କେନ୍ଦୁଝର: କେନ୍ଦୁଝର ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକାଧାରରେ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି କ୍ଷେତ୍ରରେ ଏକ ଅଭୂତପୂର୍ବ ଓ ଐତିହାସିକ ପରିବର୍ତ୍ତନର ଶୁଭାରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ସରକାରଙ୍କ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଏହି ପର୍ଯ୍ୟାୟରେ ରାଜ୍ୟବ୍ୟାପୀ ୬୩୦ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିବାବେଳେ ଏଥିରେ କେନ୍ଦୁଝର ଜିଲ୍ଲାର ୩୫ଟି ବିଦ୍ୟାଳୟ ସାମିଲ ରହିଛି। ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟରେ ଏହି ସମସ୍ତ ବିଦ୍ୟାଳୟ ନିର୍ମାଣ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମୁଦାୟ ୧୪ କୋଟି ବ୍ୟୟରେ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସର ଉଦ୍ଘାଟନ କରିଥିଲେ। ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ଉତ୍ତର ଓଡ଼ିଶାର ସବୁଠାରୁ ଆଧୁନିକ ବୈଷୟିକ ବାଣିଜ୍ୟିକ ପ୍ରତିଷ୍ଠାନର ମଧ୍ୟ ଆଜି ଶିଳାନ୍ୟାସ ହୋଇଛି । ପ୍ରାୟ ୫.୫୧ ଏକର ଜମି ଓ ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୫ ମହଲା ବିଶିଷ୍ଟ ଟେକ୍-ବିଜନେସ୍ ପାର୍କ୍ ଉତ୍ତର ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ପ୍ରଚୁର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଆଜିର ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ କେନ୍ଦୁଝରର ଯୁବପିଢ଼ିଙ୍କୁ ଆଉ ବାଙ୍ଗାଲୋର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବ ନାହିଁ, ବରଂ ନିଜ ମାଟିରେ ହିଁ ନିଯୁକ୍ତି ଓ ପ୍ରଗତିର ଅସୀମ ଦ୍ଵାର ଖୋଲିଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏଥିସହିତ ଧରଣୀଧର ମେଡିକାଲ କଲେଜ ପରିସରରେ DMF ସହଯୋଗରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ‘ପ୍ରିଭେଣ୍ଟିଭ୍ କ୍ୟାନସର୍ ସ୍କ୍ରିନିଂ କେନ୍ଦ୍ର’ ଲୋକାର୍ପିତ ହୋଇଛି, ଯେଉଁଠାରେ ସମସ୍ତ ସେବା ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଶିକ୍ଷାକୁ ବ୍ୟାପକ କରିବା ପାଇଁ ୫୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ୭ ମହଲା ବିଶିଷ୍ଟ ଡେଣ୍ଟାଲ କଲେଜ ଏବଂ ୬୩ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ନର୍ସିଙ୍ଗ୍ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ କେନ୍ଦୁଝର ଠାରେ ଏକ ସରକାରୀ ଫାର୍ମାସୀ କଲେଜ ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଘୋଷଣା କରିଥିଲେ।
ଏହା ବ୍ୟତୀତ ୧୦ କୋଟି ଟଙ୍କାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ, ୩୨ କୋଟି ଟଙ୍କାରେ ମଡୁଲାର୍ ଓଟି କମ୍ପ୍ଲେକ୍ସ, ମଲ୍ଟି-ୟୁଟିଲିଟି ସେଣ୍ଟର, ପୋଲିସ ଆଉଟପୋଷ୍ଟ ଏବଂ ୩୦-ଜଣିଆ ବାରାକ୍ ମଧ୍ୟ ଲୋକାର୍ପିତ ହୋଇଛି।