ୍ୟା କରାଯାଇଥିଲା। ମ୍ୟାକେଞ୍ଜି ସମେତ ତା’ର ଅନ୍ୟ ସହଯୋଗୀମାନଙ୍କ ବିରୋଧରେ ମଧ୍ୟ ଆତଙ୍କବାଦ ଏବଂ ହତ୍ୟା ମାମଲା ଚାଲିଛି।

Leave A Reply

Your email address will not be published.