Latest Odisha News

BREAKING NEWS

ନ୍ୟୁଜିଲାଣ୍ଡର ନାମରେ ରଚିହେଲା ଅଲୋଡ଼ା ରେକର୍ଡ, ବିରାଟ ଭାଙ୍ଗିଲେ ପଣ୍ଟିଂଙ୍କ ୱାର୍ଲ୍ଡ ରେକର୍ଡ!

ୱେଲିଂଟନ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଏକଦିବସୀୟ  ମ୍ୟାଚ୍‌ରେ ଭାରତ ୪ ରନ୍‌ରେ ବିଜୟୀ ହୋଇ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୦ ରେ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚ୍‌ରେ କ୍ରିକେଟ୍ ଇତିହାସର ୫ଟି ବଡ଼ ରେକର୍ଡ ସୃଷ୍ଟି ହୋଇଛି । ୨୦୨୬ କ୍ୟାଲେଣ୍ଡର ବର୍ଷରେ ଭାରତ ବିପକ୍ଷରେ ୧୧ଟି ମ୍ୟାଚ୍ ନ୍ୟୁଜିଲାଣ୍ଡ (ସମସ୍ତ ଫର୍ମାଟ୍ ମିଶାଇ) ହାରିସାରିଛି । କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଗୋଟିଏ ବର୍ଷରେ କୌଣସି ଗୋଟିଏ ଦଳଠାରୁ ୧୧ଟି ମ୍ୟାଚ୍ ହାରିବାର ଅଲୋଡ଼ା ରେକର୍ଡ ନିଜ ନାମରେ କରିଛି । ଏହାପୂର୍ବରୁ ୨୦୦୫ରେ ଅଷ୍ଟ୍ରେଲିଆ ବିପକ୍ଷରେ ସେମାନେ ୧୦ଟି ମ୍ୟାଚ୍ ହାରିଥିଲେ । ୭ ବର୍ଷ ପରେ ନ୍ୟୁଜିଲାଣ୍ଡ ନିଜ ଘରୋଇ ଗ୍ରାଉଣ୍ଡରେ ଲଗାତାର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍‌ରେ ପରାଜିତ ହୋଇଛି । ଏହାପୂର୍ବରୁ ଜାନୁଆରୀ ୨୦୧୯ ରେ ଭାରତ ବିପକ୍ଷରେ ହିଁ ନ୍ୟୁଜିଲାଣ୍ଡ ନିଜ ଘରୋଇ ମାଟିରେ ଲଗାତାର ୨ଟି ମ୍ୟାଚ୍‌ରେ ପରାଜିତ ହୋଇଥିଲା । ୨୦୧୯ ପରଠାରୁ ନ୍ୟୁଜିଲାଣ୍ଡ ନିଜ ଘରେ କୌଣସି  ସିରିଜ୍ ହାରିନଥିଲା ।

୨୫ ବର୍ଷ ପରେ  ନ୍ୟୁଜିଲାଣ୍ଡ ଦଳ ଭାରତ ବିପକ୍ଷରେ ଲଗାତାର ୨ଟି ମ୍ୟାଚ୍‌ରେ ୨୦୦ ରନ୍‌ ଅତିକ୍ରମ କରିବାରେ ବିଫଳ ହୋଇଛି । ଏହାପୂର୍ବରୁ ୨୦୦୧ ଜାନୁଆରୀ-ଫେବୃଆରୀରେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ଲଗାତାର ୨ଟି ମ୍ୟାଚ୍‌ରେ ୨୦୦ ରନ୍ ପୂର୍ବରୁ ଅଲ୍‌ଆଉଟ୍ ହୋଇଥିଲା । ୱେଲିଂଟନ୍‌ରେ ହୋଇଥିବା ୧୩୪ ରନ୍ ଏବେ ଭାରତ ବିପକ୍ଷରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡର ସର୍ବନିମ୍ନ ସ୍କୋର ପାଲଟିଛି,  (ଏହାପୂର୍ବରୁ ୧୯୯୪ ଅକ୍‌ଲ୍ୟାଣ୍ଡରେ ୧୪୨ ରନ୍ ଥିଲା) । ଭାରତର ତାରକା ବ୍ୟାଟର ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ କ୍ରିକେଟ୍‌ରେ ସବୁଠାରୁ ଅଧିକ ରନ୍ ସଂଗ୍ରହକାରୀ ବ୍ୟାଟର ପାଲଟିଛନ୍ତି । କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୧,୯୭୫ରୁ ଅଧିକ ରନ୍ ପୂରଣ କରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପୋଣ୍ଟିଂଙ୍କ (୧,୯୭୧ ରନ୍) ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି ।  ଭାରତୀୟ ପେସର୍ ଗୁରନୁର ବ୍ରାର ୧୦ ଓଭରରେ ୩୦ ରନ୍ ଦେଇ ୪ଟି ୱିକେଟ୍ ଅକ୍ତିଆର କରିଥିଲେ । ନ୍ୟୁଜିଲାଣ୍ଡ ମାଟିରେ କୌଣସି ଭାରତୀୟ ଦ୍ରୁତ ବୋଲରଙ୍କ ଦ୍ୱାରା ଏହା ଦ୍ୱିତୀୟ ସର୍ବଶ୍ରେଷ୍ଠ  ବୋଲିଂ ସ୍ପେଲ ।  ଜଭାଗଲ ଶ୍ରୀନାଥଙ୍କ(୨୦୦୩ ଅକ୍‌ଲ୍ୟାଣ୍ଡରେ ୪/୨୩) ନାମରେ ପୂର୍ବରୁ ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା ।

 

Leave A Reply

Your email address will not be published.