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୋଟ ୧୨୯୨ କୋଟି ଟଙ୍କାର ବ୍ୟୟରେ ୩୩୦ଟି ପ୍ରକଳ୍ପର ମଧ୍ୟ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ମଧ୍ୟରୁ ପ୍ରାୟ ୪୧୨ କୋଟି ଟଙ୍କାର ୧୯୮ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮୮୦ କୋଟିରୁ ଅଧିକ ମୂଲ୍ୟର ୧୩୨ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ସମାବେଶକୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଭାବବିହ୍ୱଳ ହୋଇ ପ୍ରକାଶ କରିଥିଲେ ଯେ ଓଡ଼ିଶା ପାଇଁ ସେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି, କିନ୍ତୁ କେନ୍ଦୁଝରବାସୀଙ୍କ ପାଇଁ ସେ ସେଇ ପୁରୁଣା ‘ମୋହନ ଭାଇ’। ନିଜର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଜନ୍ମମାଟିର ସେବା କରିଚାଲିବେ ବୋଲି ଦୃଢ଼ ପ୍ରତିଜ୍ଞା କରିଥିଲେ।
ସେ କହିଥିଲେ ଯେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ହେଉଛି ତାଙ୍କର ଏକ ମାନସ ସନ୍ତାନ। ସେ ଯେତେବେଳେ କେନ୍ଦୁଝରର ବିଧାୟକ ଥିଲେ, ସେତେବେଳେ ପ୍ରାଥମିକ ସ୍ତରରେ ଦିଆଯାଉଥିବା ଶିକ୍ଷାଦାନ ଯଥେଷ୍ଟ ନୁହେଁ ଏବଂ ଗୁଣାତ୍ମକ ଆଦୌ ନୁହେଁ ବୋଲି ନିଜେ ଅନୁଭବ କରି ସରକାରଙ୍କୁ ଅବଗତ କରାଇଥିଲେ। ପ୍ରଥମେ ସେ ବ୍ୟକ୍ତିଗତ ଭାବେ ଡି.ଏମ୍.ଏଫ୍. (DMF) ସାହାଯ୍ୟରେ ଏହାକୁ ନିଜ ନିର୍ବାଚନ ମଣ୍ଡଳୀ ଏବଂ ପରେ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା କେବଳ କେନ୍ଦୁଝର ନୁହେଁ, ବରଂ ସାରା ଓଡ଼ିଶାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଥିଲା। ଏହି ଯୋଜନା ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକ କେବଳ ରଙ୍ଗମରା ବିଦ୍ୟାଳୟ ନୁହେଁ, ବରଂ ପ୍ରାୟ ପାଞ୍ଚ ଏକର ପରିମିତ ଜମିରେ ଏକଦମ ନୂଆ, ବିଶ୍ଵସ୍ତରୀୟ ଢାଞ୍ଚାରେ ନିର୍ମିତ ହେବାକୁ ଥିବା ସ୍କୁଲ ଅଟେ, ଯେଉଁଥିରେ ପ୍ରତି ସ୍କୁଲ ପାଇଁ ପ୍ରାୟ ୫ ରୁ ୮ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ପ୍ରକାଶ କରିଥିଲେ ଯେ ରାଜ୍ୟ ସରକାର ଶିକ୍ଷାକୁ ସାମାଜିକ ପରିବର୍ତ୍ତନ ଓ ବିକାଶର ସବୁଠାରୁ ବଡ଼ ଆଧାର ଭାବେ ଗ୍ରହଣ କରିଛନ୍ତି, କାରଣ ପ୍ରାଥମିକ ଶିକ୍ଷା ହେଉଛି ଜଣେ ଛାତ୍ରର ଶିକ୍ଷା ଗ୍ରହଣର ମୂଳଦୁଆ ଏବଂ ମୂଳଦୁଆ ଯେତିକି ଶକ୍ତ ହେବ, ପିଲାର ଭବିଷ୍ୟତ ସେତିକି ସୁନ୍ଦର ହେବ। ଏହି ଲକ୍ଷ୍ୟ ନେଇ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତର ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ବିକଶିତ କରାଯାଉଛି।
ପ୍ରଥମ ୩ ବର୍ଷରେ ୨ ହଜାର ୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଅନୁନ୍ୟ ୫ ଏକର ଜମି ଓ ଗମନାଗମନର ସୁବିଧା ଥିବା ଗ୍ରାମଗୁଡ଼ିକରେ ଏହି ସ୍କୁଲ ସ୍ଥାପିତ ହେଉଛି। ପୂର୍ବରୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜନ୍ମସ୍ଥାନ ବାଣପୁରରୁ ୧୧୮ଟି ଏବଂ ଖୋର୍ଦ୍ଧାରୁ ୨୦୪ଟି ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬୩୦ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଛି, ଯାହା ମୋଟ ୯୫୨ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଶିକ୍ଷାର ରୂପାନ୍ତରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ୩୫ଟି ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି।
