Latest Odisha News

BREAKING NEWS

ଦଶମ ଶ୍ରେଣୀ ଛାତ୍ରୀଙ୍କ ସନ୍ତାନ ପ୍ରସବ ଘଟଣା;ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ବାରିପଦା:ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(KGBV)ର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା ଚର୍ଚ୍ଚାକୁ ନେଇ ଶିକ୍ଷା ବିଭାଗରେ ଚର୍ଚ୍ଚା ଜୋର ଧରିଛି । ଏହି ସମ୍ବେଦନଶୀଳ ଘଟଣାରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ମାଝୀଙ୍କୁ ନିଲମ୍ବନ କରାଯାଇଛି। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଅନ୍ୟପକ୍ଷରେ ପ୍ରସବ ପରେ ଚିକିତ୍ସାଧୀନ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଛାତ୍ରୀ ଜଣକ ସାତ ମାସର ଗର୍ଭବତୀ ଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନା ଏବଂ ପରେ ଉନ୍ନତ ଚିକିତ୍ସା ପାଇଁ ବାରିପଦାସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବୁଧବାର ସକାଳେ ଛାତ୍ରୀ ଜଣକ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ନବଜାତ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏହି ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର ନିଲମ୍ବନ ଆଦେଶ ଜାରି କରିଛନ୍ତି। OCS (CCA) ନିୟମ, ୧୯୬୨ର ନିୟମ ୧୨ ଅନୁଯାୟୀ ନମିତା ମାଝୀଙ୍କୁ ନିଲମ୍ବିତ କରାଯାଇଛି।

ତେବେ ଛାତ୍ରୀଙ୍କ ଗର୍ଭଧାରଣ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବରୁ ଅବଗତ ଥିଲେ କି ନାହିଁ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଏପଟେ ବିଦ୍ୟାଳୟରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରୀ କିପରି ୭ ମାସ ଧରି ଗର୍ଭବତୀ ରହିବା ସତ୍ତ୍ୱେ ଏ ସମ୍ପର୍କରେ କର୍ତ୍ତୃପକ୍ଷ ଅବଗତ ହୋଇପାରିଲେ ନାହିଁ, ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି।

Leave A Reply

Your email address will not be published.