Rahul Attacks Modi Govt: ‘E20 ପେଟ୍ରୋଲ ନାଁରେ ୪୨୦? ଲୋକଙ୍କ ଗାଡିରୁ ପେଟ୍ରୋଲ୍ ଚୋରି…’, ମୋଦୀ ସରକାରଙ୍କୁ ଘେରିଲେ ରାହୁଲ…
ନୂଆଦିଲ୍ଲୀ: ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ବଦଳରେ ମିଶୁଛି ଅଧିକ ଇଥାନଲ! E20 ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶାଇବାର ନିୟମ ଥିବାବେଳେ ଏହାଠାରୁ ଅଧିକ ଇଥାନଲ ମିଶାଯାଉଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ କରାଯାଇଥିବା ପେଟ୍ରୋଲ ନମୁନା ପରୀକ୍ଷା ରିପୋର୍ଟକୁ ଆଧାର କରି ସେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ରାହୁଲ। ନିର୍ଦ୍ଧାରିତ ସୀମାଠାରୁ ଅଧିକ ଇଥାନଲ ମିଶାଉଥିବା କମ୍ପାନୀ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି।
ରାହୁଲଙ୍କ ଅଭିଯୋଗ ଅନୁସାରେ, କର୍ଣ୍ଣାଟକର ୭ଟି ଜିଲ୍ଲାରୁ ପେଟ୍ରୋଲ ନମୁନା ସଂଗ୍ରହ କରି ସ୍ୱୀକୃତିପ୍ରାପ୍ତ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ମୋଟ ୧୪ଟି ନମୁନା ମଧ୍ୟରୁ ୧୧ଟିରେ ଇଥାନଲର ପରିମାଣ ୨୦ ପ୍ରତିଶତରୁ ଅଧିକ ଥିବା ଜଣାପଡ଼ିଛି ବୋଲି ସେ ଦାବି କରିଛନ୍ତି। ଇଣ୍ଡିଆନ୍ ଅଏଲ୍ (IOCL)ର ଗୋଟିଏ ନମୁନାରେ ୩୧.୨ ପ୍ରତିଶତ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL)ର ନମୁନାରେ ୩୦.୫ ପ୍ରତିଶତ ଇଥାନଲ ମିଳିଥିବା ରାହୁଲ କହିଛନ୍ତି। ଏହା ସହ ଭାରତ ପେଟ୍ରୋଲିୟମ୍ (BPCL), ନାୟରା ଓ ସେଲ୍ ଭଳି କମ୍ପାନୀର ପେଟ୍ରୋଲ ନମୁନାରେ ମଧ୍ୟ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଇଥାନଲ ଥିବା ସେ ଅଭିଯୋଗ କରିଛନ୍ତି। କମ୍ପାନୀଗୁଡ଼ିକର ନିଜସ୍ୱ ଲାବୋରେଟୋରୀ ରିପୋର୍ଟରେ ଇଥାନଲର ପରିମାଣ ସମ୍ପର୍କରେ ତଥ୍ୟ ଉଲ୍ଲେଖ ନଥିବା ମଧ୍ୟ ସେ କହିଛନ୍ତି।
ରାହୁଲଙ୍କ ଅଭିଯୋଗ ହେଉଛି, ଗ୍ରାହକ ପେଟ୍ରୋଲର ପୂରା ଦାମ୍ ଦେଉଥିବାବେଳେ ଟାଙ୍କିରେ ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଇଥାନଲ ମିଶ୍ରିତ ଇନ୍ଧନ ପାଉଛନ୍ତି। ଏହାଦ୍ୱାରା ଗାଡ଼ିର ମାଇଲେଜ୍ କମିବା ସହ ଇଞ୍ଜିନ୍ ଉପରେ ପ୍ରଭାବ ପଡ଼ିପାରେ ଏବଂ ବାରମ୍ବାର ଗାଡ଼ି ମରାମତି କରିବାକୁ ପଡ଼ିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ଏପରିକି ପେଟ୍ରୋଲ ପମ୍ପରେ ଇନ୍ଧନରେ କେତେ ପରିମାଣର ଇଥାନଲ ମିଶିଛି, ସେ ସମ୍ପର୍କରେ ଗ୍ରାହକଙ୍କୁ ସ୍ପଷ୍ଟ ସୂଚନା ଦିଆଯାଉନଥିବା ରାହୁଲ କହିଛନ୍ତି। ଫଳରେ ଗ୍ରାହକଙ୍କ ପାଖରେ ନିଜ ପସନ୍ଦର ଇନ୍ଧନ ବାଛିବାର ବିକଳ୍ପ ମଧ୍ୟ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି। ପେଟ୍ରୋଲରେ ପ୍ରକୃତରେ କେତେ ପ୍ରତିଶତ ଇଥାନଲ ମିଶାଯାଉଛି? ନିର୍ଦ୍ଧାରିତ ୨୦ ପ୍ରତିଶତ ସୀମା ଅତିକ୍ରମ କରୁଥିବା କମ୍ପାନୀଗୁଡ଼ିକ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ? ଏହା ସହ ସରକାରଙ୍କ ଇଥାନଲ ନୀତିରୁ କେଉଁମାନେ ଲାଭବାନ ହେଉଛନ୍ତି, ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କ ସହ ତାଙ୍କର ବିତର୍କ ପାଇଁ ଦିଆଯାଇଥିବା ଆହ୍ୱାନ ଏବେ ବି ବଳବତ୍ତର ଥିବା ସେ କହିଛନ୍ତି।