ଏହି ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଶ୍ରେଣୀଗୃହ, ଡିଜିଟାଲ୍ ଉପକରଣ, କ୍ରୀଡ଼ା ଉପକରଣ ସହିତ “ନିପୁଣ ଓଡ଼ିଶା” ଅଧୀନରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତାକୁ ପ୍ରୋତ୍ସାହିତ କରାଯିବ। କେନ୍ଦୁଝର ଭଳି ଆଦିବାସୀବହୁଳ ଜିଲ୍ଲାରେ ଏହି ବିଦ୍ୟାଳୟଗୁଡ଼ିକ କେବଳ ଶିକ୍ଷାଦାନର କେନ୍ଦ୍ର ନହୋଇ ଗ୍ରାମୀଣ ଓ ଆଦିବାସୀ ଅଞ୍ଚଳର ଶିଶୁମାନଙ୍କ ସ୍ୱପ୍ନ ଓ ଭବିଷ୍ୟତ ଗଠନର ମନ୍ଦିର ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭୌଗୋଳିକ କିମ୍ବା ଆର୍ଥିକ ସ୍ଥିତି ଯେପରି କୌଣସି ଶିଶୁର ଶିକ୍ଷାଲାଭରେ ବାଧକ ନହୁଏ, ସେଥିପାଇଁ ରାଜ୍ୟରେ ଶିଶୁବାଟିକା ଆରମ୍ଭ କରାଯାଇ ୪୫ ହଜାରରୁ ଅଧିକ ସ୍କୁଲରେ ଖୋଲାଯାଇଛି ଏବଂ ନବମ-ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଓ ମାଗଣା ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉଛି। ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଗତ ଅଢ଼େଇ ବର୍ଷ ଭିତରେ ୨୮ ହଜାର ୬୩୯ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏହି ବିଦ୍ୟାଳୟଗୁଡ଼ିକୁ ଜ୍ଞାନ, ସୃଜନଶୀଳତା ଓ ମାନବିକ ମୂଲ୍ୟବୋଧର କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ର ସ୍ୱପ୍ନକୁ ଆଧାର କରି ରାଜ୍ୟରେ ଶିଳ୍ପାୟନ ଏବଂ ପୁଞ୍ଜିନିବେଶର ବାତାବରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। କେନ୍ଦୁଝରରେ ଟେକ୍ସଟାଇଲ୍ ପାର୍କ, ଡେଣ୍ଟାଲ ଓ ନର୍ସିଂ କଲେଜ ଏବଂ ମେଗାଷ୍ଟିଲ ପ୍ଲାଣ୍ଟ ସ୍ଥାପନ ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ରାଜ୍ୟର ଅର୍ଥନୀତିକୁ ଏକ ନୂତନ ମଜବୁତ ଭିତ୍ତିଭୂମି ପ୍ରଦାନ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଜନସାଧାରଣଙ୍କ ସୁବିଧା ଏବଂ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ‘National Common Mobility କାର୍ଡ (NCMC)’ ବା ମାଗଣା ବସ୍ ସେବା କାର୍ଡର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧରଣୀଧର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି କାର୍ଡ ପ୍ରଦାନ କରିଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟସେବା ପାଇଁ DMF ପାଣ୍ଠିରୁ ୨୩ଟି ନୂତନ ଆମ୍ବୁଲାନ୍ସ ଏବଂ ସହରାଞ୍ଚଳଗୁଡ଼ିକୁ ପରିଚ୍ଛନ୍ନ ରଖିବା ପାଇଁ କେନ୍ଦୁଝର, ଯୋଡ଼ା ଓ ବଡ଼ବିଲ୍ ପୌରପାଳିକାକୁ ମୋଟ ୨୬ଟି ପରିମଳ ସାମଗ୍ରୀ, LCV ଗାଡ଼ି, ଟ୍ରାକ୍ଟର, ସ୍ପ୍ରିଙ୍କଲର ଓ ସେସପୁଲ୍ ଗାଡ଼ି ପ୍ରଦାନ କରାଯାଇଛି। ସଡ଼କ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ କେନ୍ଦୁଝରକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ୬ ଥାକିଆ କରିବା ଏବଂ ବଡ଼ବିଲରେ ରିଙ୍ଗ ରୋଡ୍ ନିର୍ମାଣ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭର୍ଚୁଆଲ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ କଟକରେ ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ସ୍ମୃତିରଞ୍ଜନ ସାହୁ ଏବଂ ଧାମନଗର ପିଏମଶ୍ରୀ ସହିଦନଗର ହାଇସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ର ଆଶୁତୋଷ କରଙ୍କ ସହିତକଥା ହୋଇଥିଲେ। ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ ଉତ୍ସାହିତ କରିବା ସହ ସମଗ୍ର କାର୍ଯ୍ୟକ୍ରମକୁ ଏକ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରିଥିଲା।
