Latest Odisha News

BREAKING NEWS

ଦୀପାବଳିରେ ଖୁସି ଖବର: ୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର: ଅପେକ୍ଷାର ଘଟିଲା ଅନ୍ତ। ଖୁବ୍‌ଶୀଘ୍ର ହିତାଧିକାରୀଙ୍କୁ ମିଳିବ ଭତ୍ତା। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନାରେ ବାର୍ଦ୍ଧକ୍ୟ ଓ ଅନ୍ୟାନ୍ୟ ଭତ୍ତା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ହୀତାଧିକାରୀଙ୍କୁ ଗତ ଅକ୍ଟୋବର ମାସରୁ ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ୫ ଲକ୍ଷ ୫ ହଜାର ୮୧୭ ଜଣ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା (Madhu Babu Pension Yojana) ଅଧୀନରେ ଭତ୍ତା ପ୍ରଦାନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହିଥିବା ଯୋଗ୍ୟ ଆବେଦନକାରୀଙ୍କ ପାଇଁ ଏହା ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।

ଏହି ନୂଆ ହିତାଧିକାରୀମାନଙ୍କୁ ଗତ ଅକ୍ଟୋବର ମାସଠାରୁ ହିଁ ପେନସନର ଲାଭ ମିଳିବା ଆରମ୍ଭ ହେବ। ଯେପରି ଯୋଗ୍ୟ ବ୍ୟକ୍ତିମାନଙ୍କୁ ଆଉ ବର୍ଷ ବର୍ଷ ଧରି ଭତ୍ତା ପାଇଁ ଅପେକ୍ଷା କରିବାକୁ ନପଡ଼ିବ, ସେଥିପାଇଁ ସରକାର ଆବେଦନ ପ୍ରକ୍ରିୟାକୁ ବେଶ ସରଳ କରିଛନ୍ତି। ନୂଆ ହିତାଧିକାରୀମାନେ ନିଜ ନିଜ ଅଞ୍ଚଳର ବ୍ଲକ ଉନ୍ନୟନ ଅଧିକାରୀ (BDO) ଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି କିମ୍ବା ସରକାରଙ୍କ ଅଫିସିଆଲ୍ ପୋର୍ଟାଲ upmp.odisha.gov.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।

ଭତ୍ତା ପାଉଥିବା ବ୍ୟକ୍ତିଙ୍କୁ ୮୦ ବର୍ଷ ବୟସ ହେଲା ମାତ୍ରେ ତା’ପର ମାସଠାରୁ ସେମାନେ ଆପେ ଆପେ ବର୍ଦ୍ଧିତ ହାରରେ ଭତ୍ତା ପାଇବେ । ଏଥିପାଇଁ ନୂତନ ଆବେଦନ କରିବା ଆବଶ୍ୟକ ନାହିଁ । ଏହି ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ, ଏବଂ ଅନ୍ୟାନ୍ୟ ଅସହାୟ ବର୍ଗର ଲୋକମାନଙ୍କୁ ସାମାଜିକ ସୁରକ୍ଷା ଭତ୍ତା ଯୋଗାଇ ଦିଆଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ, ପୋର୍ଟାଲ୍ ସମସ୍ୟା ଯୋଗୁ ଭତ୍ତା ମିଳିପାରୁ ନଥିଲା । ଏବେ ମଧ୍ୟ ଅଧିକାଂଶ ସମୟରେ ଅନ୍‌ଲାଇନ୍ ଆବେଦନ ଲାଗି ଉଦ୍ଦିଷ୍ଟ ଏହି ପୋର୍ଟାଲ୍ ଖୋଲୁନଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.